୧୬ ଦିନ ବିତିଲା: ଖଣି ଶ୍ରମିକଙ୍କ ପତ୍ତା ମିଳୁନି

ଖଣି ଶ୍ରମିକଙ୍କ ବୟାନ: ଅନ୍ୟମାନେ ଜୀବିତ ଫେରିବା ଆଶା ନାହିଁ

ପୂର୍ବ ଜୟନ୍ତିଆ ହିଲ୍‌: ମେଘାଳୟର ଏକ ବେଆଇନ କୋଇଲା ଖଣିରେ ୩୨୦ ଫୁଟ ତଳେ ଫସିଥିବା ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆଜିଠାରୁ ପ୍ରକ୍ରିୟା ଜୋରଦାର ହୋଇଛି। ନୌସେନା ପକ୍ଷରୁ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲେ ମଧ୍ୟ ଫସିଥିବା ଶ୍ରମିକଙ୍କ ଉପସ୍ଥିତି ସମ୍ପର୍କରେ ଏବେ ବି କୌଣସି ସୁରାକ୍‌ ମିଳୁନାହିଁ। ଶ୍ରମିକଙ୍କ ଉପସ୍ଥିତି ଠାବ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ସହାୟତା ନିଆଯାଉଛି ଏବଂ ଉଚ୍ଚଶକ୍ତିସମ୍ପନ୍ନ ପମ୍ପ୍‌ ଦ୍ବାରା ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ନୌସେନାର ବୁଡ଼ାଳିମାନେ କେବଳ ୩ଟି ହେଲ୍‌ମେଟ୍‌ ଠାବ କରିବାକୁ ସକ୍ଷମ ହୋଇଥିବା ବେଳେ ଶ୍ରମିକଙ୍କ ସ୍ଥିତି ଜାଣିବାକୁ ଆହୁରି ସମୟ ଲାଗିବ ବୋଲି ଜଣାପଡ଼ିଛି। ଉକ୍ତ ବେଆଇନ ଖଣି ଅଞ୍ଚଳରେ ଭାରୀ ଯନ୍ତ୍ରାଂଶ ପହଞ୍ଚାଇବା ମଧ୍ୟ ଏକ ବଡ଼ ଚାଲେଞ୍ଜ୍‌ ହୋଇଛି। ବିଶାଖାପାଟଣାରୁ ଯାଇଥିବା ନୌସେନାର ଏକ ୧୫ ଜଣିଆ ବୁଡ଼ାଳି ଦଳ ମଧ୍ୟ ଆସନ୍ତାକାଲି ଜୟନ୍ତିଆ ହିଲ୍‌ରେ ପହଞ୍ଚିବେ।

ଭାରତର ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ୍‌ ନିର୍ମାତା କିର୍ଲୋସ୍କର ବ୍ରଦର୍ସ ଲିମିଟେଡ୍‌ ମଧ୍ୟ ଏକ ଟିମ୍‌ ଘଟଣାସ୍ଥଳକୁ ପଠାଇ ବିଭିନ୍ନ ପମ୍ପ୍‌ର କାର୍ଯ୍ୟ ସଞ୍ଚାଳନ କରାଉଛି। ତେବେ ଆବଶ୍ୟକ ଜଳ ନିଷ୍କାସନ ହେବା ପରେ ହିଁ ବୁଡ଼ାଳିମାନେ ନିର୍ଦ୍ଧାରିତ ଗତିପଥରେ ଅଗ୍ରସର ହୋଇପାରିବେ ବୋଲି ଏନ୍‌ଡିଆର୍‌ଏଫ୍‌ର ସହକାରୀ କମାଣ୍ଡାଣ୍ଟ ଏସ୍‌ କେ ସିଂହ କହିଛନ୍ତି। ଏବେ ଜଳସ୍ତର ଅଧିକ ଥିବାରୁ ଡାଇଭିଂରେ ଅଧିକ ବାଟ ଯାଇହେବ ନାହିଁ ବୋଲି ସେ କହିଛନ୍ତି। ଏହି କୋଇଲା ଖଣି କ୍ରିପ୍‌ ସୁଲେଟ୍‌ ନାମକ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ରହିଛି। ଶ୍ରମିକମାନେ ଫସିବା ଖବର ପ୍ରଘଟ ହେବା ପରେ ପୁଲିସ କ୍ରିପ୍‌ଙ୍କୁ ଗିରଫ କରିଛି। ଏହି ବେଆଇନ କୋଇଲା ଖଣି ଦୀର୍ଘଦିନ ଧରି ବନ୍ଦ ରହିଥିଲା ଏବଂ ଘଟଣା ଘଟିବାର ୩ ଦିନ ପୂର୍ବରୁ କାର୍ଯ୍ୟ ଆରମ୍ଭ କରିଥିଲା। ଦୁର୍ଘଟଣା ଦିନ ଖଣିରେ ୨୨ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ୭ ଜଣ ଶ୍ରମିକ ଖଣିରେ ପାଣି ଭର୍ତ୍ତି ହେବାର କିଛି ମିନିଟ୍‌ ପୂର୍ବରୁ ଖସିଆସିବାକୁ ସକ୍ଷମ ହୋଇଥିଲେ। ଆସାମର ଚିରାଙ୍ଗ ଜିଲ୍ଲାର ସାହିବ ଅଲ୍ଲୀ ଓ ଅନ୍ୟ ୫ ଜଣ ଶ୍ରମିକ ପାଣିରେ ପହଁରି ଜୀବନକୁ ବାଜି ଲଗାଇ ବାହାରି ଯାଇଥିଲେ। ଖଣିରେ ପାଣି ଯେଭଳି ପ୍ରବଳ ବେଗରେ ଭର୍ତ୍ତି ହେଲା, ସେଥିରେ କେହି ବଞ୍ଚିବା ଆଶା ଦିଶୁନାହିଁ। ଯଦି ୧୫ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୁଏ ତା’ହେଲେ ଏହା ବହୁତ ବଡ଼ ଆଶ୍ବାସନା ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର