ସମସାମୟିକ ନାୟିକାମାନଙ୍କଠାରୁ ପଛରେ ପଡ଼ିଯାଇଛନ୍ତି ସନମୀରା!

ଭୁବନେଶ୍ବର: ଶିଶୁ କଳାକାରରୁ ନାୟିକା ବନିଥିବା ସନମୀରା ତାଙ୍କର ସମସାମୟିକ ନାୟିକାମାନଙ୍କ ତୁଳନାରେ ପଛରେ ପଡ଼ିଯାଇଛନ୍ତି। ଶିଶୁ କଳାକାରରୁ ନାୟିକା ବନିଥିବା ଭୂମିକା, ଶିବାନୀ ଏବେ ସଫଳତା ଓ ଲୋକପ୍ରିୟତା ହାରରେ ସନମୀରାଙ୍କ ଠାରୁ ଆଗରେ। ତେବେ ସେ ଯାହା ହେଉନା କାହିଁକି, ଇତିମଧ୍ୟରେ ମାତ୍ର ତିନିଟି ଓଡ଼ିଆ ଚଳଚ୍ଚିତ୍ରରେ ନାୟିକା ଭାବେ ପରଦାକୁ ଆସିଛନ୍ତି ସନମୀରା।

ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ସପନର ପଥେ ପଥେ’। ଏଥିରେ ତାଙ୍କର ନାୟକ ବନିଥିଲେ ଅମ୍ଳାନ। ଏହାପରେ ସନମୀରା ସ୍ୱରାଜଙ୍କ ବିପକ୍ଷରେ ‘ଲୈଲା ଓ ଲୈଲା’ରେ ନଜର ଆସିଥିଲେ।ଏହି ସିନେମାରେ ଉଚ୍ଚକୋଟିର ଅଭିନୟ କରି ସନମୀରା ପାଇଥିଲେ ଶ୍ରେଷ୍ଠ ଅଭିନେତ୍ରୀଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ସନମୀରାଙ୍କ ତୃତୀୟ ଓଡ଼ିଆ ସିନେମା ହେଲା ‘ଲୋକାଲ୍ ଟୋକା ଲଭ୍ ଚୋଖା’। ପ୍ରଦ୍ୟୁମ୍ନ ଲେଙ୍କା ଓ ଡ଼ି.ପି.ଖଣ୍ଡେଲଓ୍ଵାଲଙ୍କ ପ୍ରଯୋଜିତ ଏହି ଓଡ଼ିଆ ସିନେମାର ନିର୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ ।

ଏହି ସିନେମାପରେ ସେ ଆଉ ଏକ ଓଡ଼ିଆ ସିନେମା ଲାଗି ଚୁକ୍ତବଦ୍ଧ ହୋଇଥିଲେ। ଏଥିରେ ଦର୍ଶକ ତାଙ୍କୁ ଜଣାଶୁଣା ନାୟକ ଜ୍ୟୋତିଙ୍କ ବିପକ୍ଷରେ ଦେଖିବାକୁ ପାଇଥାନ୍ତେ, ହେଲେ ତାହାର କାମ ଅଟକି ରହିଛି। ଏଠାରେ ଯେଉଁ ସିନେମା କଥା କୁହାଯାଉଛି ତାର ନିର୍ଦେଶକ ଥିଲେ ଏନ୍ ପାଢ଼ୀ। ଜ୍ୟୋତି ନିୟମିତଭାବେ ସିନେମାରେ କାମ କରୁଛନ୍ତି ,ହେଲେ ସନମୀରାଙ୍କ କ୍ଷେତ୍ରରେ ତାହା ଘଟୁନାହିଁ । ଏବେ ପ୍ରଶ୍ନ ଉଠୁଛି ଯେ କେବେ ପୁଣି ସନମୀରାଙ୍କ ସହ ଜ୍ୟୋତି ବଡ଼ ପରଦାରେ ନଜର ଆସିବେ।

ସମ୍ବନ୍ଧିତ ଖବର