ସ୍ବାସ୍ଥ୍ୟଗତ ସମସ୍ୟା ଭିତ୍ତିରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀଙ୍କ ଜାମିନ୍‌‌ ମଞ୍ଜୁର

ମୁମ୍ବାଇ: ଡ୍ରଗ୍ସ୍‌ ମାମଲାରେ ଛନ୍ଦି ହୋଇ ଜେଲ୍‌ ଯାଇଥିବା କନ୍ନଡ ଅଭିନେତ୍ରୀ ସଞ୍ଜନା ଗଲରାନୀଙ୍କୁ ଜାମିନ୍‌ ପ୍ରଦାନ କରାଯାଇଛି। ତାଙ୍କର ଅସୁସ୍ଥତା ହେତୁ କର୍ଣ୍ଣାଟକ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିବା ଜାଣିବାକୁ ମିଳିଛି । ସଞ୍ଜନାଙ୍କୁ ବେଆଇନ‌ ଡ୍ରଗ୍ସ କାରବାର ଅଭିଯୋଗରେ ସେପ୍ଟେମ୍ବର ୮ ତାରିଖରେ ସେଣ୍ଟ୍ରାଲ୍‌ କ୍ରାଇମ୍‌ ବ୍ରାଞ୍ଚ୍‌(ସିସିବି) ଗିରଫ କରିଥିଲା।

ସଞ୍ଜନାଙ୍କ ସହିତ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ରାଗିଣୀଙ୍କୁ ଜାମିନ ପ୍ରଦାନ କରାଯାଇ ନାହିଁ।

ଜାମିନ୍‌ ଆବେଦନରେ ସଞ୍ଜନା ଜଣାଇଥିଲେ ଯେ ଏକ ଅସ୍ତ୍ରୋପଚାର ପାଇଁ ତାଙ୍କୁ ତୁରନ୍ତ ଜାମିନ ଆବଶ୍ୟକ। ଯଦି ତାଙ୍କୁ ଜାମିନ୍‌ ନ ମିଳେ ତେବେ ସେ ଗୁରୁତର ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରିବେ ବୋଲି ଦର୍ଶାଇଥିଲେ। ଅଦାଲତ ସଞ୍ଜନାଙ୍କ ଆବେଦନ ପରେ ସରକାରୀ ହସ୍ପିଟାଲ୍‌ରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ ରିପୋର୍ଟ ଆଧାରରେ ଜାମିନ୍‌ ମଞ୍ଜୁର କରିଛନ୍ତି। 

ସ୍ୟାଣ୍ଡଲ୍‌ଉଡ୍‌ ଡ୍ରଗ୍ସ ମାମଲା ରାକେଟ୍‌ରେ ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ସିସିିବି ୭ ଜଣଙ୍କୁ ଗିରଫ କରିଥିଲା। ଏବେ ସୁଦ୍ଧା ସଞ୍ଜନା ଗଲରାନୀ, ରାଗିଣୀ ଦ୍ୱିବେଦୀ, ନିୟାଜ, ରବି, ଶଙ୍କର, ରାହୁଲ, ବିରେନ୍ ଖାନ୍ନା, ଲୁମ୍ ପେପର୍ ଏବଂ ପ୍ରତୀକ ଶେଟୀ ଆଦି ଗିରଫ ହୋଇ ସାରିଛନ୍ତି। 

ଗତ ମାସରେ କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀ ଏବଂ ସଞ୍ଜନା ଗଲରାନୀଙ୍କ ଜାମିନ ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରି ଦେଇଥିଲେ।

 

ସମ୍ବନ୍ଧିତ ଖବର