ଚର୍ଚ୍ଚାରେ ନୂଆ ଓଡ଼ିଆ ୱେବ୍‌ ସିରିଜ୍ ‘ଏକ୍ସପୋଜ୍’

ଭୁବନେଶ୍ବର: ଚର୍ଚ୍ଚାରେ ନୂଆ ଓଡ଼ିଆ ୱେବ୍‌ ସିରିଜ୍ ‘ଏକ୍ସପୋଜ୍’। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ସୋମେଶ ମହାନ୍ତି ଓ ମେଘନା ମିଶ୍ର। କାବ୍ୟା କିରଣ, ବିକ୍ରମ କେଶରୀ ମହାନ୍ତି, ଶକ୍ତି ବରାଳ, ସୁକାନ୍ତ ରଥ, ଚୌଧୁରୀ ଜୟ ପ୍ରକାଶ ଦାସ ପ୍ରଭୃତି କାହାଣୀର ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି। ଏହି ମଲ୍ଟିଷ୍ଟାରର୍ ୱେବ୍‌ ସିରିଜ୍‌ର ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଜୟ ପାଢ଼ୀ। ଏଥିରେ ଅର୍ଚ୍ଚନା ଦାମହେ କାହାଣୀ ପରିକଳ୍ପନା ସହ ଓ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି। ସଂଳାପ ଲେଖିଛନ୍ତି ଅଭିପ୍‌ସା। ପ୍ରଯୋଜନା କରିଛନ୍ତି ବିଜୟ କାଣ୍ଡୋଇ।

ପୂର୍ବରୁ ଅଜୟଙ୍କ ନିର୍ଦ୍ଦେଶିତ ୱେବ୍ ସିରିଜ୍ ‘୭୨ ଘଣ୍ଟା’ ଚିତ୍ରଟି ଓଡ଼ିଆ ଦର୍ଶକଙ୍କ ଦ୍ବାରା ବେଶ୍ ପ୍ରଶଂସିତ ହେଇଛି। ସଭ୍ୟ ସମାଜରେ ସବୁବେଳେ ସତ ମିଛର ପାପପୁଣ୍ୟର ସଚ୍ଚୋଟ ଓ ବେଇମାନିର ଯୁଦ୍ଧ ଚାଲିଥାଏ। ଏହି ଯୁଦ୍ଧରେ ଯୋଦ୍ଧା ସାଜି ଜଣେ ସଚ୍ଚୋଟ ସାମ୍ୱାଦିକ ସମାଜର ରଣ ଭୂଇଁରେ ନିଜ ଜୀବନକୁ ବାଜି ଲଗାଇଛନ୍ତି। ଅସାଧୁ ଓ ଭ୍ରଷ୍ଟାଚାରୀଙ୍କ ବିରୋଧରେ ଲଢ଼େଇ କରୁଛନ୍ତି। ସମାଜର ବଡପଣ୍ଡାମାନଙ୍କ ବିରୋଧରେ ଲଢ଼େଇ କରି ସେ କିପରି ନିଜର ଲକ୍ଷ୍ୟ ହାସଲ କରୁଛନ୍ତି, ସେଇ ରହସ୍ୟମୟ କାହାଣୀକୁ ସର୍ବସାଧାରଣଙ୍କ ସାମ୍‌ନାରେ ଏକ୍ସପୋଜ୍ କରୁଛନ୍ତି। ଏଭଳି ବିଷୟବସ୍ତୁକୁ ନେଇ ସିନେମାର କାହାଣୀ ଗତିଶୀଳ ହେଉଛି। ‘ଏକ୍ସପୋଜ୍’ର ଟ୍ରେଲର୍ ସୋସିଆଲ ମିଡିଆରେ ଦର୍ଶକଙ୍କୁ ଉତ୍ସାହିତ କରୁଛି। କଞ୍ଚାଲଙ୍କା ଓଟିଟି ପ୍ଲାଟ୍‌ଫର୍ମରେ ଷ୍ଟ୍ରିମିଙ୍ଗ୍‌ ହେଉଥିବା ‘ଏକ୍ସପୋଜ୍’ ମାଧ୍ୟମରେ ଉକ୍ତ ଡିଜିଟାଲ୍ ମିଡିଆ ଓଡ଼ିଶା ମନୋରଂଜନ ଜଗତରେ ଏକ ବେଞ୍ଚମାର୍କ ତିଆରି କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର