ପାନ ମସଲା ବିଜ୍ଞାପନ କରିବାକୁ ମନା କଲେ କେଜିଏଫ୍ ଷ୍ଟାର ୟଶ, କୋଟି କୋଟି ଟଙ୍କାର ଅଫରକୁ କଲେ ପ୍ରତ୍ୟାଖ୍ୟାନ
ନୂଆଦିଲ୍ଲୀ: ପାନ ମସଲା ବିଜ୍ଞାପନ କରିବାକୁ ମନା କଲେ କେଜିଏଫ ଷ୍ଟାର ୟଶ। କୋଟି କୋଟି ଟଙ୍କାର ଅଫରକୁ କଲେ ପ୍ରତ୍ୟାଖ୍ୟାନ। ବିମଲ ଇଲାଇଚିର ବିଜ୍ଞାପନ କରି ବିବାଦୀୟ ହୋଇପଡ଼ିଥିବା ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ପରେ ଏହି ବିଜ୍ଞାପନ କନ୍ନଡ ସୁପରଷ୍ଟାର ୟଶଙ୍କୁ ଅଫର କରାଯାଇଥିଲା। ହେଲେ ସେ ବିଜ୍ଞାପନ କରିବାକୁ ମନା କରିଦେଇଥିବା ଜଣାପଡ଼ିଛି। ଅକ୍ଷୟଙ୍କୁ କରାଯାଉଥିବା ଟ୍ରୋଲିଂକୁ ଦେଖି ୟଶ ପଛକୁ ହଟିଥିବା କୁହାଯାଉଛି।
ରିପୋର୍ଟ ଅନୁଯାୟୀ, ବିମଲ୍ ପାନ ମସାଲା ବ୍ରାଣ୍ଡ ପକ୍ଷରୁ ୟଶଙ୍କୁ କୋଟି କୋଟି ଟଙ୍କାର ଅଫର ଦିଆଯାଇଥିଲା। କିନ୍ତୁ କେଜିଏଫ ଷ୍ଟାର ବିଳମ୍ବ ନକରି ତୁରନ୍ତ ଏହି ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କରିଥିଲେ। ୟଶଙ୍କ ଏଣ୍ଡୋର୍ସମେଣ୍ଟ ଡିଲ୍ ପରିଚାଳନା କରୁଥିବା କମ୍ପାନି ଏକ୍ସିଡ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ଏହି ଖବର ନିଶ୍ଚିତ କରାଯାଇଛି। ଏହାର ମୁଖ୍ୟ ଅର୍ଜୁନ ବାନାର୍ଜୀ ଏକ ପ୍ରେସ ବିବୃତି ଜାରି କରି ଲେଖିଛନ୍ତି, ପାନ ମସଲା ଏବଂ ଏହିପରି ଦ୍ରବ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି। ଏହାର ପ୍ରଭାବ ସାଂଘାତିକ ହୋଇପାରେ। ବାସ୍ତବରେ, ଏହା ୟଶଙ୍କ ଦ୍ୱାରା ନିଆଯାଇଥିବା ଏକ ବଡ଼ ନିଷ୍ପତ୍ତି। ନିଜ ପ୍ରଶଂସକ ଏବଂ ତାଙ୍କ ଅନୁଗାମୀମାନଙ୍କ ସ୍ୱାର୍ଥକୁ ଆଖିରେ ରଖି ପାନ ମସଲା ବିଜ୍ଞାପନ କରିବାକୁ ମନା କରିଦେଇଛନ୍ତି ସେ।
ଏହା ପୂର୍ବରୁ ସମାଲୋଚିତ ହୋଇ ବିମଲ ପାନ ମସଲା ବିଜ୍ଞାପନରୁ ଓହରି ଯାଇଥିଲେ ଅକ୍ଷୟ କୁମାର। ସାମାଜିକ ଗଣମାଧ୍ୟମରେ ବିବୃତି ଜାରି କରିବା ସହିତ ପ୍ରଶଂସକମାନଙ୍କୁ କ୍ଷମା ମାଗି ଅକ୍ଷୟ କୁମାର କହିଥିଲେ, ମୁଁ ଦୁଃଖିତ। ମୋର ସମସ୍ତ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କୁ କ୍ଷମା ମାଗୁଛି। ଗତ ଅଳ୍ପ କିଛି ଦିନ ହେବ ଆପଣମାନଙ୍କର ପ୍ରତିକ୍ରିୟା ମୋତେ ଖୁବ୍ ବ୍ୟଥିତ କରିଛି। ମୁଁ ତମାଖୁ ସପକ୍ଷରେ ନାହିଁ କି, ରହିବ ନାହିଁ। ତେଣୁ, ‘ବିମଳ ଇଲାଇଚି’ ସହିତ ଥିବା ମୋର ସମ୍ପୃକ୍ତି ପ୍ରତି ଆପଣମାନଙ୍କୁ ପ୍ରତିକ୍ରିୟାକୁ ସମ୍ମାନ ଜଣାଉଛି। ସବୁ ଅପମାନ ସହ୍ୟ କରି ମୁଁ ସେଥିରୁ ଓହରି ଆସୁଛି। ସେ ବାବଦରେ ଉପାର୍ଜନ କରିଥିବା ସମସ୍ତ ଅର୍ଥ କୌଣସି ମହତ୍ କାର୍ଯ୍ୟ ପାଇଁ ଦାନ କରିବାକୁ ସ୍ଥିର କରିଛି। ମୋ ସହିତ ହୋଇଥିବା ଆଇନଗତ ରାଜିନାମାର ଅବସାନ ପର୍ଯ୍ୟନ୍ତ ଉକ୍ତ କମ୍ପାନି ମୋ ଅଭିନୀତ ବିଜ୍ଞାପନ ପ୍ରସାରଣ କରିପାରେ। କିନ୍ତୁ, ମୁଁ ପ୍ରତିଶ୍ରୁତି ଦେଉଛି ଭବିଷ୍ୟତରେ ଏଭଳି ଅବକାଶ ଆସିଲେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବି। ପ୍ରତିବଦଳରେ ମୁଁ ଆପଣଙ୍କର ସ୍ନେହ ଓ ସଦିଚ୍ଛା କାମନା କରୁଛି।