୨୪ଘଣ୍ଟା ପାଇଁ ପ୍ରଚାର କରିପାରିବେ ନାହିଁ ଦିଦି : କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କୁ ‘ଘେରାଉ’ କରିବାକୁ ଭୋଟରଙ୍କୁ ଉସକାଇଥିଲେ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିସନ୍। ଏକ ନିର୍ବାଚନୀ ସଭାରେ ହିନ୍ଦୁ-ମୁସଲିମଙ୍କୁ ନେଇ ମମତା ବୟାନ ଦେବା ପରେ ନିର୍ବାଚନ କମିସନ ନୋଟିସ ପଠାଇବା ସହ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦିଦି ମୁସଲିମ୍ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ହିନ୍ଦୁ-ମୁସଲମାନ୍ ଶବ୍ଦ ଉଚ୍ଚାରଣ କରିବା ସହ ସଂପ୍ରଦାୟିକ ବିଭାଜନ ସୃଷ୍ଟିକାରୀ ଭାଷଣ ଦେଇଥିଲେ। ଏଥିସହ ଭୋଟରମାନଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳର କର୍ମଚାରୀଙ୍କୁ ଘେରାଉ କରିବା ଲାଗି  ଉସକାଇଥିଲେ। ଏଭଳି କାର୍ଯ୍ୟକଳାପ ନିର୍ବାଚନ ଆଚରଣ ସଂହିତାର ଉଲ୍ଲଂଘନର ଦଣ୍ଡ ସ୍ବରୂପ ଦିଦିଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିସନ। ୨୪ ଘଣ୍ଟା ପାଇଁ ସେ ନିର୍ବାଚନ ପ୍ରଚାର କରି ପାରିବେ ନାହିଁ। ଆଜି ସନ୍ଧ୍ୟା ୮ଟାରୁ ଆସନ୍ତାକାଲି ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଦିିଦିଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯାଇଛି।

କେନ୍ଦ୍ରୀୟ ସୁରକ୍ଷା ବଳକୁ ଘେରାଉ କରିବା ପାଇଁ ଜନତାଙ୍କୁ ଉସୁକାଇବା ଏବଂ ମୁସଲିମ ‌ଭୋଟକୁ ନେଇ ଦିଦି ଦେଇଥିବା ମନ୍ତବ୍ୟ ପାଇଁ ଏହି ଦଣ୍ଡ ତାଙ୍କୁ ଦିଆଯାଇଛି। ଏପ୍ରିିଲ ୭ ଏବଂ ୮ରେ ଦିଦି ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆଗକୁ ଏଭଳି ନ କରିବାକୁ ନିର୍ବାଚନ କମିସନ ପକ୍ଷରୁ କୁହାଯାଇଛି। ଅନ୍ୟ ପକ୍ଷରେ କମିସନଙ୍କ ଏହି ନିଷ୍ପତ୍ତି ପରେ ମମତା ବାନାର୍ଜୀ ଧାରଣାରେ ବସିଥିବା ଖବର ମିଳିଛି।

Mamata Banerjee Banned From Campaigning For 24 Hours
ndtv

ତେବେ ଏହା ପୂର୍ବରୁ ଟିଏମସି ପକ୍ଷରୁ ଦିଆଯାଉଥିବା ମନ୍ତବ୍ୟକୁ ନେଇ ଦିଦିଙ୍କୁ ଟାର୍ଗେଟ କରିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟିଏମସି ନେତ୍ରୀ  ସୁଜାତା ମଣ୍ଡଳ ଅନୁସୂଚିତ ଜାତିର ଲୋକଙ୍କୁ ନେଇ ଦେଇଥିବା ବୟାନ ପାଇଁ ଦିଦିଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ। ଏଠାରେ ଅନୁସୂଚିତ ଜାତିର ଲୋକ ସ୍ବଭାବରେ ଭିକାରି । ମମତା ବାନାର୍ଜୀ ସେମାନଙ୍କ ପାଇଁ ଯାହା କରିଛନ୍ତି, ତାହା ପରେ ମଧ୍ୟ ସେମାନେ ବିଜେପି ଦେଉଥିବା ଅଳ୍ପ ଟଙ୍କା ପଛରେ ଗୋଡ଼ାଉଛନ୍ତି। ସେମାନେ ସେମାନଙ୍କର ଭୋଟ୍ ବିଜେପିକୁ ବିକ୍ରି କରୁଛନ୍ତି ବୋଲି କହିଥିଲେ ସୁଜାତା ମୋଣ୍ଡଳ।

ଏହା ଉପରେ ନିଜ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦିଦିଙ୍କ ଲୋକମାନେ ବଙ୍ଗଳାର ଅନୁସୂଚିତ ଜାତିର ଲୋକଙ୍କୁ ଅପମାନ କରି ସେମାନଙ୍କୁ ଭିକାରି ବୋଲି କହିଛନ୍ତି। ଏପରି ତିକ୍ତ ଶବ୍ଦ ଶୁଣି ବାବା ସାହାବଙ୍କ ଆତ୍ମା ଆଘାତ ପାଇବ। କେହି ଭାବି ନଥିଲେ ଯେ ଏପରି ଶବ୍ଦ ବଙ୍ଗଳାରେ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟତର କେହି କହିବେ। ଦିଦି ନିଜକୁ ‘ରୟାଲ ବେଙ୍ଗଲ ଟାଇଗର’ ବୋଲି କହୁଛନ୍ତି। ଦିଦିଙ୍କ ଇଚ୍ଛା ବିନା ଅନୁସୂଚିତ ଜାତି ଉପରେ ଏଭଳି ମନ୍ତବ୍ୟ କୌଣସି ଟିଏମସି ନେତା ଦେଇପାରିବେ ନାହିଁ। ଏତେ ସବୁ ହେବା ପରେ ଦିଦି କ୍ଷମା ପ୍ରାର୍ଥନା କରିବା କଥା ମଧ୍ୟ ଭାବି ନାହାନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ସମ୍ବନ୍ଧିତ ଖବର