ଆଇଏସ୍‌ ଆଡ୍ଡାସ୍ଥଳରେ ଆକ୍ରମଣ: ୬ ଶିଶୁଙ୍କ ସମେତ ୧୫ ନିହତ

କଲମ୍ବୋ: ଶ୍ରୀଲଙ୍କା କ୍ରମାଗତ ବିସ୍ଫୋରଣରେ ଜଡିତ ଇସ୍ଲାମିକ୍‌ ଷ୍ଟେଟ୍‌ ଅଫ ଇରାକ ଆଣ୍ଡ ସିରିଆ (ଆଇଏସ୍‌) ଆତଙ୍କବାଦୀଙ୍କ ଏକ ଆଡ୍ଡାସ୍ଥଳ ଉପରେ ଶୁକ୍ରବାର ରାତି ଚଢ଼ଉ ବେଳେ ସଂଘର୍ଷ ଘଟି ଅନ୍ୟୂନ ୧୫ ଜଣ ନିହତ ହୋଇଛନ୍ତି। ନିହତଙ୍କ ମଧ୍ୟରେ ୬ ଶିଶୁ, ୩ ମହିଳା ଅଛନ୍ତି। କୋଠାରେ ଥିବା ୩ ଜଣ ଆତଙ୍କବାଦୀ ପୁଲିସ୍‌କୁ ଦେଖି ବିସ୍ଫୋରଣ ଘଟାଇଛନ୍ତି। ଏକ ନିର୍ଦିଷ୍ଟ ସୂଚନାକୁ ଆଧାର କରି, ପୁଲିସ୍‌ ଏବଂ ସେନାବାହିନୀର ଯବାନମାନେ ଦେଶର ରାଜଧାନୀଠୁ ୩୭୦ କିଲୋମିଟର ଦୂର ବାଟିକଲୋଆ ନିକଟ କଲମୁନାଇ ସହରର ଏକ କୋଠା ଉପରେ ଶୁକ୍ରବାର ସନ୍ଧ୍ୟାରେ ଚଢ଼ଉ କରିଥିଲେ। ପୁଲିସ୍‌ ଏବଂ ‌େସନାକୁ ଦେଖି ଉକ୍ତ କୋଠାରେ ଥିବା ସନ୍ଦିଗ୍ଧ ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଥିଲେ ଏବଂ ଗୁଳିମାଡ଼ ଆରମ୍ଭ କରିଥିଲେ। ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଦୀର୍ଘ ଏକ ଘଣ୍ଟା ଧରି ସଂଘର୍ଷ ହୋଇଥିବା କୁହାଯାଉଛି। କୋଠା ଭିତରେ ହୋଇଥବା ଉକ୍ତ ବିସ୍ଫୋରଣରେ ୩ ଜଣ ଆତ୍ମଘାତୀଙ୍କ ସମେତ ୩ ଜଣ ମହିଳା ଏବଂ ୬ ଜଣ ଶିଶୁ ନିହତ ହୋଇଛନ୍ତି। ଅନ୍ୟ ତିନି ଜଣ ଆତଙ୍କବାଦୀଙ୍କ ଶବ କୋଠା ବାହାରୁ ଉଦ୍ଧାର କରାଯାଇଛି। ସେମାନେ ସେନାବାହିନୀର ଗୁଳିମାଡରେ ନିହତ ହୋଇଥିବା ସୂଚନା ଦିଆଯାଇଛି। ନିହତ ହୋଇଥିବା ସମସ୍ତେ ନେସ୍‌ନାଲ ଥୋହିଥ୍‌ ଯାମଥ (ଏନ୍‌ଟିଜେ)ର ସଦସ୍ୟ ବୋଲି ସେନା ପ୍ରବକ୍ତା ସୂଚନା ଦେଇଛନ୍ତି। ଶନିବାର ସକାଳୁ ସମସ୍ତ ନିହତଙ୍କ ଶବକୁ ଉଦ୍ଧାର କରାଯାଇଛି। ଉକ୍ତ କୋଠାରେ ଥିବା ଅନ୍ୟ ଜଣେ ଆହତ ଶିଶୁକୁ ହସପିଟାଲରେ ଚିକତ୍ସା କରାଯାଉଥିବା ଜଣାପଡିଛି। ଉକ୍ତ କୋଠା ମଧ୍ୟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ନିକଟରେ ଥିବା ଅନ୍ୟ ଏକ ସନ୍ଦିଗ୍ଧ ଘରେ ଚଢ଼ଉ ବେଳେ ବିସ୍ଫୋରକ ସାମଗ୍ରୀ ସମେତ ଜିଲେଟିନ୍‌ ଖାଡି ଏବଂ ହଜାରରୁ ଅଧିକ ମେଟାଲ ବାଲ୍‌ ଜବତ ହୋଇଥିବା ପ୍ରକାଶ। ପୁଲିସ୍‌ ସୂଚନା ମୁତାବକ, ଏକ ଷ୍ଟୁଡ଼ିଓ ଉପରେ ଚଢ଼ଉ ପରେ ଆତଙ୍କବାଦୀଙ୍କ ଉକ୍ତ ଆଡ୍ଡାସ୍ଥଳୀ ବିଷୟରେ ସୂଚନା ମିଳିଥିଲା। ଇଷ୍ଟର୍‌ ଦିନ ଆତ୍ମଘାତୀ ଆକ୍ରମଣ ପୂର୍ବରୁ ଉକ୍ତ ଷ୍ଟୁଡ଼ିଓରେ ଆଇଏସ୍‌ ନେତା ଅବୁ ବକର-ଅଲ୍‌ ବାଗ୍‌ଦାଦି ସମର୍ଥନରେ ଏକ ଭିଡିଓ ସୁଟିଂ କରାଯାଇଥିଲା ଯାହା ଆକ୍ରମଣର ଦୁଇ ଦିନ ପରେ ଛଡାଯାଇଥିଲା। ସେଠାରେ ଚଢ଼ଉ ବେଳେ ଆଇଏସ୍‌ର ଝଂଡା ଏବଂ ଆତ୍ମଘାତୀମାନେ ଭିଡିଓ ସୁଟିଂବେଳେ ପିନ୍ଧିଥିବା ପୋଷାକ ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର