ସୁନ୍ଦରଗଡ଼ ଜିଲ୍ଲାର ସବୁ ଆସନରେ ପ୍ରାର୍ଥୀ ଦେବ ଜେଏମ୍ଏମ୍‌: କଂଗ୍ରେସ ସହ ଆସନ ବୁଝାମଣା େହବନି କି?

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍ଏମ୍‌) ଓ କଂଗ୍ରେସର ମେଣ୍ଟ ହେବନାହିଁ। କଂଗ୍ରେସ ବୀରମିତ୍ରପୁର ବିଧାନସଭା ଆସନ ଜେଏମ୍ଏମ୍ ପାଇଁ ନ ଛାଡ଼ିବାରୁ ଆସନ ବୁଝାମଣା ହୋଇ ପାରିନାହିଁ। ତେଣୁ ଜେଏମ୍ଏମ୍‌ ଜିଲ୍ଲାର ସବୁ ବିଧାନସଭା ଓ ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ହୋଇଛି। ଆଜି ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚିଠାରେ ଜେଏମ୍‌ଏମ୍‌ କେନ୍ଦ୍ରୀୟ କମିଟି ବୈଠକ‌େର ଏହା ଘୋଷଣା କରାଯାଇଛି। ଓଡ଼ିଶାର ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଜେଏମ୍ଏମ୍‌ର ପ୍ରଭାବ ରହିଛି। ତେଣୁ ଏହି ଦୁଇ ଜିଲ୍ଲାରେ କଂଗ୍ରେସ ଦଳ ଜେଏମ୍ଏମ୍‌ ସହ ଆସନ ବୁଝାମଣା କରିବାକୁ ଗତ କିଛି ମାସ ହେଲା ଆଲୋଚନା ଚାଲିଥିଲା। ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସ ସହ ଆସନ ବୁଝାମଣା ଆଲୋଚନା ସଫଳ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ବିଫଳ ହୋଇଛି। ଜିଲ୍ଲାରେ ଦୁଇଟି ବିଧାନସଭା ଆସନ ବୀରମିତ୍ରପୁର ଓ ରାଜଗାଙ୍ଗପୁର ଆସନ ଜେଏମ୍ଏମ୍‌କୁ ଛାଡ଼ିବା ପାଇଁ ଦଳ ପ୍ରସ୍ତାବ ଦେଇଥିଲା। କିନ୍ତୁ ଏଥିରେ କଂଗ୍ରେସ ରାଜି ହୋଇ ନ ଥିଲା। କେବଳ ବୀରମିତ୍ରପୁର ଆସନ ମିଳିଲେ ଜେଏମ୍ଏମ୍‌ ଜିଲ୍ଲାର ଅନ୍ୟ ସବୁ ଆସନରେ କଂଗ୍ରେସକୁ ସମର୍ଥନ ଦେବ ବୋଲି ଦଳ ପକ୍ଷରୁ ଶେଷ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ କଂଗ୍ରେସ ଏଥି‌ରେ ମଧ୍ୟ ରାଜି ହୋଇ ନ ଥିଲା। ବଦଳରେ ରଘୁନାଥପାଲୀ ଆସନରୁ ଲଢିବା ପାଇଁ କଂଗ୍ରେସ ତରଫରୁ ଜେଏମ୍ଏମ୍‌କୁ ପ୍ରସ୍ତାବ ଦିଆଯାଇଥିଲା। ସେଠାରେ ସଂଗଠନ ନ ଥିବାରୁ ଜେଏମ୍ଏମ୍‌ ନିର୍ବାଚନ ଲଢିବା ପାଇଁ ମନା କରିଥିଲା। ଆଜି ରାଞ୍ଚିଠାରେ ଅନୁଷ୍ଠିତ କେନ୍ଦ୍ରୀୟ କମିଟି ବୈଠକରେ ସୁନ୍ଦରଗଡ଼ ଜିଲ୍ଲାର ଜେଏମ୍‌ଏମ୍‌ ନେତା ତଥା ରାଜ୍ୟ ଜେଏମ୍ଏମ୍‌ ଉପ ସଭାପତି ସେଭିଆନ୍ ଆଇନ ଯୋଗ ଦେଇ ଏ ପ୍ରସଙ୍ଗରେ ହେମନ୍ତ ‌ସୋରେଙ୍ଗଙ୍କ ସହ ଆଲୋଚନା କରିଥିଲେ। କଂଗ୍ରେସ ଆସନ ବୁଝାମଣା ପାଇଁ ରାଜି ହୋଇ ନ ଥିବାରୁ ଜିଲ୍ଲାର ସବୁ ଆସନରେ ନିର୍ବାଚନ ଲଢିବାକୁ ସହମତି ହୋଇଥିଲା। ସୂଚନାଯୋଗ୍ୟ ଯେ ବୀରମିତ୍ରପୁର ଓ ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଲାଣି। ଜର୍ଜ ତିର୍କୀଙ୍କ ପୁଅ ଓ ତାଙ୍କର ଜଣେ ନିକଟତର ଏହି ଦୁଇ ଆସନରୁ ଟିକେଟ୍‌ ପାଇଥିବାରୁ ଆଉ ଜେଏମ୍ଏମ୍‌ ସହ ମେଣ୍ଟ ହେବା ସମ୍ଭବ ନୁହେଁ ବୋଲି କୁହାଯାଉଛି। ତେବେ ନିର୍ବାଚନ ପାଇଁ ମନୋୟନପତ୍ର ଦାଖଲ କରିବା ପାଇଁ ଆହୁରି ସପ୍ତାହେ ସମୟ ବାକିଥିବାରୁ କୌଣସି ସମୟରେ ମେଣ୍ଟ ହେବା ଆଶଙ୍କା ମଧ୍ୟ ଏଡାଇ ଦେଇ ହେବନାହିଁ।

ସମ୍ବନ୍ଧିତ ଖବର