‘ମୁମ୍ବାଇରେ କାଷ୍ଟିଂ କାଉଚର ଶିକାର ହୋଇ ମଡେଲିଂ ଛାଡ଼ିଦେଲି, ଅଭିନୟରେ ମନୋନିବେଶ କଲି’

ସାକ୍ଷାତକାର/ ମୋନାଲିସା ପରିଡ଼ା

କେନ୍ଦୁଝରର ଜରଦା ଗାଁରୁ ଯାଇ ବିଶ୍ୱସ୍ତରରେ ପରିଚିତ ହେବାରେ ସଫଳ ହୋଇଛନ୍ତି ଓଡ଼ିଆ ପୁଅ ଦେବେଶ ରଞ୍ଜନ । ବଲିଉଡରେ କାଷ୍ଟିଂ ଡିରେକ୍ଟର ଭାବେ କାର୍ଯ୍ୟ କରୁଥିବା ଦେବେଶ ପ୍ରଥମେ ଇଂରାଜୀ ଫିଲ୍ମ ‘ବର: ଏ ବ୍ଲେସିିଂ’ ଓ ପରେ ଫିଲ୍ମ ‘ଭୋର’ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପୂର୍ବରୁ ଅନେକ ଅନ୍ତର୍ଜାତୀୟ ଫିଲ୍ମ ଉତ୍ସବରେ ‘ଭୋର’ ପ୍ରଦର୍ଶନ ହୋଇ ସାରିଥିବା ବେଳେ ଆସନ୍ତା ନଭେମ୍ବରରେ କାଇରୋ ଇଣ୍ଟରନ୍ୟାସ୍‌ନାଲ ଫିଲ୍ମ ଫେଷ୍ଟିଭାଲରେ ଏହା ପ୍ରଦର୍ଶିତ ହେବ। ଏହି ଅବସରରେ ଦେବେଶଙ୍କ ସହ ମୋନାଲିସା ପରିଡ଼ାଙ୍କ ସ୍ୱତନ୍ତ୍ର ସାକ୍ଷାତକାର।

ପ୍ରଶ୍ନ: ଆପଣଙ୍କ ମନରେ କିପରି ଅଭିନୟର ଇଚ୍ଛା ଜାଗ୍ରତ ହୋଇଥିଲା?
ଉତ୍ତର : ମୁଁ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଅଭିନୟ କରିବା ଲାଗି ଆଗ୍ରହ ମୋ ମନକୁ ଆସିଥିଲା । ବଲିଉଡ୍‌ କଳାକାର ମିଥୁନ ଚକ୍ରବର୍ତ୍ତୀ, ଅନୀଲ କପୁର ଓ ଅମିତାଭ ବଚ୍ଚନଙ୍କ ଅଭିନୟ ଓ ନୃତ୍ୟ ଦେଖି ମୋ ମନରେ ଅଭିନୟ କରିବାର ଇଚ୍ଛା ଆସିଥିଲା ।
ପ୍ରଶ୍ନ : ପ୍ରଥମେ ଅଭିନୟ କରିବା ପାଇଁ ଘର ଲୋକଙ୍କ ସମର୍ଥନ ମିଳିଥିଲା କି?
ଉତ୍ତର : ନାଁ । ଆମ ପରିବାରର କେହି ମଧ୍ୟ ଅଭିନୟ ଜଗତ ସହ ଜଡ଼ିତ ନ ଥିଲେ । ସେଥିପାଇଁ ବାପାଙ୍କୁ ମୋ ଅଭିନୟ କରିବାର ଇଚ୍ଛା ପସନ୍ଦ ଆସି ନ ଥିଲା । ସେ ମୋତେ ଅଭିନୟ କରିବା ପାଇଁ ସଫା ସଫା ମନା କରି ଦେଇଥିଲେ ।
ପ୍ରଶ୍ନ : ଆପଣ ପାଠ ପଢ଼ା ଛାଡ଼ି ଅଭିନୟ କରୁଛନ୍ତି ବୋଲି ଘର ଲୋକେ କେବେ ଜାଣିଲେ?
ଉତ୍ତର: ଯାଜପୁରର ବ୍ୟାସନଗର କଲେଜରୁ ବାଣିଜ୍ୟରେ ସ୍ନାତକ ସାରି ମୁଁ କମ୍ପାନୀ ସେକ୍ରେଟାରୀ ପାଠ ପଢ଼ିବା ପାଇଁ ଦିଲ୍ଲୀ ଚାଲି ଯାଇଥିଲି । ସେଠାରେ ବର୍ଷେ ପର୍ଯ୍ୟନ୍ତ ମୁଁ କମ୍ପାନୀ ସେକ୍ରେଟାରୀ ପାଠ ପଢ଼ିଥିଲେ ମଧ୍ୟ ପରେ ଅଧାରୁ ଛାଡ଼ି ମୁଁ ଥିଏଟରରେ ଅଭିନୟ କରିବା ଆରମ୍ଭ କରିଥିଲି । ଏ ବିଷୟରେ ଜାଣି ବାପା ମୋ ଉପରେ ରାଗି କଥା ହୋଇ ନ ଥିଲେ । ଏଥି ପାଇଁ କିଛି ଦିନ ମୋତେ ଦିଲ୍ଲୀରେ ପିଲାମାନଙ୍କୁ କୋଚିଂ ଦେଇ ମୋର ଖର୍ଚ୍ଚ ଉଠାଇବାକୁ ପଡ଼ିଥିଲା ।
ପ୍ରଶ୍ନ : ନବାଗତ ହିସାବରେ ଆପଣଙ୍କୁ କେବେ କାଷ୍ଟିଂ କାଉଚ୍‌ର ଶିକାର ହେବାକୁ ପଡ଼ିଛି କି?
ଉତ୍ତର : ଫିଲ୍ମରେ ତ ନୁହେଁ । କିନ୍ତୁ ମଡେଲିଂ କ୍ୟାରିୟର ସମୟରେ ମୋତେ କାଷ୍ଟିଂ କାଉଚ୍‌ର ସାମ୍ନା କରିବାକୁ ପଡ଼ିଥିଲା । ଯେଉଁଥି ପାଇଁ ମୁଁ ମୋର ମଡେଲିଂ କ୍ୟାରିୟରକୁ ଛାଡ଼ିଥିଲି ।

OrissaPOST

ପ୍ରଶ୍ନ: ଆପଣଙ୍କ ପ୍ରଥମ ଫିଲ୍ମ ଥିଲା ‘ବର: ଏ ବ୍ଲେସିିଂ’ । ଏହା ପୂର୍ବରୁ ଆପଣଙ୍କୁ ଅନ୍ୟ କିଛି ଫିଲ୍ମର ଅଫର ମିଳିଥିଲା କି?
ଉତ୍ତର: ହଁ । ମୋତେ ବଲିଉଡ୍‌ ଫିଲ୍ମ ‘ଭାଗ୍‌ ମିଲ୍‌ଖା ଭାଗ୍‌’ର ମୁଖ୍ୟ ଚରିତ୍ର ଅଫର କରାଯାଇଥିଲା । ଫିଲ୍ମ ନିର୍ମାତା ପ୍ରଥମେ ଫିଲ୍ମ ପାଇଁ ନୂଆ ଚେହେରା ଖୋଜୁଥିଲେ । ମୁଁ ଅଡିସନ ଦେଇଥିଲି । କିନ୍ତୁ ପରେ ସେ ଜଣେ ଚିହ୍ନା ଚେହେରାକୁ ନେବାକୁ ଚାହିଁବାରୁ ମୋତେ ସୁଯୋଗ ମିଳି ନ ଥିଲା । ପରେ ରଣବୀର ସିଂହଙ୍କ ଫିଲ୍ମ ‘ଗଲି ବଏ’ରେ ଥିବା ମୋଇନ୍‌ ଚରିତ୍ର ମଧ୍ୟ ମୋତେ ଅଫର କରାଯାଇଥିଲା । କିନ୍ତୁ ସେସମୟ ‘ଭୋର’ର ସୁଟିଂ ଚାଲିଥିବା ହେତୁ ମୁଁ ତାହା କରି ପାରି ନ ଥିଲି ।
ପ୍ରଶ୍ନ: ଓଲିଉଡ୍‌ରେ ଆପଣଙ୍କୁ କ’ଣ ପାଇଁ ସୁଯୋଗ ମିଳିଲା ନାହିଁ ବୋଲି ଆପଣ ଭାବୁଛନ୍ତି?
ଉତ୍ତର: ମୋର ରଙ୍ଗ ଓ ଲୁକ୍‌ ପାଇଁ ମୋତେ ସୁୁଯୋଗ ମିଳିଲା ନାହିଁ । ଏଇ ଦୁଇଟି ଜିନିଷ ଓଡ଼ିଶାରେ ବହୁତ ଗୁରୁତ୍ୱ ରଖେ ।
ପ୍ରଶ୍ନ : ଆପଣଙ୍କର ସେଲିବ୍ରିଟି କ୍ରସ କିଏ?
ଉତ୍ତର: ଫିଲ୍ମ କବୀର ସିଂହ ଦେଖିବା ପରେ ଏବେ କିଆରା ଆଡ୍‌ଭାନୀ ମୋର କ୍ରସ ପାଲଟି ଯାଇଛନ୍ତି ।
ପ୍ରଶ୍ନ : ଫିଲ୍ମ ସହ ଆଉ କେଉଁ କାମ ଆପଣ କରନ୍ତି?
ଉତ୍ତର : ଫିଲ୍ମ ସହ ମୁଁ ବିଭିନ୍ନ ଫିଲ୍ମ ପାଇଁ କାଷ୍ଟିଂ କରେ । ଫିଲ୍ମ ‘ଗଟ୍ଟୁ’ ଓ ‘ସାଧୁ ବାସବାନୀ ମ୍ୟୁଜିୟମ’ ପାଇଁ କାଷ୍ଟିଂ ଡିରେକ୍ଟର ଭାବେ କାମ କରିବା ସହ ଫିଲ୍ମ ‘ଭାଗ୍‌ ମିଲ୍‌ଖା ଭାଗ୍‌’ ଓ ‘ଲାଇଫ୍‌ ଅଫ୍‌ ପାଏ’ ଭଳି ଫିଲ୍ମରେ ଆସିଷ୍ଟାଣ୍ଟ କାଷ୍ଟିଂ ଡିରେକ୍ଟର ଭାବେ କାମ କରିଛି ।
ପ୍ରଶ୍ନ: କେଉଁ ବଲିଉଡ୍‌ କଳାକାର ସହ ସ୍କ୍ରିନ୍‌ ସେୟାର କରିବାକୁ ଚାହୁଁଛନ୍ତି?
ଉତ୍ତର: ତାପ୍‌ସୀ ପନ୍ନୁ, ଅମିତାଭ ବଚ୍ଚନ, ଇର୍‌ଫାନ ଖାନ୍‌, ଶାହାରୁଖ୍‌ ଖାନ୍‌, ଦୀପିକା ପାଦୁକୋନ ଓ କଙ୍ଗନା ରାଣାଓ୍ଵତ୍‌ଙ୍କ ସହ ସ୍କ୍ରିନ୍‌ ସେୟାର କରିବାକୁ ଚାହୁଁଛି ।
ପ୍ରଶ୍ନ: ଆଗାମୀ ପ୍ରେଜେକ୍ଟ କ’ଣ ?
ଉତ୍ତର: ବର୍ତ୍ତମାନ ମୁଁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ବେହରୁପିଆ’ର ସୁଟିଂ ସାରିଛି । ଯାହା କିଛି ଦିନ ମଧ୍ୟରେ ଦର୍ଶକଙ୍କ ସାମ୍ନାକୁ ଆସିବ । ଏହା ସହ ଅନ୍ୟ ଦୁଇଟି ଫିଲ୍ମର ସୁଟିଂ ମୁଁ ଖୁବ୍‌ ଶୀଘ୍ର ଆରମ୍ଭ କରିବି । ଏାହାର ଟାଇଟେଲ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।

ସମ୍ବନ୍ଧିତ ଖବର