କଳାହାଣ୍ଡି ପୁଅ ଡୁଲେଶ୍ବର ଏବେ ଇଣ୍ଟରନେଟ୍ ସେନସେସନ୍ ‘ରାପ୍ପର ଡୁଲେ ରକର’; ଓଲିଉଡରୁ ବଲିଉଡ୍ ଯାଏ ସବୁଠି ପ୍ରଶଂସା

ଭବାନୀପାଟଣା : ନିଜର ମନମତାଣିଆ ରାପ୍ ବଳରେ କଳାହାଣ୍ଡିର ଅଖ୍ୟାତ ପଲ୍ଲୀର ଦେଶୀ ରାପ୍ପର ଡୁଲେ ଏବେ ପାଲଟିଛନ୍ତି ବିଖ୍ୟାତ ଗାୟକ ! ପାଲଟିଛନ୍ତି ଦେଶର ନୂଆ ଇଣ୍ଟରନେଟ୍ ସେନସେସନ୍। ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ସଂଗୀତ ନିର୍ଦ୍ଦେଶକ ବିଶାଲ ଡଡଲାନି, ସାମ୍ବାଦିକା ବରଖା ଦତ୍ତ ଓ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡାଙ୍କ ଭଳି ଲୋକ ଏବେ ରାପ୍ପର ଡୁଲେ ରକରଙ୍କ ପ୍ରତିଭା ଦେଖି ଫିଦା। କଳାହାଣ୍ଡିର ଡୁଲେଶ୍ୱର ତାଣ୍ଡି ଏବେ ‘ରାପ୍ପର ଡୁଲେ ରକର’ !

କଳାହାଣ୍ଡି ଜିଲ୍ଲା ବୋର୍ଡା ଗ୍ରାମର ରାପର ଡୁଲେଶ୍ୱର ତାଣ୍ଡିଙ୍କ  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଓଲିଉଡର ଗାୟକ ହ୍ୟୁମାନ ସାଗର ୩୦ ହଜାର ଟଙ୍କା ସହାୟତା ପ୍ରଦାନ ପରେ ଏବେ ବଲିଉଡର ସଙ୍ଗୀତଜ୍ଞ ବିଶାଳ ଡଡଲାନି ଡୁଲେଶ୍ୱରଙ୍କୁ ବଲିଉଡରେ ସୁଯୋଗ ଦେବା ପାଇଁ ସହଯୋଗ କରିବେ ବୋଲି ଟ୍ୱିଟ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ଯୋଗ୍ୟ ଯେ, କଳାହାଣ୍ଡିର ଗ୍ରାମାଞ୍ଚଳ  ଜଣେ ଦଳିତ  ଯୁବକ ଡୁଲେଶ୍ବର ତାଣ୍ଡି ଓରଫ୍ ରାପର୍ ଡୁଲେ ରକର୍। ଭବାନୀପାଟଣା ବ୍ଲକ ବୋର୍ଡା ଗାଁ ସ୍କୁଲରେ  ପ୍ରାଥମିକ ଶିକ୍ଷା ଓ ପରେ ଉଚ୍ଚ ବିଦ୍ୟାଳୟରେ ୨୦୦୮  ଶିକ୍ଷା  ଲାଭ ପରେ ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ +୩  ସରିବା ପରେ ମା’ଙ୍କ ଦେହ ଖରାପ ହେବା ଯୋଗୁଁ ଅର୍ଥ ଯୋଗାଡ କରିବା ପାଇଁ ଛତିଶଗଡ଼ର ରାଜଧାନୀ ରାୟପୁରକୁ ଚାଲିଗଲେ । ସେଠାରେ ହୋଟେଲରେ କାମ କଲେ।  ହେଲେ ସେଠି କିଛି ଦିନ କାମ କଲାପରେ ହଠାତ୍  ବାପା ନିଳାଞ୍ଚଳ ତାଣ୍ଡିଙ୍କ ପକ୍ଷାଘାତ ରୋଗରେ  ୨୦୧୬ରେ ଦେହାନ୍ତ ପରେ ନିଜ ବିଧବା ମା’ଙ୍କ ସହ ଅଭାବ ଅସୁବିଧାରେ ରହୁଛନ୍ତି ଡୁଲେ। ତେବେ ନିଜ ପ୍ରତିଭା ତାଙ୍କୁ ନୂଆ ପରିଚୟ ଦେଇଛି ।

ଡୁଲେଶ୍ବର ନିଜର ରାପ୍ ଗାଇବା ପ୍ରତିଭା ବଳରେ ସାରା ଦେଶରେ  ‘ରାପର୍ ଡୁଲେ ରକର୍’ ପାଲଟି ଯାଇଛନ୍ତି। କେବଳ ସେତିକି ନୁହେଁ, ସେ ପାଲଟି ଯାଇଛନ୍ତି ଇଣ୍ଟରନେଟ୍ ସେନସେସନ୍।  ଗରିବୀ ଅଙ୍ଗେ ନିଭେଇ ଆସିଥିବା ଡୁଲେ ନନ୍ ଷ୍ଟପ୍ ରାପ୍ ସଙ୍ଗ୍ ମାଧ୍ୟମରେ ଉପସ୍ଥାପନା କରୁଛନ୍ତି ସମାଜର ସଂମ୍ପ୍ରତିକ ପରିସ୍ଥିତିର ବାସ୍ତବ ଚିତ୍ର। ତେବେ ବର୍ତ୍ତମାନ ଡୁଲେ ଏବେ ସୋସିଆଲ୍ ମିଡିଆରେ ପୂରା ଛାଇ ଯାଇଛନ୍ତି। ଡୁଲେଶ୍ୱର ଦିନ ବେଳେ ମଜୁରୀ ଖଟୁ ଥିବା ବେଳେ ସନ୍ଧ୍ୟାରେ ରାପ ସଙ୍ଗୀତ ଅଭ୍ୟାସ କରନ୍ତି।

ସମ୍ବନ୍ଧିତ ଖବର