ଫିଲ୍ମ ଫ୍ରାଇଡେ’ : ସାଥୀ…ସହ ଭୈୟାଜୀ.. ଟକ୍କର

ପ୍ରେମ ଓ ପାରିବାରିକ କଥାବସ୍ତୁର ଫେଣ୍ଟାଫେଣ୍ଟି କାହାଣୀ ସହ ଜଣେ ବନାରସୀ ଡନ୍‌ ଏକ ଫିଲ୍ମରେ ଅଭିନୟ କରିବା ନିଶାରେ କିଭଳି ଚୂର୍‌ ହେଉଛି; ଶୁକ୍ରବାର ଫିଲ୍ମ ପରଦାରେ ଦେଖିବାକୁ ମିଳିବ। ଜି-ସାର୍ଥକ ଏବଂ ସାଇଶ୍ରଦ୍ଧାର ମିଳିତ ପ୍ରସ୍ତୁତିରେ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ‘ସାଥୀ ତୁ ଫେରିଆ’ ମୁକ୍ତିଲାଭ କରିବାକୁ ଯାଉଛି। ଜଣେ ପ୍ରେମିକା ତା ପ୍ରେମିକାକୁ ଏବଂ ଜଣେ ମା ତା’ର ପୁଅକୁ ଅବାଟରୁ କିଭଳି ଫେରାଇ ଆଣୁଛି, ସେଇଭଳି ଏକ କଥାବସ୍ତୁକୁ ନେଇ ଶ୍ରୀୟା ସିନେମା ହଲ୍‌ ଏବଂ ରବି ଟକିଜ୍‌ରେ ଆଜି ମୁକ୍ତିଲାଭ କରିବାକୁ ଯାଉଛି ଏହି ଚଳଚ୍ଚିତ୍ର। ଜ୍ୟୋତି ନାୟକ ଭୂମିକାରେ ଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ଅନୁଭା। ଏଥିସହ ଚଳଚ୍ଚିତ୍ରରେ ମହେଶ୍ବେତା, ଶ୍ରୀତମ, ପିଣ୍ଟୁ ନନ୍ଦ, ମଣ୍ଟୁ, ଅନିଶାଙ୍କୁ ଦେଖିବାକୁ ମିଳିବ। ସୁଧାକର ବସନ୍ତ ଏହାର ନିର୍ଦେଶନା ଦେଇଥିବା ବେଳେ ପ୍ରେମ ଆନନ୍ଦ ସଂଗୀତ ନିର୍ଦେଶନା ଦେଇଛନ୍ତି। ଏଥିସହ ମୁକ୍ତିଲାଭ କରିବାକୁ ଯାଉଛି ସନି ଦେଓଲଙ୍କ ଅଭିନୀତ ‘ଭୈୟାଜୀ ସୁପରହିଟ୍’। ବନାରସୀ ଡନ୍‌ ଫିଲ୍ମରେ ହିରୋ ହେବାର ନିଶାକୁ ଜବରଦସ୍ତ କମେଡ଼ି ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଛନ୍ତି। ସନି ଦେଓଲଙ୍କ ସହ ପ୍ରୀତି ଜିଣ୍ଟା, ଅମିଶା ପଟେଲ୍‌, ଏଭ୍‌ଲିନ୍‌ ଶର୍ମା, ଅର୍ସାଦ୍‌ ୱାର୍‌ସି, ଶ୍ରେୟାସ ତଲ୍‌ପଡ଼େ ପ୍ରମୁଖ ଅଭିନୟ କରିଥିବା ବେଳେ ନିରଜ ପାଠକ ନିର୍ଦେଶନା ଦେଇଛନ୍ତି। ଏଥିସହ ‘ପ୍ୟାର୍‌ ଅଲଗା ପ୍ରକାର’ ମଧ୍ୟ ମୁକ୍ତିଲାଭ କରିବା ନେଇ ସୂଚନା ମିଳିଛି। ଏହି ଚଳଚ୍ଚିତ୍ର ସ୍ୱାତୀ ଏବଂ ଏକାମ୍ର ହଲ୍‌ରେ ମୁକ୍ତିଲାଭ କରିବ।

ସମ୍ବନ୍ଧିତ ଖବର