ଲାଞ୍ଜିଗଡ଼ରେ ପ୍ରଦୀପ ଦିଶାରୀ ଓ ପୁଷ୍ପେନ୍ଦ୍ରଙ୍କୁ ବିରୋଧ

ବଳଭଦ୍ର ସମର୍ଥକଙ୍କ କଡ଼ା ଚେତାବନୀ

ଜୟପାଟଣା: ଲାଞ୍ଜିଗଡ଼ ସଂରକ୍ଷିତ ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇ ନଥିବା ବେଳେ ବିଧାୟକ ବଳଭଦ୍ର ମାଝୀଙ୍କ ଶତାଧିକ ସମର୍ଥକ ପ୍ରାୟୋଜିତ ସାଙ୍ଗଠନିକ ଅଭିସନ୍ଧିର ଶିକାର ହେଲେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ରୋକଠୋକ ଶୁଣାଇଛନ୍ତି। ସ୍ଥାନୀୟ ମାରୱାଡ଼ି ଧର୍ମଶାଳାରେ ଜୟପାଟଣା ବ୍ଳକ୍ ବିଜେଡି ସଭାପତି ମୀନକେତନ ପୂଝାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ବିଧାୟକ ବଳଭଦ୍ର ମାଝୀଙ୍କୁ ଏଥର ଲାଞ୍ଜିଗଡ଼ ଟିକଟରୁ ବଞ୍ଚିତ କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିବା ସହିତ ଏହା ପଛରେ କଳାହାଣ୍ଡି ଜିଲ୍ଳା ସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓଙ୍କ ସୁଚିନ୍ତିତ ଅଭିସନ୍ଧି ଥିବା ଆରୋପ ଲଗାଇଛନ୍ତି। କିଛି ଦିନ ତଳେ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ଗତ ନିର୍ବାଚନର କଂଗ୍ରେସ ପ୍ରାର୍ଥୀଙ୍କୁ ଟିକଟ ମିଳିପାରେ ବୋଲି ସେମାନେ ଆଶଙ୍କା କରିଛନ୍ତି। ତେବେ ୫ ଥର ବିଧାୟକ ହୋଇଥିବା ଓ ୨ ଥର ମନ୍ତ୍ରୀ ହୋଇଥିବା ଶ୍ରୀ ମାଝୀଙ୍କୁ ଟିକଟ ନଦେଲେ ସମସ୍ତ ସହଯୋଗୀ ଓ ବ୍ଲକର ନିର୍ବାଚିତ ପ୍ରତିନିଧିମାନେ ନିର୍ବାଚନରେ ନିରବ ରହି କଠୋର ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ ସଦ୍ୟ ବିଜେଡିରେ ମିଶିଥିବା ପ୍ରଦୀପ ଦିଶାରୀଙ୍କ ନେତୃତ୍ୱରେ ଗତ ସୋମବାର ମଙ୍ଗଳପୁର ଆରଏମସି ମଣ୍ଡିରେ ଜବାବ୍ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କ ସଂଗଠନର କୌଣସି ବ୍ୟକ୍ତି ଯୋଗ ଦେଇନଥିଲେ। ଏମିତିକି ଏଠାରେ ପୁଷ୍ପେନ୍ଦ୍ର ସିଂହ ଦେଓଙ୍କ କୌଣସି ସଂଗଠନ ନଥିବା ବେଳେ ପାଞ୍ଚ ବର୍ଷ ଧରି କ୍ଷମତାରେ ଥିବା ସଙ୍ଗଠକଙ୍କୁ କୋଣଠେସା କଲେ ବିଜେଡି ସଂଗଠନ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ ବୋଲି ସେମାନେ ସୂଚେଇ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ପ୍ରତିନିଧି ପ୍ରଭାକର ପଟ୍ଟନାୟକ, ସରପଞ୍ଚ ସଂଗଠନର ସଭାପତି ଦିଲ୍ଲୀପ ରାଉତ, ଅବଦୁଲ ଗନୀ, ୧୫ ଜଣ ସରପଞ୍ଚ, ୧୪ ଜଣ ସମିତି ସଭ୍ୟ, ୱାର୍ଡ଼ ସଦସ୍ୟ, ମହିଳା ମୋର୍ଚ୍ଚା ସଭାପତି କୃତ୍ତିକା ନାଏକ, ଅନୁରାଧା ବୈଠାରୁ ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର