ଲେଖିକା ତସଲିମାଙ୍କ ଅଭିଯୋଗ: ନକଲି ଅପରେସନ କରାଇ ୭ ଲକ୍ଷ ନେଇଛି ଘରୋଇ ହସ୍ପିଟାଲ୍‌

ନୂଆଦିଲ୍ଲୀ: ବିଶିଷ୍ଟ ଓ ବିବାଦୀୟ ବାଂଲାଦେଶୀ ଲେଖିକା ତସଲିମା ନସରିନ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ ବିରୋଧରେ ଅଭିଯୋଗ କରିଛନ୍ତି ଯେ ଏହି ହସ୍ପିଟାଲ ବାଧ୍ୟକରି ତାଙ୍କର ନିତମ୍ବ ଅପରେସନ କରାଇଛି, ଯାହା ତାଙ୍କର ଆଦୌ ଆବଶ୍ୟକ ନ ଥିଲା ଏବଂ ଏହି ଅପରେସନ ମଧ୍ୟ ନକଲି ଥିଲା।
ସ୍ବନିର୍ବାସିତ ବାଂଲାଦେଶୀ ଲେଖିକା ଜାନୁଆରି ୩୧ରେ ଟ୍ବିଟରରେ ଡାକ୍ତର ଯତୀନ୍ଦର ଖାର୍ବନ୍ଦା ଓ ଅପୋଲୋ ହସ୍ପିଟାଲ ସହ ତାଙ୍କର ଅନୁଭୂତି ସେୟାର କରିଛନ୍ତି। ସେ ଲେଖିଛନ୍ତି, ଆଣ୍ଠୁ ଯନ୍ତ୍ରଣା ହେତୁ ସେ ଆପୋଲୋ ଯାଇଥିଲେ। ଡ ଯତୀନ୍ଦର ତାଙ୍କୁ କହିଲେ ତାଙ୍କ ନିତମ୍ବ (ପିଚା) ହାଡ଼ ଫାଟିଯାଇଛି କିନ୍ତୁ ତାଙ୍କୁ କୌଣସି ଏକ୍ସରେ ବା ସିଟି ରିପୋର୍ଟ ଦେଖାଇଲେ ନାହିଁ।

ଜାନୁଆରି ୧୩ରେ ତାଙ୍କୁ ଫଟା ନିତମ୍ବ ମରାମତି ପାଇଁ ଆଡ଼ମିସନ କରାଗଲା। କିନ୍ତୁ ଜାନୁଆରି ୧୪ ସକାଳେ ତାଙ୍କୁ ପୂରା ନିତମ୍ବ ହାଡ଼ ବଦଳାଇବା ପାଇଁ ବାଧ୍ୟ କରାଗଲା। ସେ ପରେ ଜାଣିବାକୁ ପାଇଲେ ଯେ ତାଙ୍କର କୌଣସି ହାଡ଼ ଫାଟି ନ ଥିଲା କିମ୍ବା ତାଙ୍କର ନିତମ୍ବ ହାଡ଼ ବଦଳା ବି ହୋଇ ନାହିଁ। ତାଙ୍କୁ ଏକ ମିଥ୍ୟା ଡିସଚାର୍ଜ ବିବରଣୀ ଦିଆଗଲା। ତସଲିମା ଦାବି କରିଛନ୍ତି ଯେ ଏହି ନକଲି ଚିକିତ୍ସା ପାଇଁ ହସ୍ପିଟାଲ ତାଙ୍କଠାରୁ ୭ ଲକ୍ଷ ୪୨ ହଜାର ୮୪୫ ଟଙ୍କା ଲୁଟିଛି। ସେ କହିଛନ୍ତି ଯେ ଡାକ୍ତରମାନଙ୍କୁ ଅନ୍ଧ ଭାବରେ ବିଶ୍ବାସ କରିବା ତାଙ୍କର ଭୁଲ୍ ଥିଲା।

ସମ୍ବନ୍ଧିତ ଖବର