ଘରକୁ ଫେରାଇବା ନୁ‌ହେଁ, ଏବେ ନିଃସହାୟଙ୍କୁ ଘର ଯୋଗାଇବା ଲାଗି ଅଣ୍ଟା ଭିଡ଼ିଛନ୍ତି ସୋନୁ ସୁଦ୍‌

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀମାନଙ୍କୁ ସେମାନଙ୍କ ଘରକୁ ଫେରାଇ ରିଲ୍‌ରୁ ରିୟଲ୍‌ ହିରୋ ପାଲଟି ଯାଇଛନ୍ତି ଅଭିନେତା ସୋନୁ ସୁଦ୍‌। ସୋନୁଙ୍କ ଏହି ବଡ଼ପଣ ପରେ ତାଙ୍କୁ ବିଭିନ୍ନ ଆଡୁ ପ୍ରଶଂସା ମଧ୍ୟ ମିଳି ସାରିଛି। ପ୍ରଶଂସକମାନେ ଭିନ୍ନ ଭିନ୍ନ ଉପାୟରେ ସୋନୁଙ୍କୁ ‌ସେମାନଙ୍କ କୃତଜ୍ଞତା ଜ୍ଞାପନ କରିବାରେ ଲାଗିଛନ୍ତି।

ସୋନୁ ଏବେ ଖାଲି ଲୋକଙ୍କୁ ଘରେ ପହଞ୍ଚାଇବା କଥା ଚିନ୍ତା କରୁନାହାନ୍ତି ବରଂ ଲୋକଙ୍କୁ ଘର ଯୋଗାଇବା ଲାଗି ଉଦ୍ୟମ ଆରମ୍ଭ କଲେଣି। ଜାଣିବାକୁ ମିଳିଛି ଯେ ଖୁବ୍ ଶୀଘ୍ର ସୋନୁ ଜଣେ ବାସହରା ମହିଳା ଓ ତାଙ୍କ ପିଲାଙ୍କ ପାଇଁ ଘର ତିଆରିବା ପାଇଁ ଚିନ୍ତା କରୁଛନ୍ତି।

ସେ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଏକ ଫଟୋ ସେୟାର୍‌ କରିଛନ୍ତି। ଫଟୋରେ ଜଣେ ମହିଳା ତଳେ ଶୋଇଛନ୍ତି ଓ ତାଙ୍କ ଦୁଇ ପାଖରେ ତାଙ୍କର ଦୁଇ ପିଲାଙ୍କୁ ଦେଖିବାକୁ ମିଳିଛି। ସେହି ଫଟୋଟିକୁ ଟ୍ବିଟର୍‌ରେ ସେୟ‌ାର୍‌ କରି ସୋନୁ ଲେଖିଛନ୍ତି, ‘କାଲି ଏହି ପରିବାରର ଏକ ଘର ହେବ। ଏହି ପିଲାମାନଙ୍କୁ ଛାତଟିଏ ନିଶ୍ଚୟ ମିଳିବ।’

ସୋନୁଙ୍କୁ ଟ୍ୟାଗ୍‌ କରି ଅଙ୍କିତା ରାଜଗଡ଼ିଆ ନାମ୍ନୀ ଜଣେ ଟ୍ବିଟର୍‌ ବ୍ୟବହାରକାରୀ ଲେଖିଥିଲେ କି‘ ‌ଏହି ମହିିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଛି। ସେ ଯେଉଁ ଘରେ ରହୁଥିଲେ ଘର ମାଲିକ ତାଙ୍କୁ ଘରୁ ବହାର କରି ଦେଇଛି। ସେ ଏବେ ପାଟ୍‌ନାରେ ରହୁଛନ୍ତି। ତାଙ୍କର ଦୁଇଟି ଛୋଟ ପିଲା। ସରକାରଙ୍କ ପକ୍ଷରୁ କୌଣସି ସାହାଯ୍ୟ ମିଳୁନାହିଁ।’ ଅଙ୍କିତାଙ୍କ ଟ୍ବିଟ୍‌କୁ ରି-ଟ୍ବିଟ୍‌ କରି ସୋନୁ ତାର ଜବାବରେ ଏପରି ଲେଖିଛନ୍ତି।

ସମ୍ବନ୍ଧିତ ଖବର