କୁଳଭୂଷଣ ଯାଦବ ମାମଲା : ଅନ୍ତର୍ଜାତୀୟ ନ୍ୟାୟାଳୟ ରାୟ ପାଳନ ପାଇଁ ଅଧ୍ୟାଦେଶ ଆଣିବେ ପାକ୍ ସରକାର
ଇସ୍ଲାମାବାଦ : ପାକିସ୍ତାନରେ ବନ୍ଦୀଥିବା ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ସମ୍ପର୍କରେ ଅନ୍ତର୍ଜାତୀୟ ନ୍ୟାୟାଳୟ ଦେଇଥିବା ରାୟକୁ ପାଳନ କରିବାକୁ ପାକିସ୍ତାନ ସରକାର ନିଜ ଆଇନରେ କେତେକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଏଥିପାଇଁ ପାକିସ୍ତାନ ସରକାର ଏକ ଅଧ୍ୟାଦେଶ ଜାରି କରିବେ ।
Sambad is now on WhatsApp
Join and get latest news updates delivered to you via WhatsApp
ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅନ୍ତର୍ଜାତୀୟ ନ୍ୟାୟାଳୟର ରାୟକୁ ପାଳନ କରିବାକୁ ପାକିସ୍ତାନ ସରକାର ପ୍ରସ୍ତୁତ କରିଥିବା ଅଧ୍ୟାଦେଶ ‘ଅନ୍ତର୍ଜାତୀୟ ନ୍ୟାୟାଳୟ (ସମୀକ୍ଷା ଓ ପୁନର୍ବିଚାର) ଅଧ୍ୟାଦେଶ କୁ ପାକିସ୍ତାନୀ ସଂସଦ ଅର୍ଥାତ ନ୍ୟାସନାଲ ଆସେମ୍ବ୍ଲିର ଆଇନ ସମ୍ପର୍କିତ ସ୍ଥାୟୀ କମିଟି ମଂଜୁର କରିଛି । ତେବେ ଏହି ଅଧ୍ୟାଦେଶକୁ ପାକିସ୍ତାନର ବିରୋଧୀ ଦଳମାନେ ତୀବ୍ର ବିରୋଧ କରିଥିଲେ । ଏହି ବିଲ ସଂପର୍କରେ ମତ ରଖି ପାକିସ୍ତାନର ଆଇନ ମନ୍ତ୍ରୀ ଫାରୁକ ନସିମ କହିଛନ୍ତି ଯେ ଅନ୍ତର୍ଜାତୀୟ ନ୍ୟାୟାଳୟର ଆଦେଶକୁ ପାଳନ ନ କଲେ ପାକିସ୍ତାନ ବିରୁଦ୍ଧରେ ଅନ୍ତର୍ଜାତୀୟ ସ୍ତରରେ କଟକଣା ଲାଗି ପାରେ ।
ସୂଚନାଯୋଗ୍ୟ ଯେ ଗୁପ୍ତଚରବୃତ୍ତି ଅଭିଯୋଗରେ ପାକିସ୍ତାନର ଏକ ସେନା ଅଦାଲତ ୨୦୧୭ ଏପ୍ରିଲ ମାସରେ କୂଳଭୂଷଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ଭାରତ ସରକାର ୨୦୧୭ରେ ଅନ୍ତର୍ଜାତୀୟ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ବିଚାର କରି ଅନ୍ତର୍ଜାତୀୟ ନ୍ୟାୟାଳୟ ୨୦୧୯ ଜୁଲାଇରେ କୁଳଭୂଷଣଙ୍କୁ ତୁରନ୍ତ କନସୁଲାର ଆକସେସ ପ୍ରଦାନ ସହ ତାଙ୍କ ମୃତ୍ୟୁଦଣ୍ଡ ରାୟର ସମୀକ୍ଷା ଓ ପୁନର୍ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।