ଦିଲୀପ କୁମାରଙ୍କ ପରଲୋକରେ ଟ୍ବିଟ୍‌ କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଳୀ: ବର୍ଷୀୟାନ ବଲିଉଡ୍‌ ଅଭିନେତା ଦିଲୀପ କୁମାରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଏକ ଟ୍ବିଟ୍‌ କରି ପ୍ରକାଶ କରିଛନ୍ତି ଯେ ‘ଜଣେ ସିନେମା କିମ୍ବଦନ୍ତୀ ଭାବରେ ଦିଲୀପ କୁମାର ଜୀଙ୍କୁ ସ୍ମରଣ କରାଯିବ। ସେ ଅପୂର୍ବ ଉଜ୍ଜ୍ବଳ ବ୍ୟକ୍ତିତ୍ବର ଆଶୀର୍ବାଦ ଲାଭ କରିଥିଲେ। ଯେଉଁଥି ପାଇଁ ପିଢ଼ି ପରେ ପିଢ଼ି ତାଙ୍କୁ ଦର୍ଶକ ମନେ ରଖି ଚାଲିଲେ। ତାଙ୍କର ଦେହାନ୍ତ ଆମ ସାଂସ୍କୃତିକ ଦୁନିଆ ପାଇଁ ଏକ କ୍ଷତି। ତାଙ୍କ ପରିବାର, ବନ୍ଧୁ ଏବଂ ଅସଂଖ୍ୟ ପ୍ରଶଂସକଙ୍କୁ ସମବେଦନା। ଆତ୍ମାର ସଦ୍‌ଗତି ହେଉ।’

ଉଲ୍ଲେଖଯୋଗ୍ୟ, ଆଜି(ବୁଧବାର) ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହତ୍ୟାଗ କରିଛନ୍ତି ବଲିଉଡ୍‌ର ବର୍ଷୀୟାନ ଅଭିନେତା ଦିଲୀପ କୁମାର। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ପୂର୍ବରୁ ତାଙ୍କ ଶ୍ବାସକ୍ରିୟାରେ ସମସ୍ୟା ଉପୁଜିବା ହେତୁ ଜୁନ୍‌ ୨୯ ତାରିଖରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଜୁନ୍‌ ୩୦ ତାରିଖରେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲ୍‌ ଆଇସିୟୁରେ ରଖା ଯାଇଥିଲା। ଚିକିତ୍ସା କାଳ‌ରେ ତାଙ୍କ ପତ୍ନୀ ସାଇରା ବାନୁ ତାଙ୍କ ପାଖେପାଖେ ରହିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ପ୍ରଶଂସକଙ୍କୁ ସୂଚନା ଦେଇ ଆସୁଥିଲେ। ଶେଷରେ ସେ ଆଜି ସକାଳ ୭.୩୦ ସମୟରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ସମ୍ବନ୍ଧିତ ଖବର