ମୋ ପାଇଁ ସ୍ୱପ୍ନ, ଦର୍ଶକଙ୍କ ପାଇଁ ସନ୍ଦେଶ

ଓଡ଼ିଆ ସିନେମା ନିର୍ଦ୍ଦେଶନା କ୍ଷେତ୍ରରେ ଏବେ ଜଣେ ସୁଦକ୍ଷ ନିର୍ଦ୍ଦେଶକଙ୍କ ନାଁ ଯୋଡ଼ି ହୋ‌ଇଯାଇଛି। ଯିଏ ସ୍ବପ୍ନ ଦେଖୁଥିବା କଥାକୁ ସାକାର କରିବାକୁ ପ୍ରୟାସ କରୁଛନ୍ତି ଏବଂ ଚଳଚ୍ଚିତ୍ର ମାଧ୍ୟମରେ ଆମ ସିନେ ଦର୍ଶକଙ୍କ ଭିତରେ ଥିବା ଅଭିମାନ ଦୂର କରି କିଛି ନୂଆ ସନ୍ଦେଶ ଦେବାକୁ ପ୍ରଯତ୍ନ କରୁଛନ୍ତି। ନିର୍ଦ୍ଦେଶକ ପିନୁ ନାୟକ। ଏବେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲଗାମ୍‌’ ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ କୋଭିଡ୍ ସଂକ୍ରମଣ ଓ ଏଥିପାଇଁ ସାରା ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍ ପରି କଟକଣା, ଏହାଦ୍ବାରା ପ୍ରବାସୀ ଓଡ଼ିଆଙ୍କ ପାଇଁ ଘଟିଥିବା ଆଭାବନୀୟ ପରିସ୍ଥିତିକୁ ନେଇ ‘ଲଗାମ୍‌’ର କାହାଣୀ ପର୍ଯ୍ୟବସିତ।

ଏହା ପୂର୍ବରୁ ସେ ‘ଜୋର ସା ଝଟକା’ ଏବଂ ‘ଇନ୍ଦ୍ରଜାଲ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ଓଲିଉଡ୍‌ର ବହୁ ନାମକରା ନିର୍ଦ୍ଦେଶକଙ୍କ ସହଯୋଗୀ ଭାବେ କାମ କରିଥିବା ପିନୁ ଟେଲି ଧାରାବହିକ ଅବୁଝା ଏ ମନ, ଚାନ୍ଦ ନା ତୁମେ ତାରା, ଆଶାର ଆକାଶ, କୁମ୍‌କୁମ୍‌, ଏ ଭାଇ ଟେନ୍‌ସନ୍ ନାହିଁ, ତୋ ଆଖି ମୋ ଆଇନା, ଦେବୀ, ଏସିପି ନିକିତା ଆଦିରେ ନିର୍ଦ୍ଦେଶନା ଦେଇଛନ୍ତି। ଏକ ଭୋଜପୁରୀ ସିନେମାରେ ନିର୍ଦ୍ଦେଶନା ଦେଉଥିବା ବେଳେ ମୁମ୍ବାଇର କିଛି କଳାକାରଙ୍କ ସହ ପରିଚୟ ହେଇଥିଲା, ସେମାନେ ମୁମ୍ବାଇ ଯିବାକୁ ଆମନ୍ତ୍ରଣ କଲେ। ମୁମ୍ବାଇରେ ପହଞ୍ଚି ଧାରାବାହିକ ‘ତେନାଲ୍ ଇରାମା‘ ଏବଂ ‘ସାବଧାନ ଇଣ୍ଡିଆ’ରେ ନିର୍ଦ୍ଦେଶନା ଦାୟିତ୍ବ ନିର୍ବାହ କଲେ। ପରେ ଟି-ସିରିଜ୍ ପ୍ରସ୍ତୁତ ‘ଟୋଣ୍ଟି ଟୁ ଡେଜ୍’ ସିନେମାରେ ସେ କାମ କଲେ। ଏଥିପାଇଁ ତାଙ୍କୁ ମରିସସ୍ ଓ ଦକ୍ଷିଣଆଫ୍ରିକାରେ ଦୀର୍ଘ ଦିନ ରହିବାକୁ ପଡ଼ିଲା। ସେଠାରୁ ଫେରିବା ପରେ ସେ ହୃଦ୍‌ବୋଧ କଲେ ଘରେ ବୟସ୍କ ବାପା-ମଆ ଓ ପତ୍ନୀ ଏବଂ ଝିଅ ତାଙ୍କ ଅନୁପସ୍ଥିତିରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେ ଓଡ଼ିଶାରେ ରହିବାର ନିଷ୍ପତ୍ତି ନେଲେ।

ଜଗତସିଂହପୁର କୁଜଙ୍ଗ ଅନ୍ତର୍ଗତ ବଳରାମପୁରର ପ୍ରହଲାଦ ନାୟକ ଓ ଆଶାଲତାଙ୍କ ପୁଅ ପିନୁ ପିଲା ବେଳୁ ମା’ଙ୍କ ଦ୍ବାରା ଅନୁପ୍ରେରିତ ହୋଇ ଲେଖାଲେଖି ଓ ନିର୍ଦ୍ଦେଶନା କ୍ଷେତ୍ରକୁ ପାଦ ବଢ଼େଇଥିଲେ। ଏଥିରେ ସହଧର୍ମିଣୀ ମମତା ଓ ଝିଅ ନମସ୍ୟାଙ୍କର ମଧ୍ୟ ସହଯୋଗ ରହିଛି। ନିର୍ଦ୍ଦେଶନା କ୍ଷେତ୍ରରେ ନିଜର ପ୍ରବେଶକୁ ନେଇ ସେ ନିର୍ଦ୍ଦେଶକ ସୁଧାଂଶୁ ସାହୁ ଓ ପ୍ରଯୋଜିକା ବିନି ସାମଲଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର