ଯନ୍ତ୍ରଣା ପାଉଥିବା ପ୍ରସୂତିଙ୍କୁ ଛୁଇଁଲେନି ଡାକ୍ତର, ନର୍ସ

ଦେବଦୂତ ସାଜି ନାଭି କାଟିଲେ ସଫେଇ କର୍ମଚାରୀ

ସୋର: ପ୍ରସବ ପାଇଁ ଆମ୍ବୁଲାନ୍ସରେ ଆସୁଥିବା ଜଣେ ପ୍ରସୂତିଙ୍କର ବାଟରେ ପ୍ରସବ ହୋଇଗଲା। ଏମିତିକି ଡାକ୍ତରଖାନାରେ ପହଞ୍ଚିବା ପରେ ବି ତାଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ମିଳିଲାନି। ଯନ୍ତ୍ରଣାରେ ପ୍ରସୂତି ଜଣକ ଛାଟିପିଟି ହେଉଥିବା ବେଳେ ଡାକ୍ତର କିମ୍ବା ନର୍ସ କେହି ଦେଖିବାକୁ ଆସିଲେନାହିଁ। ତେବେ ଏହି ସମୟରେ ଡାକ୍ତରଖାନାର ଜଣେ ମହିଳା ସଫେଇ କର୍ମଚାରୀ ଦେବଦୂତ ସାଜି ନବଜାତକ ଶିଶୁର ନାଭି କାଟିବା ସହ ମହିଳାଙ୍କ ସେବାଶୁଶ୍ରୂଷା କରି ପ୍ରସବଜନିତ ଯନ୍ତ୍ରଣାକୁ ଉପଶମ କରିବାରେ ସହାୟତା କରିଥିଲେ। ଶନିବାର ସକାଳେ ବାଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନାରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିବାବେଳେ ସଫେଇ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

ସିମୁଳିଆ ଥାନା ବାଟି ଅଞ୍ଚଳର ଭଗବାନ ବେହେରାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଔପଦା ଅଞ୍ଚଳରେ ନିଜ ବାପଘରେ ରହୁଥିବା ବେଳେ ଅନ୍ତଃସତ୍ତ୍ବା ଥିଲେ। ଆଜି ସକାଳେ ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ୧୦୨ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣିଥିଲେ। ତେବେ ବାଟରେ ତାଙ୍କର ପ୍ରସବ ହୋଇଯାଇଥିଲା। ଶିଶୁକନ୍ୟାଟିଏ ଜନ୍ମ ହୋଇଥିବା ବେଳେ ଉଭୟ ମା ଓ ନବଜାତକଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ସୋର ଡାକ୍ତରଖାନାରେ ଆଣି ପହଞ୍ଚାଇଥିଲେ। ମାତ୍ର ବିଡ଼ମ୍ବନାର ବିଷୟ ହେଉଛି, ସେଠାରେ ପହଞ୍ଚିବା ପରେ ବି ତାଙ୍କୁ ଡାକ୍ତର କିମ୍ବା‌ ନର୍ସ କେହି ଚିକିତ୍ସ‌ା କରିବାକୁ ଆସିଲେ ନାହିଁ। ଦୀର୍ଘ ସମୟ ଧରି ଶୁଭଲକ୍ଷ୍ମୀ ଯନ୍ତ୍ରଣାରେ ଛଟପଟ ହେବା ପରେ ସେଠାରେ କାମ କରୁଥିବା ଜଣେ ମହିଳା ସଫେଇ କର୍ମଚାରୀ ପାଖକୁ ଆସି ନବଜାତକର ନାଭି କାଟିଥିଲେ ଏବଂ ପ୍ରସୂତିଙ୍କର ଆଶୁ ସେବା କରିଥିଲେ। ଡାକ୍ତର ଓ ନର୍ସଙ୍କ ଏଭଳି ଆଚରଣକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୁରକ୍ଷିତ ମାତୃତ୍ବ ଲାଭ ପାଇଁ ସରକାର ସମସ୍ତ ବ୍ୟବସ୍ଥା ଉପଲବ୍ଧ କରିଥିବା ବେଳେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସମ୍ବେଦନହୀନତା ପାଇଁ ରୋଗୀମାନେ ହଟହଟା ହେଉଛନ୍ତି। ଏ ସମ୍ପର୍କରେ ଖବର ପାଇବା ପରେ ସୋର ଡାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସାଧିକାରୀ ସତ୍ୟନାରାୟଣ ନାୟକ ତଦନ୍ତ କରୁଥିବା କହିଛନ୍ତି।

ସମ୍ବନ୍ଧିତ ଖବର