୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା, ୮୮ ଜଣଙ୍କ ଦଣ୍ଡାଦେଶ କାଏମ ରଖିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ୮୮ ଜଣଙ୍କ ଦଣ୍ଡାଦେଶକୁ ଆଜି କାଏମ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ। ୧୯୯୬ ମସିହାରେ ଟ୍ରାଏଲ କୋର୍ଟ ୮୮ ଜଣଙ୍କୁ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ଦୋଷୀସାବ୍ୟସ୍ତ କରି ୫ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଅଭିଯୁକ୍ତମାନେ ଟ୍ରାଏଲ କୋର୍ଟଙ୍କ ରାୟକୁ ଚାଲେଂଜ କରି ରାୟର ପୁନର୍ବିଚାର ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ହେଲେ ଦିଲ୍ଲୀ ହାଇକୋର୍ଟ ଆଜି ଉକ୍ତ ଆବେଦନକୁ ପ୍ରତ୍ୟାଖ୍ୟାନ କରିବାସହ ଟ୍ରାଏଲ କୋର୍ଟଙ୍କ ରାୟକୁ କାଏମ୍‌ ରଖିଛନ୍ତି। ସମସ୍ତଙ୍କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲାର ଶୁଣାଣି କରୁଥିବା ବିଚାରପତି ଆରକେ ଗୌବା ସମସ୍ତ ୮୮ ଜଣ ଅଭିଯୁକ୍ତଙ୍କୁ ୪ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାପାଇଁ କହିଛନ୍ତି।

ଉଲ୍ଲେଖଯୋଗ୍ୟ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ସମୟରେ ପୂର୍ବ ଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳରେ ଅନେକ ସଂଖ୍ୟାରେ ବିଶୃଙ୍ଖଳ ଜନତା ଅନେକ ଘରଦ୍ବାର ପୋଡ଼ିଦେବା ସହ କର୍ଫ୍ୟୁ ଉଲ୍ଲଂଘନ କରିଥିଲେ। ଏନେଇ ୧୯୮୬ ନଭେମ୍ବର ୨ ତାରିଖରେ ୧୦୭ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ମାମଲାର ବିଚାର କରୁଥିବା ଟ୍ରାଏଲ କୋର୍ଟ ଏହି ମାମଲାରେ ୧୯୯୬ ଅଗଷ୍ଟ ୨୭ ତାରିଖରେ ୮୮ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ଏହି ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ମଧ୍ୟ ଦୁଇଜଣଙ୍କୁ ହତ୍ୟାକାଣ୍ଡ ନେଇ ଗତ ୨୦ ତାରିଖରେ ଦିଲ୍ଲୀ କୋର୍ଟ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ଅନ୍ୟ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ସମ୍ବନ୍ଧିତ ଖବର