କେନ୍ଦ୍ରାପଡ଼ା ଉପରେ ସଭିଁଙ୍କ ନଜର: ୨ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଓ ଜଣେ ଲୋକସଭା ବାଚସ୍ପତିଙ୍କ ଆସନ

ଭୁବନେଶ୍ବର (ଅରବିନ୍ଦ ଦାସ): ୧୯୮୪ ସାଧାରଣ ନିର୍ବାଚନ। ଇନ୍ଦିରା ଗାନ୍ଧିଙ୍କ ହତ୍ୟାଜନିତ ଅନୁକମ୍ପାର ହାୱା ସାରା ଦେଶରେ ବହୁଥାଏ। ଓଡ଼ିଶା ଉପରେ ବିଶେଷ କରି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଉପରେ ସଭିଁଙ୍କ ନଜର। ପୂର୍ବରୁ ୧୯୭୭ ଓ ୧୯୮୦ ସାଧାରଣ ନିର୍ବାଚନରେ ବିଜୁବାବୁ ଲଗାତାର ଦୁଇଥର କେନ୍ଦ୍ରାପଡ଼ାରୁ ଜିତିଥା’ନ୍ତି। ୧୯୭୭ରେ ତ ମୋରାରଜୀ ଭାଇଙ୍କ ମନ୍ତ୍ରିମଣ୍ଡଳରେ ବିଜୁବାବୁ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ହୋଇସାରିଥା’ନ୍ତି। ୧୯୮୪ ନିର୍ବାଚନରେ ଓଡ଼ିଶା ସମେତ ସାରା ଦେଶରେ ରାଜୀବ ଗାନ୍ଧିଙ୍କ ନେତୃତ୍ବାଧୀନ କଂଗ୍ରେସ ଯାହାକୁ ଯେଉଁଠି ପ୍ରାର୍ଥୀ କଲା, ସେ ସହଜରେ ଜିତୁଥାନ୍ତି। ଓଡ଼ିଶାର ୨୧ରୁ ୨୦ ଆସନରେ କଂଗ୍ରେସ ଜିତିବା ଏକରକମ ଥୟ। ତେବେ କେନ୍ଦ୍ରାପଡ଼ାକୁ ନେଇ ଉତ୍କଣ୍ଠା। ବିଜୁବାବୁ ନିଜ ଗଡ଼ ରକ୍ଷା କରିପାରିବେ ନା ‘ସୁଅ ମୁହଁରେ ପତର’ ଭଳି ସେ ମଧ୍ୟ ଭାସିଯିବେ? ୧୯୫୭ଠାରୁ କେନ୍ଦ୍ରାପଡ଼ାରେ କେବେ ଜିତିନଥିବା କଂଗ୍ରେସ ଏଥର ଜିତିବ କି? ଏ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସେଥର କିନ୍ତୁ ବିଜୁବାବୁ ଅଳ୍ପ ବ୍ୟବଧାନରେ ଜିତିଲେ। କେନ୍ଦ୍ରାପଡ଼ା ଯେ ଏକ ଅଣକଂଗ୍ରେସ ଆସନ -ଏପରି ଧାରଣା ଆହୁରି ବଦ୍ଧମୂଳ ହେଲା।

୧୯୮୪ ପରେ ଏଯାବତ୍ ମଧ୍ୟ ପ୍ରତ୍ୟେକ ଥର କଂଗ୍ରେସ ଏହି ଆସନରୁ ହାରିଛି। ସେଥର ବିଜୁବାବୁ ଜିତିଲେ ସିନା, ହେଲେ ୧୯୮୫ରେ ବିଧାନସଭାକୁ ପାଟକୁରାରୁ ନିର୍ବାଚିତ ହେବା ପରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଇସ୍ତଫା ଦେବାରୁ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେଲା। କଂଗ୍ରେସରୁ ପ୍ରଭାବଶାଳୀ ରାଜନେତା ବସନ୍ତ କୁମାର ବିଶ୍ବାଳ ପ୍ରାର୍ଥୀ ହେଲେ। ଦେଶବ୍ୟାପୀ ପୁଣି ସଭିଁଙ୍କ ନଜର ଏହି ଆସନ ଉପରେ କେନ୍ଦ୍ରୀଭୂତ ହେଲା। ସେଥର ମଧ୍ୟ ଜନତା ପାର୍ଟି ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ଶରତ ଦେବ (ବିଜେଡି ରାଜ୍ୟସଭା ସାଂସଦ ପ୍ରତାପ ଦେବଙ୍କ ବାପା) ବିଜୟୀ ହୋଇଥିଲେ। ଉକ୍ତ ନିର୍ବାଚନରେ ଶରତ ଦେବଙ୍କୁ ୨,୭୫,୧୦୫ ଖଣ୍ଡ ଭୋଟ୍ ମିଳିଥିବା ବେ‌ଳେ ବସନ୍ତ ବିଶ୍ବାଳଙ୍କୁ ମିଳିଥିଲା ୨,୩୫,୧୬୦ ଖଣ୍ଡ ଭୋଟ। ଭୋଟ ବ୍ୟବଧାନ ଥିଲା ୩୯,୯୪୫।
ବୈଜୟନ୍ତ ପଣ୍ଡା ବିଜେଡିରୁ ବିଦା ହୋଇ ୨୦୧୯ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହେବା ଓ ବିଜେଡି ପ୍ରଖ୍ୟାତ ସିନେ ତାରକା ଅନୁଭବ ମହାନ୍ତିଙ୍କୁ ସେଠାରୁ ପ୍ରାର୍ଥୀ କରିବାରୁ ପ୍ରଥମେ କିଛି ସମୀକ୍ଷକ ଭାବୁଥିଲେ ଏଥର କଂଗ୍ରେସ ନିଜ ‘ଜିଙ୍କ୍ସ’ ଭାଙ୍ଗିବାକୁ ସକ୍ଷମ ହେବ। ବିଭିନ୍ନ ମହଲରେ ଆକନଳ ହେଲା, ୧୯୫୨ ପ୍ରଥମ ସାଧାରଣ ନିର୍ବାଚନର ୬୭ ବର୍ଷ ପରେ କଂଗ୍ରେସ ଏଥର ବିଜେଡି-ବିଜେପି ଲଢ଼େଇର ଫାଇଦା ଉଠାଇ ଗଳିଆସିବ। ହେଲେ ଏଥରର ବିଜେଡି-ବିଜେପିର ହାଇପ୍ରଫାଇଲ ନିର୍ବାଚନ ପ୍ରଚାରର ସ୍ବରୂପରୁ ଯାହା ଜଣାପଡ଼ୁଛି, କଂଗ୍ରେସକୁ ଆହୁରି ପାଞ୍ଚବର୍ଷ ଅପେକ୍ଷା କରିବାକୁ ପଡ଼ିବ।

ନିତ୍ୟାନନ୍ଦ କାନୁନଗୋ, ସୁରେନ୍ଦ୍ରନାଥ ଦ୍ବିବେଦୀ, ସୁରେନ୍ଦ୍ର ମହାନ୍ତି, ବିଜୁବାବୁ, ରବିରାୟ, ଶ୍ରୀକାନ୍ତ ଜେନା, ବୈଜୟନ୍ତ ପଣ୍ଡା ପ୍ରମୁଖ କେନ୍ଦ୍ରାପଡ଼ାରୁ ସାଂସଦ ହୋଇଛନ୍ତି
ଭାଗବତ ପ୍ରସାଦ ମହାନ୍ତି, ବସନ୍ତ ବିଶ୍ବାଳ, ଖାରବେଳ ସ୍ବାଇଁ ପ୍ରମୁଖ ପରାଜିତ ହୋଇଛନ୍ତି

ଏହି ଆସନରେ ଅତୀତର ନିର୍ବାଚନଗୁଡ଼ିକୁ ଅନୁଧ୍ୟାନ କଲେ ଜଣାପଡ଼େ, କେବଳ ବିଜୁବାବୁ ନୁହନ୍ତି, ଓଡ଼ିଶା ରାଜନୀତିର ଅନେକ ଉତ୍ତୁଙ୍ଗ ବ୍ୟକ୍ତିତ୍ବ ଏଠାରେ ଲଢ଼ିଛନ୍ତି। ବିଜୁବାବୁ ତିନିଥର ଲଢ଼ି ପ୍ରତ୍ୟେକ ଥର ଜିତିଥିବା ବେଳେ ସମାଜବାଦୀ ନେତା ସୁରେନ୍ଦ୍ରନାଥ ଦ୍ବିବେଦୀ କ୍ରମାଗତ ଚାରିଥର ଲଢ଼ି ୧୯୫୭, ୧୯୬୧ ଓ ୧୯୬୭ରେ ଜିତିଛନ୍ତି। ୧୯୭୧ରେ ସେ ନିଜ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ କଥାସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କଠାରୁ ପରାଜିତ ହୋଇଛନ୍ତି। ସେହିପରି ସୁରେନ୍ଦ୍ର ମହାନ୍ତି ତିନିଥର ଲଢ଼ିଛନ୍ତି। ୧୯୬୨ ଓ ୧୯୬୭ରେ ସ୍ବର୍ଗତ ଦ୍ବିବେଦୀଙ୍କଠାରୁ ହାରିଯାଇଥିବା ବେଳେ ୧୯୭୧ରେ ପରାଜୟର ପ୍ରତିଶୋଧ ନେଇଛନ୍ତି। ସ୍ବର୍ଗତ ଦ୍ବିବେଦୀଙ୍କ ଭଳି କଂଗ୍ରେସ ନେତା ଭାଗବତ ପ୍ରସାଦ ମହାନ୍ତି ମଧ୍ୟ ଉକ୍ତ ଆସନରେ ମୋଟ ୪ଥର (୧୯୭୭, ୧୯୮୪, ୧୯୮୯ ଓ ୧୯୯୧) ଲଢ଼ିଛନ୍ତି। ତେବେ ଶ୍ରୀ ମହାନ୍ତି ପ୍ରତ୍ୟେକ ଥର ପରାଜିତ ହୋଇଛନ୍ତି। ବିଜୁବାବୁଙ୍କ ପରେ ଏହି ଆସନ ଶ୍ରୀକାନ୍ତ ଜେନାଙ୍କ ରୂପରେ ଆଉଜଣେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସୃଷ୍ଟି କରିଛି। ୧୯୯୬ରେ ସେ ପ୍ରଥମେ ଏହି ଆସନରୁ ଜିତି ଦେବେଗୋୖଡ଼ା ଓ ପରେ ପରେ ଗୁଜୁରାଲଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ତେବେ ୧୯୯୮‌ ଓ ୨୦୦୪ ନିର୍ବାଚନରେ ଯଥାକ୍ରମେ ଜନତା ଦଳ ଓ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ି ତାଙ୍କୁ ପରାଜୟ ବରଣ କରିବାକୁ ହୋଇଛି। ଏହି ଆସନରୁ ୧୯୮୯ରେ ଜିତି ରବିରାୟ ଲୋକସଭା ବାଚସ୍ପତି ହୋଇଥିବା ବେଳେ ପରବର୍ତ୍ତୀ ୧୯୯୧ ନିର୍ବାଚନରେ ମଧ୍ୟ ଜିତି ସାଂସଦ ହୋଇଛନ୍ତି। ୧୯୯୮ ଓ ୧୯୯୯ରେ କ୍ରମାଗତ ଦୁଇଥର ପ୍ରଭାତ ସାମନ୍ତରାୟ ଏହି ଆସନକୁ ପ୍ରତିନିଧିତ୍ବ କରିଥିବା ବେଳେ ବୈଜୟନ୍ତ ପଣ୍ଡା ମଧ୍ୟ କ୍ରମାଗତ ଦୁଇଥର (୨୦୦୯ ଓ ୨୦୧୪) ଏହି ଆସନରୁ ଜିତି ଏଥର ତୃତୀୟ ଥର ପାଇଁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଜଗତସିଂହପୁରର ପୂର୍ବତନ ସାଂସଦ (୧୯୭୭) ପ୍ରଦ୍ୟୁମ୍ନ କିଶୋର ବଳ ମଧ୍ୟ ଏହି ଆସନରେ ଦୁଇଥର ଲଢ଼ି (୧୯୭୧ରେ କଂଗ୍ରେସ ଓ ୧୯୮୪ରେ ସ୍ବାଧୀନ) ଉଭୟ ଥର ହାରିଛନ୍ତି। ଓଡ଼ିଶାରେ ଅଶୀ ଓ ନବେ ଦଶକର ଜଣାଶୁଣା ଛାତ୍ରନେତ୍ରୀ ଅର୍ଚ୍ଚନା ନାୟକ ୧୯୯୮ ଓ ୧୯୯୯ରେ କଂଗ୍ରେସ ଟିକଟରେ ଲଢ଼ି ଏଠାରୁ ହାରିଥିବା ବେଳେ ୨୦୦୪ରେ ବିଜେଡି ପ୍ରାର୍ଥୀ ଭାବେ ଲଢ଼ି ଥରେ ସଂସଦକୁ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ୧୯୯୮, ୧୯୯୯ ଓ ୨୦୦୪ରେ କ୍ରମାଗତ ତିନିଥର ବାଲେଶ୍ବର ଲୋକସଭା ଆସନରୁ ଜିଣି ହ୍ୟାଟ୍ରିକ କରିଥିବା ବିଜେପି ନେତା ଖାରବେଳ ସ୍ବାଇଁ ୧୯୯୧ରେ କେନ୍ଦ୍ରାପଡ଼ା ଆସନରୁ ଲଢ଼ି ହାରିବା ସହ ତିନି ନମ୍ବର ସ୍ଥାନରେ ରହିଥିଲେ। ଏଥର ମଧ୍ୟ ଏହି ଆସନ ନିଜ ଅଣକଂଗ୍ରେସ ପରିଚୟକୁ ବଜାୟ ରଖିବ ନା ଏଠାରେ ବ୍ୟତିକ୍ରମ ହେବ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର