୨୦୧୯ରେ ବିଜେପିର ପରାଜୟ ନିଶ୍ଚିତ

ମୋଦି ବାରଣାସୀରୁ ବି ହାରିବେ

ବେଙ୍ଗାଲୁରୁ: ନିର୍ବାଚନ ପ୍ରଚାର ପାଇଁ କର୍ଣ୍ଣାଟକ ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ବେଙ୍ଗାଲୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ପରାଜୟ ସୁନିଶ୍ଚିତ । ବିରୋଧୀ ଦଳ ଏକଜୁଟ ହୋଇ ଲଢ଼ିଲେ ବିଜେପି କଦାପି ଜିତି ପାରିବ ନାହିଁ ବୋଲି ରାହୁଲ କହିଛନ୍ତି। ଏଭଳି ସ୍ଥିତିରେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ବାରଣାସୀ ସଂସଦୀୟ କ୍ଷେତ୍ରରୁ ପରାସ୍ତ ହୋଇଯାଇ ପାରନ୍ତି ବୋଲି ମଧ୍ୟ ରାହୁଲ ମତବ୍ୟକ୍ତ କରିଛନ୍ତି। ବିରୋଧୀ ଦଳଗୁଡ଼ିକର ମେଣ୍ଟ ଆଗରେ ବିଜେପି ଜିତିବାର ସ୍ୱପ୍ନ ଧୁଳିସାତ୍‌ ହୋଇଯିବ ଏବଂ ଏନ୍‌୍‌ଡିଏ ଶାସନର ଅନ୍ତ ଘଟିବ ବୋଲି ସେ କହିଛନ୍ତି। ୟୁପି ପ୍ରସଙ୍ଗ ଉଠାଇ ରାହୁଲ କହିଛନ୍ତି ଯେ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ କଂଗ୍ରେସ ମିଶିଗଲେ ବିଜେପି ୨ଟି ଆସନ ମଧ୍ୟ ଉତ୍ତର ପ୍ରଦେଶରେ ଜିତି ପାରିବ କି ନାହିଁ,ସେ ନେଇ ସନ୍ଦେହ। ନିଜ ଭବିଷ୍ୟବାଣୀ ଉପରେ ଦୃଢ ବିଶ୍ୱାସ ଥିବା କଥା କହିବାକୁ ମଧ୍ୟ ରାହୁଲ ଭୁଲି ନାହାନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ତୃତୀୟ ସାମୁଖ୍ୟ ଗଠନ ଉପରେ ସେ କହିଛନ୍ତି ଯେ, କିଭଳି ଭାବେ ଲୋକଙ୍କୁ ବୁଝାଇବାକୁ ହୁଏ, ତାହା କଂଗ୍ରେସକୁ ଜଣାଅଛି। ତେଣୁ କଂଗ୍ରେସ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବାକୁ ଚାହୁଛି ବୋଲି ରାହୁଲ କହିଛନ୍ତି। ଦେଶବାସୀଙ୍କୁ ବିଜେପି ପ୍ରତାରିତ କରିଛି, ବିଶେଷ କରି ଯୁବଗୋଷ୍ଠୀଙ୍କୁ ରୋଜଗାର ଯୋଗାଇବାରେ ସରକାରଙ୍କ ବିଫଳତା ସମସ୍ତଙ୍କୁ କ୍ଷୁବ୍ଧ କରିଛି ବୋଲି ସେ କହିଛନ୍ତି। କର୍ମନିଯୁକ୍ତି କ୍ଷେତ୍ରରେ ଭାରତ ଚୀନ୍‌ ସହ ପ୍ରତିଦ୍ୱନ୍ଦ୍ୱିତା କଲେ ହିଁ ନୂତନ ଆଶାର ସଂଚାର ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର