୧୦ ‘ମୋଷ୍ଟ ୱାଣ୍ଟେଡ୍‌’ ଆତଙ୍କବାଦୀଙ୍କୁ ନିପାତ ଅଭିଯାନ ଆରମ୍ଭ

ନୂତନ ପର୍ଯ୍ୟାୟରେ ଅପରେସନ ‘ଅଲ୍‌ ଆଉଟ୍‌’

ନୂଆଦିଲ୍ଲୀ: ଅମିତ ଶାହ ଗୃହ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ପ୍ରାଥମିକତା ଦେଇଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ୧୦ ଜଣ ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ କରାଯାଇଛି। ସେମାନଙ୍କୁ ନିପାତ କରିବା ପାଇଁ ସୁରକ୍ଷା ବାହିନୀ ସ୍ବତନ୍ତ୍ର ରଣନୀତିରେ ଏବେ କାମ ଆରମ୍ଭ କରିଛି। ଅମରନାଥ ଯାତ୍ରାରେ ଆକ୍ରମଣ ପାଇଁ ଏହି ଆତଙ୍କବାଦୀଙ୍କ କେତେକ ଯୋଜନା ସଂପର୍କରେ ଗୁଇନ୍ଦା ତଥ୍ୟ ମିଳିବା ପରେ ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି।
ଏବେ ସୁରକ୍ଷା ବାହିନୀ ଟାର୍ଗେଟ୍‌ରେ ଥିବା ୧୦ ମୋଷ୍ଟ୍‌ ୱାଣ୍ଟେଡ଼ ଆତଙ୍କବାଦୀ ତାଲିକାରେ ହିଜବୁଲ ମୁଜାହିଦ୍ଦିନ୍‌ର ସର୍ବାଧିକ ୬ ଜଣ ରହିଥିବା ବେଳେ ଜୈସ୍‌-ଇ-ମହମ୍ମଦର ୨, ଲସ୍କର-ଏ-ତୋଏବା ଏବଂ ଅଲ୍‌ ବଦର ସଂଗଠନର ଜଣେ ଲେଖାଏଁ ଆତଙ୍କବାଦୀ ଅଛନ୍ତି। ହିଜବୁଲ ମୁଜାହିଦ୍ଦିନ୍‌ର ଅନନ୍ତନାଗ ଜିଲ୍ଲା କମାଣ୍ଡର ମହମ୍ମଦ ଅସରାଫ୍‌ ଖାନ୍‌, ବାରମୁଳା ଜିଲ୍ଲା କମାଣ୍ଡର ମେହରାଜ-ଉଦ୍‌-ଦିନ, ଶ୍ରୀନଗର ହିଜ୍‌ବୁଲ ସଂଚାଳକ ସୈଫୁଲ୍ଲା, ପୁଲୱାମା ଜିଲ୍ଲା କମାଣ୍ଡର ଅର୍ଶଦ-ଉଲ୍‌-ହକ୍‌, କୁପୱାରା ଜିଲ୍ଲାର ସମ୍ଭାବ୍ୟ କମାଣ୍ଡର ଅଜାଜ ଅହମଦ ମଲିକ ଏବଂ କମାଣ୍ଡର ରିୟାଜ଼ ନାୟିକୁ ଓରଫ ମହମ୍ମଦ ବିନ୍‌ କାସିମ୍‌ ଏହି ତାଲିକାରେ ରହିଥିବା ପ୍ରକାଶ। ଏଥିରେ ସୋପିଆନ୍‌ ଜିଲ୍ଲାରେ ସକ୍ରିୟ ଥିବା ଲସ୍କର-ଏ-ତୋଏବାର ମୁଖ୍ୟ ୱାସିମ୍‌ ଅହମଦ ଓରଫ ଓସାମାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏମାନଙ୍କ ବ୍ୟତୀତ ଅଲ୍‌ ବଦର ଆତଙ୍କବାଦୀ ସଂଗଠନର ଉତ୍ତର କଶ୍ମୀର ଡ଼ିଭିଜନାଲ କମାଣ୍ଡର ଜାଭେଦ ମତୁ ଓରଫ ଫୈଜଲ ସକିବ ଓରଫ ମୁସାବ, ଜୈସ୍‌-ଇ-ମହମ୍ମଦର ମୁଖ୍ୟ ଅପରେସନାଲ କମାଣ୍ଡର ହାଫିଜ ଉମର (ପାକିସ୍ତାନୀ) ଏବଂ ଜାହିଦ ସୈଖ୍‌ ଓରଫ ଓମାର ଆଫ୍‌ଗନୀ ଏହି ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ରହିଥିବା ପ୍ରକାଶ।
ଜମ୍ମୁ କଶ୍ମୀର ପୁଲିସ, ସିଆର୍‌ପିଏଫ୍‌ ଏବଂ ଆଇବିର ସୂଚନା ଅନୁଯାୟୀ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଳିକ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ, ଗୃହ ସଚିବ ରାଜୀବ ଗୌଭା, ଅଇବି ମୁଖ୍ୟ ରାଜୀବ ଜୈନ୍‌ ଏବଂ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଜୁନ ୧ରେ ବୈଠକ ପରେ ଗୃହମନ୍ତ୍ରୀ ଶାହ ଏହି ତାଲିକା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର