ପାରିବାରିକ ବ୍ୟବସାୟ ଛାଡ଼ି ଅଭିନୟକୁ ଆପଣାଇଲେ…

କେତେବେଳେ କେଉଁ ପରିସ୍ଥିତି କାହାକୁ କେଉଁ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଆକର୍ଷିତ କରୁଛି ତାହା ଭବିଷ୍ୟବାଣୀ କରିବା କଷ୍ଟକର। ଏକ ବ୍ୟବସାୟୀ ପରିବାରରେ ଜନ୍ମ ହୋଇ ପାରିବାରିକ ବାଣିଜ୍ୟ କାରବାର ବୁଝୁ ବୁଝୁ ଅଭିନେତ୍ରୀ ଅନୁପ୍ରିୟା ଗୋଏଙ୍କାଙ୍କ ଜୀବନରେ ସେମିତି ଏକ ପଟ ପରିବର୍ତ୍ତନ ଘଟିଛି। ମୁମ୍ବାଇରେ ରହିବା ଅବସରରେ କିଛି ବିଜ୍ଞାପନରେ କାମ କଲା ବେଳେ ଅଭିନୟ ପ୍ରତି ଆକର୍ଷିତ ହୋଇ ସେ ପାରିବାରିକ ବ୍ୟବସାୟରୁ ଏକରକମ ବିଦାୟ ନେଇଛନ୍ତି। ତେବେ ଅଭିନୟ ଜୀବନ ତାଙ୍କୁ ଏଭଳି ସୁହାଇଛି ଯେ ନଅ ବର୍ଷ ଭିତରେ ସେ ୯ଟି ହିନ୍ଦୀ ସିନେମା, ୨ଟି ତେଲୁଗୁ ସିନେମା ଓ ଗୋଟିଏ ପଞ୍ଜାବୀ/ହରିୟାଣୀ ଦ୍ବିଭାଷୀ ଚଳଚ୍ଚିତ୍ର ସମେତ ୧୧ଟି ଟିଭି ଧାରିବାହିକରେ ଅଭିନୟ କରିସାରିଲେଣି।

ଉତ୍ତରପ୍ରଦେଶର କାନପୁର ଠାରେ ୧୯୮୭ ମେ ୨୯ରେ ଏକ ମାରଵାଡ଼ି ବ୍ୟବସାୟୀ ପରିବାରରେ ଜନ୍ମ ନେଇଥିବା ଅନୁପ୍ରିୟା ବାଣିଜ୍ୟରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ତେବେ ମାଟ୍ରିକ୍‌ ପରୀକ୍ଷା ପରେ ପରେ ପିତାଙ୍କର କପଡ଼ା କାରବାରର ମାନ୍ଦାବସ୍ଥାକୁ ଲକ୍ଷ୍ୟ କରି ସେ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥିଲେ। ୨୦୦୯ରେ ସେମାନେ ସପରିବାର ମୁମ୍ବାଇ ପଳାଇ ଆସିବା ପରେ ଅନୁପ୍ରିୟା ସେଠାରେ ଅଭିନୟ ମାୟାରେ ଛନ୍ଦି ହୋଇଯାଇଥିଲେ। ପ୍ରଥମେ ସେ କିଛି ବିଜ୍ଞାପନରେ କାମ କରିବା ଆରମ୍ଭ କରିଥିଲେ। ଏଥି ସହିତ ବର୍ଷେ ଯାଏ ଟିଭି ଚ୍ୟାନେଲ ‘ସପ୍‌ସିଜେ’ ପାଇଁ ଜଣେ ଉତ୍ପାଦ ଉପସ୍ଥାପିକା ସାଜିଥିଲେ। ତେବେ ସେ ଲୋକଲୋଚନକୁ ଆସିଥିଲେ ୨୦୧୩ରେ ତତ୍କାଳୀନ ୟୁପିଏ ସରକାରଙ୍କ ‘ଭାରତ ନିର୍ମାଣ’ ବିଜ୍ଞାପନ ପ୍ରଚାରରେ। ସେହିବର୍ଷ ସେ ମଧ୍ୟ ତେଲୁଗୁ ଫିଲ୍ମ ‘ପୋଟୁଗାଦୁ’ରେ ଏକ ସଂକ୍ଷିପ୍ତ ଭୂମିକାରେ ଅବତୀର୍ଣ୍ଣ ହେବାର ସୁଯୋଗ ପାଇଥିଲେ। ପରେ ପରେ ହିନ୍ଦୀ ଫିଲ୍ମ ‘ବେବି ଜାସୁସ୍‌’ ଓ ‘ଢିସୁମ୍‌’ ସମେତ ଦ୍ବିତୀୟ ତେଲୁଗୁ ଫିଲ୍ମ ‘ପାଠଶାଳା’ରେ କ୍ଷୁଦ୍ର ଚରିତ୍ର ପାଇ ନିଜ ଅଭିନୟ ରଥକୁ ଆଗେଇ ନେଇଥିଲେ। ଦର୍ଶକଙ୍କ ମନରେ ପ୍ରଭାବ ଛାଡ଼ିବାରେ ସକ୍ଷମ ହୋଇଥିଲେ ୨୦୧୭ର ହିନ୍ଦୀ ସିନେମା ‘ଟାଇଗର ଜିନ୍ଦା ହୈ’ର ନର୍ସ ‘ପୂର୍ଣ୍ଣା’ ଭୂମିକା ମାଧ୍ୟମରେ।

ଏଥି ସହିତ ‘ଡାଡି’, ‘ସାର୍‌’, ‘ପଦ୍ମାବତ’ ଓ ‘ଵାର’ ଆଦି ହିନ୍ଦୀ ଫିଲ୍ମରେ ମଧ୍ୟ ସେ ଭିନ୍ନ ଚରିତ୍ର ନିର୍ବାହ କରି ନିଜକୁ ଅଭିନୟ ଜଗତ୍‌ରେ ଦୃଢ଼ କରିପାରିଥିଲେ। ସେହିପରି ‘ସାକ୍ରେଡ୍‌ ଗେମ୍‌ସ’, ‘ଦି ଫାଇନାଲ୍‌ କଲ’, ‘ଅଭୟ’, ‘ଆଶ୍ରମ’ ଓ ‘କ୍ରାଇମ୍‌ ନେକ୍‌ଷ୍ଟ ଡୋର୍‌’ ଆଦି ଟିଭି ଓ ୱେବ୍‌ ଧାରାବାହିକରେ ମଧ୍ୟ ସେ ନିଜର ଉପସ୍ଥିତି ଜାହିର କରିପାରିଥିଲେ। ଚଳିତ ବର୍ଷ ମୁକ୍ତିଲାଭ କରିଥିବା ହିନ୍ଦୀ ଫିଲ୍ମ ‘ମେରେ ଦେଶ କି ଧରତି’ରେ ତାଙ୍କର ‘ଝୁମ୍‌କି’ ଭୂମିକାକୁ ଦର୍ଶକ ଖୁବ୍‌ ଗ୍ରହଣ କରିଛନ୍ତି। ଜଣେ ମାନବପ୍ରେମୀ ଭାବରେ ବିଭିନ୍ନ ସଂଗଠନ ସହ ଜଡ଼ିତ ଥିବା ଅନୁପ୍ରିୟାଙ୍କୁ ଏଯାଏ ମନଲାଖି ଭୂମିକାଟିଏ ନମିଳିଲେ ହେଁ ସେ ନିଜ ଅଭିନୟରେ ସନ୍ତୁଷ୍ଟ ଥିବା ସ୍ବୀକାର କରନ୍ତି।

ସମ୍ବନ୍ଧିତ ଖବର