ଐତିହାସିକ ପଦାର୍ପଣ

ଭୁବନେଶ୍ବର ଓଡ଼ିଶାରେ କ୍ରୀଡ଼ା ପୃଷ୍ଠାରେ ବୁଧବାର ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। କୌଣସି ନିର୍ଦ୍ଦିଷ୍ଟ ଅଲିମ୍ପିକ୍ ଖେଳର ସମ୍ପୂର୍ଣ୍ଣ ବିଶ୍ବକପ୍‌ ଓଡ଼ିଶା ପଦାର୍ପଣ କରି ଐତିହାସିକ ଫର୍ଦ ଯୋଡ଼ି ଦେଇଛି। ପୂର୍ବରୁ କ୍ରିକେଟ୍‌ର ପୁରୁଷ ଓ ମହିଳା ବିଶ୍ବକପ୍‌ର ୩ଟି ସଂସ୍କରଣ ମ୍ୟାଚ୍ ଏବଂ ଗ୍ରୁପ୍ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା ଓଡ଼ିଶାରେ। ବିଶ୍ବ ବିଲିଆର୍ଡସ ପ୍ରତିଯୋଗିତା ହୋଇଥିଲା ଭୁବନେଶ୍ବରରେ। ଏବେ କିନ୍ତୁ ଓଡ଼ିଶା ପୁରୁଷ ହକି ବିଶ୍ବକପ୍ ଓଡ଼ିଶା କ୍ରୀଡ଼ାରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଗଲା। ଦୀର୍ଘ ୫ ବର୍ଷ ଧରି ପ୍ରସ୍ତୁତି ଏବଂ ପରିଶ୍ରମ ପରେ ସ୍ବପ୍ନ ଭଳି ଲାଗୁ ଥିବା ବିଶ୍ବକପ୍ ହକିର ଏନ୍ତୁଡ଼ିଶାଳ ରାଜ୍ୟରେ ପଦାର୍ପଣ କଲା। ପୂର୍ବ ଭାରତରେ ପ୍ରଥମ ଥର ‌ହୋଇଥିଲେ ବି ଦେଶରେ ପୂର୍ବରୁ ଦୁଇ ଥର (୧୯୮୨-ବମ୍ବେ ଏବଂ ୨୦୧୦-ନୂଆଦିଲ୍ଲୀ) ଏହି ବିଶ୍ବକପ୍ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସରକାରଙ୍କ ହାତଖୋଲା ତଥା ହୃଦୟଜିତା ସମର୍ଥନ ବି ରାଜ୍ୟର ଭାବମୂର୍ତିକୁ ବିଶ୍ବ ଦରବାରରେ ‌ଢେର ଉଚ୍ଚକୁ ନେଇଯାଇଛି।

ବୀରୁଙ୍କ ଦ୍ବିତୀୟ, ଅମିତଙ୍କ ପ୍ରଥମ

ଭୁବନେଶ୍ବର: ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତର ପଞ୍ଚତାରକା ପ୍ରଦର୍ଶନ ପ୍ରଶଂସକଙ୍କୁ ବିମୋହିତ କରିଛି। ଦକ୍ଷିଣ ଆଫ୍ରିକାକୁ ଏକତରଫା ଭାବେ ୫-୦ରେ ହରାଇ ଭାରତ ବୁଧବାର ତା’ର ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ୍ ପଦାପର୍ଣ କରିବା ସହ ବ୍ୟକ୍ତିଗତ ଭାବେ ଦୁଇ ସ୍ଥାନୀୟ ତାରକା ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହି ଦାସ ସଫଳତାର ନୂଆ ସ୍ତର ଛୁଇଁଛନ୍ତି। ୨୬ ନମ୍ବର ଜର୍ସି ପିନ୍ଧି ଖେଳୁଥିବା ବୀରେନ୍ଦ୍ର ଦ୍ବିତୀୟ ଥର ପାଇଁ ବିଶ୍ବକପ୍‌ ଖେଳି ଦିଲୀପ ତିର୍କି ଓ ଇଗ୍ନେସ ତିର୍କିଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ସମକକ୍ଷ ହୋଇଥିଲେ। ଅନ୍ୟପକ୍ଷରେ ଅମିତ ପ୍ରଥମ ଥର ପାଇଁ ବିଶ୍ବକପ୍ ଖେଳିବାର ସୌଭାଗ୍ୟ ଲାଭ କରିଥିଲେ। ବୀରେନ୍ଦ୍ର ଏହା ପୂର୍ବରୁ ନେଦରଲାଣ୍ଡର ହଗ୍‌ଠାରେ ଆୟୋଜିତ ବିଶ୍ବକପ୍‌ର ଗତ ସଂସ୍କରଣରେ ଖେଳ ଜୀବନର ପ୍ରଥମ ବିଶ୍ବକପ୍ ଖେଳିଥିଲେ। ୨୬ ବର୍ଷୀୟ ଅମିତ ଏବଂ ୨୮ ବର୍ଷୀୟ ବୀରେନ୍ଦ୍ର କିନ୍ତୁ ଘରୋଇ ମାଟିରେ ପ୍ରଥମ ବିଶ୍ବକପ୍ ଖେଳିଥିଲେ। ଉଭୟ ମଧ୍ୟ ଭାରତ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଅମିତଙ୍କ ପୂର୍ବରୁ ୧୪ ଜଣ ଓଡ଼ିଆ ଖେଳାଳି ବିଶ୍ବକପ୍ ଖେଳି ସାରିଛନ୍ତି। ବିଶ୍ବକପ୍ ଖେଳିବାରେ ସେ ପଞ୍ଚଦଶ ଓଡ଼ିଆ ହୋଇଛନ୍ତି। ତାଙ୍କ ପୂର୍ବରୁ ମହିଳାରେ ଜ୍ୟୋତି ସୁନୀତା କୁଲୁ, ବିନୀତା ଟପ୍ପୋ, ସୁଭଦ୍ରା ପ୍ରଧାନ, ମୁକ୍ତାପ୍ରଭା ବାର୍ଲା, ଦୀପ୍ ଗ୍ରେସ୍ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ, ଲିଲିମା ମିଞ୍ଜ ମହିଳାରେ ଏବଂ ପୁରୁଷରେ ଦିଲୀପ, ଇଗ୍ନେସ ଓ ବୀରେନ୍ଦ୍ରଙ୍କ ସହ ପ୍ରବୋଧ ତିର୍କି, ଲାଜରୁସ ବାର୍ଲା ବିଶ୍ବକପ୍ ଖେଳି ସାରିଛନ୍ତି। ଅମିତଙ୍କ ପ୍ରଥମ ମ୍ୟାଚ୍‌ରେ ଭାରତ ବିଜୟୀ ହେବା ତାଙ୍କ ପଦାର୍ପଣକୁ ସ୍ମରଣୀୟ କରି ଦେଇଛି। ସୂଚନାଯୋଗ୍ୟ ଯେ ବୁଧବାରର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ବୀରେନ୍ଦ୍ରଙ୍କ ୧୬୯ତମ ଏବଂ ଅମିତଙ୍କ ୭୦ତମ ମ୍ୟାଚ୍ ଥିଲା।

ଚିଙ୍ଗ୍‌ଲାସନାଙ୍କ ଦ୍ବିଶତକ
କଳିଙ୍ଗ ହକି ବିଶ୍ବଯୁଦ୍ଧର ପ୍ରଥମ ମୁକାବିଲାରେ ଭାରତୀୟ ଉପଅଧିନାୟକ ଚିଙ୍ଗଲାସନା ସିଂହ ୨୦୦ତମ ମ୍ୟାଚ୍ ଖେଳିବାର ମାଇଲଖୁଣ୍ଟ ଛୁଇଁଥିଲେ। ଭାରତୀୟ ମଧ୍ୟଭାଗର ଏହି ଦକ୍ଷ ଖେଳାଳି ୨୦୧୧ ମସିହାରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଚାମ୍ପିଅନ୍ସ ଚାଲେଞ୍ଜ ହକିରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଆଜି ସେହି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ବିଶତକ ପୂରଣ କରିଥିଲେ। ୨୬ ବର୍ଷୀୟ ମଣିପୁର ତାରକା ଚିଙ୍ଗଲାସନା ୨୦୧୩ ପୁରୁଷ ଏସିଆ କପ୍‌ ଓ ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ସେହିଭଳି ୨୦୧୭ ଏସିଆ କପ୍‌ରେ ଭାରତ ସ୍ବର୍ଣ୍ଣ ଜିତିବାରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ଚିଙ୍ଗଲାସନା ମଧ୍ୟ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ ଏବଂ ଚାମ୍ପିଅନ୍ସ ଟ୍ରଫି ଖେଳିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। କଳିଙ୍ଗ ଷ୍ଟାଡିୟମରେ ୨୦୦ତମ ମ୍ୟାଚ୍ ଖେଳିବା ମୋତେ ଆତ୍ମସନ୍ତୋଷ ଓ ଖୁସି ଦେଇଛି। ଆଗକୁ ଭାରତ ପାଇଁ ଆହୁରି ଅନେକ ମ୍ୟାଚ୍ ଖେଳିବା ପାଇଁ ମୁଁ ଆଶା ରଖିଛି। ଏହି ମାଇଲଖୁଣ୍ଟ ସଫଳତା ଲାଗି ମୁଁ ପରିବାରବର୍ଗ, ସାଥୀ ଖେଳାଳି ଓ ହକି ଇଣ୍ଡିଆକୁ ଧନ୍ୟବାଦ ଦେବାକୁ ଚାହେଁ ବୋଲି ଚିଙ୍ଗଲାସନା କହିଛନ୍ତି।

ସମ୍ବନ୍ଧିତ ଖବର