ନିପା ଭୂତାଣୁ ସଂକ୍ରମଣ ସନ୍ଦେହ: ହିମାଚଳ ସ୍କୁଲ୍‌ରେ ୧୮ ମଲା ବାଦୁଡ଼ି

ନାହାନ: କେରଳରେ ନିପା ଭୂତାଣୁ ବ୍ୟାପି ଚାଲିଥିବା ବେଳେ ବୁଧବାର ଦିନ ହିମାଚଳ ପ୍ରଦେଶ ଅନ୍ତର୍ଗତ ନାହାନସ୍ଥିତ ଏକ ସରକାରୀ ବିଦ୍ୟାଳୟ ପରିସରରେ ୧୮ଟି ମଲା ବାଦୁଡ଼ି ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।
ଡେପୁଟି କମିସନର୍‌ଙ୍କ ଠାରୁ ନିର୍ଦେଶ ପାଇ ସ୍ୱାସ୍ଥ୍ୟ ବିଭାଗ, ପଶୁ ପାଳନ ବିଭାଗ ଏବଂ ବନ ବିଭାଗ ବର୍ମା ପାପଡ଼ି ସ୍କୁଲ୍‌ରେ ପହଞ୍ଚି ଅଧିକ ତଦନ୍ତ ପାଇଁ ମଲା ବାଦୁଡ଼ିଙ୍କ ଦେହରୁ ନମୁନା ସଂଗ୍ରହ କରିଛନ୍ତି।


କିନ୍ତୁ, ଏବେ ହିମାଚଳରେ ନିପା ଭୂତାଣୁ ଥିବାର କୌଣସି ପ୍ରମାଣ ନାହିଁ ଏବଂ ଏହା ଗୋଟାଏ ଗୁଜବ ବୋଲି ଅଧିକାରୀମାନେ କହିଛନ୍ତି।
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସଞ୍ଜୟ ଶର୍ମା କହନ୍ତି: ପ୍ରତି ବର୍ଷ ଏ ଅଞ୍ଚଳରେ ବାଦୁଡ଼ି ଦେଖା ଯାଉଥିଲେ ବି ଏ ବର୍ଷ ବାଦୁଡ଼ି ସଂଖ୍ୟା ପ୍ରବଳ ହୋଇ ଯାଇଛି।
ସ୍କୁଲ୍‌ର ପ୍ରିନ୍‌ସିପାଲ୍‌ ଏବଂ ପିଲାମାନେ କହନ୍ତି, ପ୍ରତି ବର୍ଷ ଏଠାକୁ ବାଦୁଡ଼ିମାନେ ଆସି ଶେଷକୁ ମରନ୍ତି। କିନ୍ତୁ ଏ ବର୍ଷ ସେମାନଙ୍କ ସଂଖ୍ୟା ବହୁଗୁଣ ବଢ଼ି ଯାଇଛି।
ଚିକିତ୍ସା ଅଧିକାରୀ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନିପା ଭୂତାଣୁ, ଏହାର ଲକ୍ଷଣ ଏବଂ ପ୍ରତିକାର ବ୍ୟବସ୍ଥା ବିଷୟରେ କହି ଦେଇଛନ୍ତି। ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଶାରୀରିକ ସଂସ୍ପର୍ଶ ପ୍ରତି ହୁସିଆର୍‌ ରିହିବାକୁ ସେମାନଙ୍କୁ କୁହାଯାଇଛି।
କେରଳରେ ନିପା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୧୦ ଯାଏଁ ବଢ଼ିଥିବା କଥା ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର