ଦେଶରେ ସ୍ଥାପନ ହେବ ୨୧ଟି ଜୁମ୍ବୋ ଫିଲଡ୍ ହସପିଟାଲ, ପ୍ଲାଣ୍ଟରୁ ସିଧାସଳଖ ଅମ୍ଳଜାନ ଯ଼ୋଗାଣ ହେବ

ଓଡ଼ିଶାର ଆରଏସପି, ଟାଟା ଷ୍ଟିଲ ପ୍ଲାଣ୍ଟ ନିକଟରେ ହେବ ଜୁମ୍ବୋ ହସପିଟାଲ

ନୂଆଦିଲ୍ଲୀ : କରୋନା ମହାମାରୀର ୨ୟ ଲହର ଦେଖାଯ଼ିବା ପରେ ଦେଶରେ ତରଳ ଅମ୍ଳଜାନର ଚାହିଦା ହଠାତ ବଢିଯ଼ାଇଛି । ଅମ୍ଳଜାନର ଅଭାବରୁ ଅନେକ ରୋଗୀ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଦେଶର ବିଭିନ୍ନ ଷ୍ଟିଲ, ପାଓ୍ବାର ପ୍ଲାଣ୍ଟରୁ ତରଳ ଅମ୍ଳଜାନ ପଠାଯ଼ାଉଥିଲେ ବି ତାହାକୁ ସଡ଼କ ବା ରେଳପଥରେ ନେବା ପାଇଁ କଣ୍ଟେନରର ଅଭାବ ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ସରକାର ଦେଶବ୍ୟାପୀ ୨୧ଟି ଜୁମ୍ବୋ ଫିଲଡ ହସପିଟାଲ (ବୃହତ ଅସ୍ଥାୟୀ ହସପିଟାଲ) ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ଏ ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯ଼ାଇଛି ।

ଏହି ହସପିଟାଲଗୁଡ଼ିକରେ ମୋଟ ପ୍ରାୟ ୧୨୪୦୦ ଟି ଶଯ଼୍ୟା ରହିବ । ଏଗୁଡ଼ିକ ଦେଶର ବିଭିନ୍ନ ଷ୍ଟିଲ, ତାପଜ ବିଦ୍ୟୁତ ପ୍ଲାଣ୍ଟ ଓ ରିଫାଇନାରୀ ନିକଟରେ ସ୍ଥାପନ କରାଯ଼ିବ, ଯ଼ଦ୍ବାରାକି ସେସବୁ ପ୍ଲାଣ୍ଟରୁ ସିଧାସଳଖ ଗ୍ୟାସୀୟ ଅମ୍ଳଜାନ ହସପିଟାଲକୁ ଯ଼ୋଗାଣ ହୋଇପାରିବ । ଏହା ଦ୍ବାରା ତରଳ ଅମ୍ଳଜାନ ପରିବହନ ଜନିତ ସମସ୍ୟା ଦୂର ହେବ । ଓଡ଼ିଶାର ରାଉରକେଲା ଇସ୍ପାତ କାରଖାନା ନିକଟରେ ୫୦୦ ଶଯ଼୍ୟା, ଅନୁଗୁଳର ଟାଟାଷ୍ଟିଲ ବିଏସଏଲ ନିକଟରେ ୪୦୦ ଶଯ଼୍ୟା ଓ ଟାଟା ଷ୍ଟିଲ କଳିଙ୍ଗ ନଗର ପ୍ଲାଣ୍ଟ ନିକଟରେ ୪୦୦ ଶଯ଼୍ୟାର ଜୁମ୍ବୋ ହସପିଟାଲ ସ୍ଥାପନ କରାଯ଼ାଉଛି ।

ସୂଚନାଯ଼ୋଗ୍ୟ ଯ଼େ ଦେଶରେ ଏବେ ଦିନକୁ ପ୍ରାୟ ୯୫୨୪ ମେଟ୍ରିକ ଟନ ତରଳ ଅମ୍ଲଜାନ ଉତ୍ପାଦନ ହେଉଛି ଯ଼ାହାକି ମାର୍ଚ୍ଚ ମାସରେ ୫୭୨୦ ମେଟ୍ରିକ ଟନ ଥିଲା ।

ସମ୍ବନ୍ଧିତ ଖବର