‘ରସ୍‌କେ କମର୍‌…’ ଗୀତରେ ଧୁମ୍‌ ମଚାଇଲେ ଓଡ଼ିଆ ପୁଅ ଋତୁରାଜ, ୟୁଟ୍ୟୁବ୍‌ ଭିୟୁ ୩.୨ ମିଲିୟନ୍‌ ଟପିଲା

ମୁମ୍ବାଇ: କିଛି ଗୀତ ଥାଏ ଯାହାକୁ ବିଭିନ୍ନ ଢଙ୍ଗରେ ବିଭିନ୍ନ କଣ୍ଠଶିଳ୍ପୀମାନେ ପରିବେଷଣ କରି ଶ୍ରୋତାଙ୍କ ମନ କିଣିଥାନ୍ତି। ଗୀତର ଧାଡ଼ି ସମାନ ରହେ, ହେଲେ ବଦଳି ଯାଏ ସଂଯୋଜନା ଆଉ କଣ୍ଠସ୍ୱର। ୟୁଟ୍ୟୁବ୍‌ରେ ବହୁ ଲୋକପ୍ରିୟତା ସାଉଁଟିଥିବା ଗୀତଗୁଡ଼ିକ ମଧ୍ୟରୁ ‘ତେରି ରସ୍‌କେ କମର୍‌…’ ଅନ୍ୟତମ। ଏହି ଗୀତଟିକୁ ବହୁ ଖ୍ୟାତାନାମା କଣ୍ଠଶିଳ୍ପୀ ଗାଇ ସାରିଛନ୍ତି। ଏହି ଗୀତଟିକୁ ଗାଇବାର ଲୋଭ ଓଡ଼ିଆ ପୁଅ ଋତୁରାଜ ମହାନ୍ତି ବି ସମ୍ବରଣ କରିପାରି ନାହାନ୍ତି। ସେ ଏହି ଗୀତଟିକୁ ତାଙ୍କର ନିଜସ୍ୱ ଅନ୍ଦାଜରେ ଗାଇ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି।

ଋତୁରାଜ ଗାଇଥିବା ଏହି ଗୀତଟିର ୟୁଟ୍ୟୁବ୍‌ ଭିୟୁ ୩.୨ ମିଲିୟନ୍‌ରୁ ଊର୍ଧ୍ୱ। ରୁଦ୍ର ମିଡିଆ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପ୍‌ଲୋଡ ହୋଇଥିବା ଏହି ଗୀତଟିରେ ପାଖାପାଖି ୨ ହଜାର କମେଣ୍ଟ ଦେଖିବାକୁ ମିଳିଛି। ଋତୁରାଜଙ୍କ କଣ୍ଠରେ ଥିବା ଏହି ପ୍ରସିଦ୍ଧ ଗୀତଟିକୁ ଏବେ ସୁଦ୍ଧା ୫୦ ହଜାର ଲୋକ ଲାଇକ୍‌ କରି ସାରିଲେଣି। ଗୀତଟିକୁ ୨୦୧୭ ମସିହା ନଭେମ୍ବର ୨୯ ତାରିଖରେ ଅପ୍‌ଲୋଡ କରାଯାଇଥିଲେ ବି ଦିନକୁ ଦିନ ଏହାର ଭିୟୁ ବଢ଼ିବାରେ ଲାଗିଛି।

କେବଳ ଋତୁରାଜ ନୁହନ୍ତି, ଏହି ଗୀତଟିକୁ ଫଦିଆ ସବ୍‌ରୋଜ ଗାଇବା ପରେ ଏହାର ଭିୟୁ ୨୦ ମିଲିୟନ୍‌ ଟପିଛି। ଋତୁରାଜଙ୍କ ପରେ ପରେ ଅଛନ୍ତି ରୋଜାଲିନ୍‌ ସାହୁ, ରାହୁଲ ବୈଦ୍ୟ, ଜେଫେରି ଇକ୍‌ବଲ୍‌, ୟୁମ୍‌ନା ଅଜିନ ଓ ବାବା ସେହଗଲ୍‌ ପ୍ରମୁଖ।

ସମ୍ବନ୍ଧିତ ଖବର