ସଂଶୋଧିତ ଆୟକର ରିଟର୍ଣ୍ଣର ଖୋଳତାଡ଼ ହେବ

କଳାଟଙ୍କା ଧରିବେ ସରକାର, ଧରାପଡ଼ିଲେ ଅଧିକ ଟିକସ ଆଦାୟ

ମୁମ୍ବାଇ : ଗତବର୍ଷ ବିମୁଦ୍ରାକରଣ ପରେ ହଜାର ହଜାର ବ୍ୟକ୍ତି ସେମାନଙ୍କ ଲୁକ୍କାୟିତ ଅର୍ଥକୁ ବ୍ୟାଙ୍କରେ ଜମା କରିଥିଲେ। ଏହି ଟଙ୍କାକୁ ବ୍ୟାଙ୍କରେ ଜମା କରିବା ପରେ ଅନେକ ବ୍ୟକ୍ତି ସଂଶୋଧିତ ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ। ଜମାକାରୀମାନେ ସେମାନଙ୍କ ବ୍ୟାଙ୍କ ଖାତାରେ ଯେଉଁ ଅର୍ଥ ଜମା କରିଥିଲେ ସେଥିରୁ ୩୦ ପ୍ରତିଶତ ହିସାବରେ ଟିକସ ଦେଇଥିଲେ।

ଜମାକାରୀମାନେ ବିଶ୍ୱାସ କରିଥିଲେ ସଂଶୋଧିତ ଆୟକର ରିଟର୍ଣ୍ଣ ଦାଖଲ କରି ୩୦ ପ୍ରତିଶତ ହାରରେ ଟିକସ ଦେଇଦେଲେ ସେମାନେ ଆୟକର ଅଧିକାରୀଙ୍କ ନଜରକୁ ଆସିବେ ନାହିଁ। କିନ୍ତୁ ଏବେ ସେମାନଙ୍କ ପ୍ରତି ବିପଦ ଦେଖାଦେଇଛି। ଶୁକ୍ରବାର ସରକାର ଆୟକର ବିଭାଗର ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି ଯେ ଯେଉଁଠି ସଂଶୋଧିତ ଆୟକର ରିଟର୍ଣ୍ଣରେ ପୂର୍ବରୁ ତ୍ରୁଟି ହୋଇଥିବା ହୃଦବୋଧ ହେଉଛି କେବଳ ତାହାକୁ ଗ୍ରହଣ କର। ଅନ୍ୟ ଗୁଡ଼ିକୁ ଗ୍ରହଣ କରନାହିଁ। ଆୟକର ବିଭାଗର ତଦନ୍ତ ପରେ ଯଦି ଜଣାପଡ଼େ ଯେ ସଂଶୋଧିତ ରିଟର୍ଣ୍ଣ ଦାଖଲ କରିଥିବା ବ୍ୟକ୍ତି ସେମାନଙ୍କ କଳାଧନକୁ ଧଳାକରିବା ପାଇଁ ସନ୍ଦିଗ୍ଧ କାରବାର କରିଛନ୍ତି ତାହେଲେ ତାଙ୍କଠାରୁ ଆଇନ ଅନୁଯାୟୀ ଯଥେଷ୍ଟ ଅଧିକ ହାରରେ ଟିକସ ଆଦାୟ କରାଯିବ।

ବିମୁଦ୍ରାକରଣ ପରେ ୯୯ ପ୍ରତିଶତ ଅଚଳ ନୋଟ୍‌ ବ୍ୟାଙ୍କରେ ଜମା ହୋଇଯାଇଛି। ଅର୍ଥନୀତିରୁ ଯେତିକି କଳାଟଙ୍କା ମିଳିବ ବୋଲି ସରକାର ଆଶା ରଖିଥିଲେ ତାହା ମିଳିନାହିଁ। ଫଳରେ ବିମୁଦ୍ରାକରଣର ସଫଳତା ଆୟକର ବିଭାଗର ଅଧିକାରୀଙ୍କ ଦକ୍ଷତା ଉପରେ ନିର୍ଭର କରୁଛି ବୋଲି ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିଲୀପ ଲଖାନି କହିଛନ୍ତି।

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ନିର୍ଦେଶକ ରୋହିତ ଗର୍ଗ ଦେଶର ସମସ୍ତ ପ୍ରମୁଖ ମୁଖ୍ୟ ଆୟକର ଆୟୁକ୍ତମାନଙ୍କୁ ଏକ ଇ-ମେଲ୍‌ ପଠାଇଛନ୍ତି। ସଂଶୋଧିତ ଆୟକର ରିଟର୍ଣ୍ଣର ଯାଞ୍ଚ କରିବା ବେଳେ କେଉଁସବୁ ପ୍ରମୁଖ ବିଷୟକୁ ଆୟକର ଅଧିକାରୀମାନେ ଧ୍ୟାନ ଦେବେ ସେ ବିଷୟ ଏଥିରେ ଉଲ୍ଲେଖ ରହିଛି। ପ୍ରଥମେ ଦାଖଲ କରିଥିବା ଆୟକର ରିଟର୍ଣ୍ଣରେ କ୍ଲୋଜିଂ ଷ୍ଟକ୍‌ କେତେ ଥିଲା ଏବଂ ସଂଶୋଧିତ ରିଟର୍ଣ୍ଣରେ କ୍ଲୋଜିଂ ଷ୍ଟକ୍‌ କେତେ ରହିଛି ତାହାକୁ ଦେଖିବାକୁ କୁହାଯାଇଛି। ଯଦି ଜଣେ ବ୍ୟକ୍ତି ତାଙ୍କ କଳାଟଙ୍କାକୁ ଧଳା କରିଥିବେ ତାହେଲେ ସେ ତାଙ୍କର କ୍ଲୋଜିଂ ଷ୍ଟକ୍‌ କମ୍‌ ଏବଂ ବିକ୍ରି ଅଧିକ ଦେଖାଇଥିବେ। ଏତଦ୍‌ବ୍ୟତୀତ ହାତରେ ଅଧିକ ଅର୍ଥ ରହିଥିବା ବିଷୟ ମଧ୍ୟ ସଂଶୋଧିତ ରିଟର୍ଣ୍ଣରେ ଦର୍ଶାଯାଇ ଥାଇପାରେ। ସେହିଭଳି ଅନ୍ୟାନ୍ୟ କେତେକ ପନ୍ଥାକୁ ଅବଲମ୍ବନ କରି ସଂଶୋଧିତ ଆୟକର ରିଟର୍ଣ୍ଣ ଦାଖଲକାରୀମାନେ ମଧ୍ୟ ସେମାନଙ୍କ କଳାଟଙ୍କାକୁ ଧଳା କରିବାର ପ୍ରଚେଷ୍ଟା କରିଥିବେ। ଯଦି ଆୟକର ଅଧିକାରୀମାନେ ଏସବୁ ବ୍ୟତିକ୍ରମ ସଂଶୋଧିତ ଆୟକର ରିଟର୍ଣ୍ଣରେ ଦେଖିବାକୁ ପାଆନ୍ତି ତାହେଲେ ସେଗୁଡ଼ିକର ସତ୍ୟାସତ୍ୟ ଯାଞ୍ଚ କରିବେ। ଏହାକୁ ବିଭିନ୍ନ ଉପାୟରେ ଯାଞ୍ଚ କରାଯାଇ ପାରିବ ବୋଲି କୁହାଯାଇଛି। ଉଦାହରଣ ସ୍ୱରୂପ ବ୍ୟବସାୟୀଙ୍କ କ୍ଷେତ୍ରରେ ସଂଶୋଧିତ ରିଟର୍ଣ୍ଣ ଦାଖଲରେ ଦର୍ଶାଯାଇଥିବା ଆୟ ସହିତ ସଂପୃକ୍ତ ବ୍ୟକ୍ତି ପ୍ରଦାନ କରିଥିବା କେନ୍ଦ୍ରୀୟ ଉତ୍ପାଦ/ଭାଟ୍‌ ରିଟର୍ଣ୍ଣକୁ ମିଳାଯାଇ ପାରିବ। ବ୍ୟବସାୟୀଙ୍କୁ ଅର୍ଥ ପ୍ରଦାନ କରି ଯେଉଁ ବ୍ୟକ୍ତିମାନେ ସାମଗ୍ରୀ କ୍ରୟ କରିଛନ୍ତି ସେମାନଙ୍କର ବିଶ୍ୱସନୀୟତା ମଧ୍ୟ ଦେଖାଯାଇ ପାରିବ।

କାହାକୁ ମିଳେ ସଂଶୋଧିତ ରିଟର୍ଣ୍ଣ ଦାଖଲ ସୁବିଧା

ଆୟକର ଆଇନ ଅନୁଯାୟୀ, ଯଦି ଜଣେ ଟିକସଦାତା ରିଟର୍ଣ୍ଣ ଫାଇଲ କରିବା ପରେ ଜାଣିବାକୁ ପାଆନ୍ତି ଯେ ସେ କିଛି ଛାଡ଼ି ଦେଇଛନ୍ତି ବା ଭୁଲ ତଥ୍ୟ ଦେଇଛନ୍ତି ତାହେଲେ ତାଙ୍କୁ ସଂଶୋଧିତ ଆୟକର ରିଟର୍ଣ୍ଣ ଦାଖଲ କରିବା ସୁଯୋଗ ମିଳିଥାଏ। ଆୟକର ଆଇନର ଧାରା ୧୩୯(୫) ଅଧୀନରେ ଏହି ସଂଶୋଧିତ ରିଟର୍ଣ୍ଣ ଦାଖଲ ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର