କେବଳ ଗୋଟିଏ ସିନେମାରେ ଏକାଠି ଆସିଛନ୍ତି ଓଲିଉଡର ତିନି ଟପ୍‌ ହିରୋ

ଭୁବନେଶ୍ୱର: ଓଲିଉଡ୍‌ର ତିନି ଆଗଧାଡ଼ିର ନାୟକ ହେଲେ ସିଦ୍ଧାନ୍ତ ମହାପାତ୍ର,ଅନୁଭବ ମହାନ୍ତି ଏବଂ ଅରିନ୍ଦମ୍‌ ରାୟ। ଏ ଦୁଇ ନାୟକ ଅନୁଭବ ଏବଂ ଅରିନ୍ଦମଙ୍କୁୁ ମଧ୍ୟ ସମାନ ପ୍ରଯୋଜନା ସଂସ୍ଥା ଲଞ୍ଚ୍‌ କରିଥିଲେ। ବ୍ରଜରାଜ ମୁଭିଜ୍‌ ଅନୁଭବଙ୍କୁ ‘ଆଇ ଲଭ ୟୁ’ରେ ଲଞ୍ଚ କରିଥିଲେ ଏବଂ ଅରିନ୍ଦମ୍‌ଙ୍କୁ ବ୍ରେକ୍‌ ମିଳିଥିଲା ‘ପ୍ରେମଋତୁ ଆସିଲାରେ’ ଛବିରେ । ଏଥିମଧ୍ୟରୁ ପ୍ରଥମଟି ୨୦୦୪ରେ ରିଲିଜ୍‌ ହୋଇଥିବା ବେଳେ ଦ୍ୱିତୀୟଟି ୨୦୦୬ରେ ପରଦାକୁ ଆସିଥିଲା।

ଅରିନ୍ଦମ୍‌ଙ୍କ ପ୍ରଥମ ସିନେମା ‘ପ୍ରେମ ଋତୁ ଆସିଲାରେ’ ରିଲିଜ୍‌ ହେବା ପରେ ତାଙ୍କୁ ଅନୁଭବଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଚିତ୍ରିତ କରାଗଲା। ଆଉ ଅରିନ୍ଦମ୍‌ ମଧ୍ୟ ଅନେକାଂଶରେ ତାହା କରି ଦେଖାଇଥିଲେ। ହେଲେ ପ୍ରାଥମିକ ପର୍ଯ୍ୟାୟରେ ଏ ଦୁଇ ଟପ୍‌ଷ୍ଟାର୍‌ଙ୍କୁ ଏକାଠି ଗୋଟିଏ ସିନେମାରେ ଆଣିବା ଲାଗି କେହି ସାହସ କରିପାରୁ ନଥିଲେ। ଠିକ୍‌ ସେହିପରି ଏ ଦୁଇ ନାୟକଙ୍କ ସହ ସିଦ୍ଧାନ୍ତଙ୍କୁ ମିଶାଇ ଏକ ତିନି ହିରୋ ଥିବା ସିନେମା ନିର୍ମାଣ କରିବାର ସାହସ କେହି କରି ପାରି ନଥିଲେ। ତେବେ ସୋ’ମ୍ୟାନ୍‌ ପ୍ରଶାନ୍ତ ନନ୍ଦ ଏହି କାର୍ଯ୍ୟଟିକୁ ସାଧନ କରିବାରେ ସଫଳ ହୋଇଥିଲେ।

ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ମଲଟିଷ୍ଟାରର ଫିଲ୍ମ ‘କାଳୀଶଙ୍କର’ରେ ପ୍ରଥମ ଓ ଅନ୍ତିମଥର ଲାଗି ସିଦ୍ଧାନ୍ତ,ଅନୁଭବ ଓ ଅରିନ୍ଦମ୍‌ ଏକାଠି ନଜର ଆସିଛନ୍ତି। ୨୦୦୭ରେ ମୁକ୍ତିପ୍ରାପ୍ତ ଏହି ଫିଲ୍ମରେ ସିଦ୍ଧାନ୍ତଙ୍କୁ ଏହି ସିନେମାରେ କାଳୀ ଚରିତ୍ରରେ ଦେଖିବାକୁ ପାଇଥିଲେ ଦର୍ଶକ। ଅପର ପକ୍ଷରେ ଅନୁଭବଙ୍କୁ ଜଣେ ଗୁଣ୍ଡା ଶ୍ରେଣୀୟ ଯୁବକ ଭୂମିକାରେ ଦେଖିବାକୁ ମିଳିଥିବା ବେେଳେ ଅରିନ୍ଦମ୍‌ଙ୍କ ଚରିତ୍ରଟି ଥିଲା ଜଣେ ପୁଲିସ ଇନ୍‌ସ୍ପେକ୍ଟରର। ‘କାଳୀଶଙ୍କର’ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ,ଅନୁଭବଙ୍କ ବିପକ୍ଷରେ ସ୍ୱସ୍ତିକା ଅଭିନୟ କରିଥିବା ବେଳେ ଅରିନ୍ଦମ୍‌ଙ୍କ ନାୟିକା ବନିଥିଲେ ମେଘନା ମିଶ୍ର। ଏହା ଅବଶ୍ୟ ଭିନ୍ନ କଥା ଯେ ‘କାଳୀଶଙ୍କର’ ଥିଲା ଏକ ଦ୍ୱିଭାଷୀ ସିନେମା ଯାହାର ଓଡ଼ିଆ ଭର୍ସନରେ ଏମାନେ ଥିଲେ। ଏହାପରେ ଉଭୟ ସିଦ୍ଧାନ୍ତ ଏବଂ ଅନୁଭବଙ୍କୁ କେତୋଟି ସିନେମାରେ ଏବଂ ସିଦ୍ଧାନ୍ତ ଓ ଅରିନ୍ଦମଙ୍କୁ ବି ଏକାଠି ଦେଖିବାକୁ ପାଇଛନ୍ତି ଦର୍ଶକ।

ସମ୍ବନ୍ଧିତ ଖବର