ନନ୍‌ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଶପଙ୍କୁ ଗିରଫ କଲା କେରଳ କ୍ରାଇମବ୍ରାଞ୍ଚ

କୋଚି : ନନ୍‌ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ତଦନ୍ତର ସମ୍ମୁଖୀନ ହେଉଥିବା ଜଳନ୍ଧରର ବିଶପ ଫ୍ରାଙ୍କୋ ମୁଲାକ୍କଲ୍‌ଙ୍କୁ ଶୁକ୍ରବାର କୋଚିରେ ଗିରଫ କରାଯାଇଛି। କେରଳ ପୁଲିସର କ୍ରାଇମବ୍ରାଞ୍ଚ ପକ୍ଷରୁ ତିନି ଦିନ ଧରି ଜେରା କରାଯିବା ପରେ ତାଙ୍କୁ ଆଜି ଗିରଫ କରାଯାଇଛି।

ବିଶପ ଫ୍ରାଙ୍କୋ ମୁଲାକ୍କଲ୍‌ଙ୍କ ଗିରଫଦାରୀରେ କୋଚିର ଧାରଣାସ୍ଥଳରେ ଗତ ୧୦ ଦିନ ଧରି ଆନ୍ଦୋଳନ ଚଳାଇଥିବା ମିସନାରିଜ୍‌ ଅଫ୍‌ ଜେସସର ନନ୍‌ମାନେ ଆନନ୍ଦ ପ୍ରକାଶ କରିଛନ୍ତି। ଦୁଷ୍କର୍ମ ପୀଡ଼ିତା ନନ୍‌ଙ୍କୁ ନ୍ୟାୟ ଦାବିରେ ଧାରଣାରେ ବସିଥିଲେ କେରଳର ନନ୍‌।

ଅନ୍ୟପକ୍ଷରେ ବିଶପ ଫ୍ରାଙ୍କୋ ମୁଲାକ୍କଲ୍‌ଙ୍କ ପକ୍ଷରୁ କେରଳ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରାଯାଇଛି। ମାତ୍ର ତାଙ୍କୁ ଏ ଯାବତ୍‌ ଜାମିନ ମିଳିନାହିଁ। କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ନନ୍‌ ଦୁଷ୍କର୍ମ ମାମଲାର ତଦନ୍ତ କରୁଛି।

ଗୁରୁବାର ଚର୍ଚ୍ଚ କାର୍ଯ୍ୟରୁବିଶପ ଫ୍ରାଙ୍କୋ ମୁଲାକ୍କଲ୍‌ଙ୍କୁ ସାମୟିକ ବିରତି ଦିଆଯାଇଛି। ଭଟିକାନ୍‌ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୨୦୧୪ରୁ ୨୦୧୬ ମଧ୍ୟରେ ଏକାଧିକବାର ନନ୍‌ଙ୍କୁ ମୁଲାକ୍କଲ୍‌ ଦୁର୍ଷ୍କମ କରିଥିବା ଅଭିଯୋଗ ଆସିବା ପରେ ପୁଲିସ୍‌ ତାଙ୍କୁ ଜେରା ଆରମ୍ଭ କରିଥିଲା।
ଗତ ସେପଟେମ୍ବର ୧୬ ତାରିଖରେ ଅଭିଯୁକ୍ତ ବିଶପ ମୁଲାକ୍କଲ ପୋପ୍‌ଙ୍କୁ ଏକ ପତ୍ର ଲେଖି ତାଙ୍କ ପଦବିରୁ ଓହରି ଯିବା ଲାଗି ଇଛା ପ୍ରକାଶ କରିଥିଲେ। ଏହାକୁ ବିଚାର କରି ପୋପ୍‌ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କେରଳ ବିଶପ କାଉନ୍ସିଲ୍‌ର ମୁଖପାତ୍ର ଫାଦର ଭର୍ଗିସ୍‌ ଭାଲିକାଟ୍ଟୁ କହିଛନ୍ତି।

ସମ୍ବନ୍ଧିତ ଖବର