ରାଜସ୍ଥାନ: ସଓ୍ଵାଇ ମାଧୋପୁରରେ ନଈକୁ ବସ୍‌ ଖସି ୩୩ ମୃତ

ଜୟପୁର: ଶନିବାର ସକାଳେ ରାଜସ୍ଥାନର ସଓ୍ଵାଇ ମାଧୋପୁର ଜିଲ୍ଲା ଅନ୍ତର୍ଗତ ଦୁବି ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍‌ ପୋଲ ଉପରୁ ବନସ ନଦୀଗର୍ଭକୁ ଖସିପଡ଼ିବାରୁ ଅତି କମ୍‌ରେ ୩୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଯାତ୍ରୀ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଆସାମର ବୋଲି ଜଣାଯାଇଛି। ବସ୍‌ଟିକୁ ଚଳାଉଥିବା ଜଣେ ଅନଭିଜ୍ଞ ନାବାଳକ ଚାଳକ ଅନ୍ୟ ଏକ ଯାନକୁ ଅତିକ୍ରମ ଉଦ୍ୟମ କରୁଥିବା ବେଳେ ଏଭଳି ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି।


ସୂଚନାନୁଯାୟୀ, ଆଜି ସକାଳେ ସଓ୍ଵାଇ ମାଧୋପୁରରୁ ଉକ୍ତ ବସ୍‌ଟି ୫୦ରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଧରି ରାଜସ୍ଥାନ-ମଧ୍ୟପ୍ରଦେଶ ସୀମାର ଲାଲ୍‌ସତ ସ୍ଥିତ ଏକ ହିନ୍ଦୁ ମନ୍ଦିର ଅଭିମୁଖେ ବାହାରିଥିଲା। ବସ୍‌ଟି ସୁରଓ୍ଵାଲ୍‌ ଥାନା ଅଧୀନ ଦୁବି ଇଲାକାର ବନସ ନଦୀ ପୋଲ ଉପରେ ଯାଉଥିବା ବେଳେ ନାବାଳକ ହେଲ୍ପର ଜଣକ ଗାଡ଼ିଟି ଚଳାଉଥିଲା। ସେ ପୋଲ ଉପରେ ଅନ୍ୟ ଏକ ଗାଡ଼ିକୁ ଅତିକ୍ରମ କଲା ବେଳେ ବସ୍‌ଟି ଭାରସାମ୍ୟ ହରାଇ ପୋଲ କଡ଼ ବାଡ଼ରେ ପିଟି ହେବା ସହ ୧୦୦ ଫୁଟ ତଳ ନଦୀକୁ ଗଳିପଡ଼ିଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ପହଞ୍ଚି ଗ୍ୟାସ କଟରରେ ଝରକା ସବୁ କାଟି ମୃତାହତମାନଙ୍କୁ ଉଦ୍ଧାର କରିଥିଲେ। ବିଶେଷ କରି ପାଣିରେ ବସ୍‌ଟି ବୁଡ଼ିଯାଇଥିବାରୁ ଚାଳକ ସମେତ ଅନ୍ୟମାନଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର