ବର୍ଷା ପରେ ଭୂସ୍ଖଳନ ଯୋଗୁଁ ତୁର୍କୀରେ ରେଳଗାଡ଼ି ଧାରଣାଚ୍ୟୁତ ହେବାରୁ ୨୪ ମୃତ

ଇସ୍ତାନ୍‌ବୁଲ୍‌: ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଇସ୍ତାନ୍‌ବୁଲ୍‌ ଅଭିମୁଖେ ଯାତ୍ରା କରୁଥିବା ଏକ ରେଳଗାଡ଼ିର ପାଞ୍ଚଟି ବଗି ଧାରଣାଚ୍ୟୁତ ହେବାରୁ ଉତ୍ତରପଶ୍ଚିମ ତୁର୍କୀରେ ୨୪ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ଉପ ପ୍ରଧାନମନ୍ତ୍ରୀ ରେସେପ୍‌ ଆକ୍‌ଦାଗ୍‌ ସୋମବାର ଦିନ କହିଛନ୍ତି।
ରବିବାର ଘଟିଥିବା ଏହି ରେଳ ଦୁର୍ଘଟଣା ଯୋଗୁଁ ଆହତ ହୋଇ ଥିବା ୧୨୪ ଜଣ ଯାତ୍ରୀଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା କରାଯାଉଛି ବୋଲି ତୁର୍କୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଅହମେତ୍‌ ଦେମିର୍‌କାନ୍‌ କହିଛନ୍ତି।

ଦୁର୍ଘଟନାସ୍ଥଳକୁ ସେନା ହେଲିକପ୍ଟର୍‌ ପଠାଇଥିଲା। ସାମରିକ ବାହିନୀ, ସ୍ୱାସ୍ଥ୍ୟକର୍ମୀ ଏବଂ ଗ୍ରାମବାସୀଙ୍କ ସମେତ ନେସ୍‌ନାଲ୍‌ ମେଡିକାଲ୍‌ ରେସ୍‌କ୍ୟୁ ଟିମ୍‌, ଡିଜାଷ୍ଟର୍‌ ଆଣ୍ଡ୍‌ ଏମର୍‌ଜେନ୍‌ସି ମ୍ୟାନେଜ୍‌ମେଣ୍ଟ୍‌ ପ୍ରେସିଡେନ୍‌ସି ଅଫ୍‌ ତୁର୍କୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲା।

ଆକ୍‌ଦାଗ୍‌ କହିଛନ୍ତି ଯେ ଦୁର୍ଘଟନା ସମୟରୁ ଚାଲିଥିବା ଅନେ୍ଵଷଣ ଓ ଉଦ୍ଧାର ଉଦ୍ୟମ ସୋମବାର ସକାଳୁ ବନ୍ଦ ରହିଛି।

ଦୁର୍ଘଟନା ସମୟରେ ଟ୍ରେନ୍‌ରେ ୩୬୨ ଜଣ ଯାତ୍ରୀ ଥିଲେ।

ସମ୍ବନ୍ଧିତ ଖବର