ଗଣେଶ ମୂର୍ତ୍ତି ବିସର୍ଜନବେଳେ ବୁଡିଗଲା ଡଙ୍ଗା, ୧୧ ଜଣଙ୍କର ସଲିଳ ସମାଧି

ଭୋପାଳ: ମଧ୍ୟପ୍ରଦେଶରେ ଗଣେଶଙ୍କ ବିସର୍ଜନ ବେଳେ ଅଘଟଣ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡଙ୍ଗା ବୁଡ଼ି ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପାଞ୍ଚ ଜଣ ନିଖୋଜ ଅଛନ୍ତି । ଭୋପାଳର ଖାଟଲାପୁର ଘାଟରେ ଏହି ଅଘଟଣ ଘଟିଛି । ମିଳିଥିବା ସୂଚନା ମୁତାବକ ଭୋପାଳର ଖାଟଲାପୁର ଘାଟକୁ ଭଗବାନ ଗଣେଶଙ୍କ ମୂର୍ତ୍ତି ବିସର୍ଜନ ପାଇଁ ନିଆଯାଇଥିଲା ।

ପୂଜା କମିଟିର ବହୁ ସଦସ୍ୟ ଡଙ୍ଗାରେ ବସି ବିସର୍ଜନ ପାଇଁ ହ୍ରଦ ଭିତରକୁ ଯାଇଥିଲେ । ଡଙ୍ଗାଟି ଛୋଟ ହୋଇଥିବାବେଳେ ମୂର୍ତ୍ତି ବିସର୍ଜନବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା । ଦୁର୍ଭାଗ୍ୟବଶତଃ ଯେଉଁମାନେ ମୁର୍ତ୍ତି ତଳେ ରହିଯାଇଥିଲେ ସେମାନେ ବାହାରି ପାରିନଥିଲେ ଓ ପାଣି ଭିତରେ ବୁଡିଯାଇଥିଲେ। ଏବେ ପର୍ଯ୍ୟନ୍ତ ୧୧ ଜଣଙ୍କ ଶବ ଉଦ୍ଧାର କରାଯାଇଛି ।

ଖାଟଲାପୁର ଘାଟ ପାଖରେ ଭୋର ସାଢ଼େ ୪ଟାରେ ଏହି ଘଟଣା ଘଟିଛି । ଡଙ୍ଗାବୁଡ଼ିବା ନେଇ ସୂଚନା ପାଇ ମଧ୍ୟପ୍ରଦେଶ ଏସଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଜାରି ରଖିଛି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର