ଅମ୍ବାନୀ ପରିବାରର ଭାବୀ ବୋହୂ ରାଧିକା

ଅମ୍ବାନୀ ପରିବାର ଦ୍ବାରା ଆୟୋଜିତ ଅନେକ ଉତ୍ସବରେ ସେ ଦେଖା ଦେଇଆସିଛନ୍ତି। ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ କନିଷ୍ଠ ପୁତ୍ର ଅନନ୍ତ ଅମ୍ବାନୀଙ୍କ ସହିତ ଗୋପନରେ ତାଙ୍କର ନିର୍ବନ୍ଧ ହୋଇସାରିଥିବା ଶୁଣିବାକୁ ମିଳୁଛି। ନିକଟରେ ମହାଡ଼ମ୍ବରରେ ତାଙ୍କର ‘ଅରଙ୍ଗେତ୍ରମ୍‌’ ସମାରୋହ ସମ୍ପନ୍ନ ହେବା ପରେ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ହେଉଛନ୍ତି ୨୪ ବର୍ଷୀୟା ରାଧିକା ମର୍ଚାଣ୍ଟ। ୧୯୯୪ ଡିସେମ୍ବର ୧୮ରେ ରାଧିକା ଏକ ଗୁଜରାଟୀ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ପିତା ବୀରେନ ମର୍ଚାଣ୍ଟ ମଧ୍ୟ ଜଣେ ଅର୍ବପତି ବ୍ୟବସାୟୀ। ମୁମ୍ବାଇରେ ସ୍କୁଲ୍ ଓ ଡିପ୍ଲୋମା ଶିକ୍ଷା ସରିବା ପରେ ସେ ନ୍ୟୁୟର୍କ ୟୁନିଭର୍ସିଟିରୁ ରାଜନୀତି ବିଜ୍ଞାନ ଓ ଅର୍ଥନୀତିରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଏହା ପରେ ଭାରତ ଫେରି ଏକ ରିୟଲ ଇଷ୍ଟେଟ୍ କମ୍ପାନିରେ ଚାକିରି ଆରମ୍ଭ କରିଥିଲେ। ସେ ଛୋଟ ବେଳୁ ଅନନ୍ତ ଅମ୍ବାନୀଙ୍କର ବନ୍ଧୁ ରହିଆସିଛନ୍ତି। ନୀତା ଅମ୍ବାନୀ ଓ ତାଙ୍କ ଝିଅ ଈଶାଙ୍କ ସହିତ ମଧ୍ୟ ସେ ଘନିଷ୍ଠ। ସେ ଜଣେ ପଶୁପ୍ରେମୀ ଏବଂ ଅବସର ସମୟରେ ବହି ପଢ଼ିବା, ପହଁରିବା ଓ ପାହାଡ଼ ଚଢ଼ିବା ତାଙ୍କର ସବୁଠାରୁ ଅଧିକ ପସନ୍ଦ। ସେ ଗତ ଆଠ ବର୍ଷ ହେଲା ଭରତନାଟ୍ୟମ ନୃତ୍ୟର ପ୍ରଶିକ୍ଷଣ ନେଉଥିଲେ।

ଓଡ଼ିଶୀ ଶିଖିବା ପରେ ନୃତ୍ୟାଙ୍ଗନାମାନେ ଯେମିତି ‘ମଞ୍ଚ ପ୍ରବେଶ’ କରିଥାନ୍ତି ଏବଂ କଥକ ଶିଖିବା ପରେ ‘ରଙ୍ଗପ୍ରବେଶ’ର ବିଧି ରହିଛି ଠିକ୍ ସେହିପରି ଭରତନାଟ୍ୟମ ପ୍ରଶିକ୍ଷଣ ସରିବା ପରେ ‘ଅରଙ୍ଗେତ୍ରମ’ ବା ମଞ୍ଚରେ ପଦାର୍ପଣ ଉତ୍ସବ ହୋଇଥାଏ। ଏଥିରେ ବିବାହ ଅନୁରୂପ ଆୟୋଜନ କରାଯାଇ ପରିବାରବର୍ଗ ଓ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରିତ କରାଯାଇଥାଏ। ରାଧିକାଙ୍କର ଏହି ଉତ୍ସବ ପାଇଁ ସ୍ବତନ୍ତ୍ର ଆୟୋଜନ କରିଥିଲେ ମୁକେଶ ଓ ନୀତା ଅମ୍ବାନୀ। ଗତ ରବିବାର ଦିନ ମୁମ୍ବାଇ ସ୍ଥିତ ଜିଓ ଵାର୍ଲଡ୍‌ ସେଣ୍ଟର୍‌ର ଗ୍ରାଣ୍ଡ୍‌ ଥିଏଟର୍‌ରେ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଆମିର ଖାନ, ସଲମାନ ଖାନ, ରଣବୀର ସିଂହ ପ୍ରମୁଖ ବଲିଉଡ୍‌ ସେଲିବ୍ରିଟିମାନେ ଦର୍ଶକ ରୂପେ ଉପସ୍ଥିତ ଥିଲେ। ଏଥି ସହିତ ରାଧିକା ଜଣେ ଭରତନାଟ୍ୟମ ନୃତ୍ୟାଙ୍ଗନାର ସ୍ବୀକୃତି ପାଇଛନ୍ତି। ନୀତାଙ୍କ ପରେ ରାଧିକା ଅମ୍ବାନୀ ପରିବାରର ଦ୍ବିତୀୟ ଭରତନାଟ୍ୟମ ପ୍ରଶିକ୍ଷିତା ସଦସ୍ୟା ହେବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର