ଜେଏନ୍‌ୟୁରେ ଦୁର୍ବୃତ୍ତଙ୍କ ଆକ୍ରମଣ, ଛାତ୍ର ସଂସଦ ସଭାପତିଙ୍କ ସମେତ ୨୮ ଗୁରୁତର

କ୍ୟାମ୍ପସ୍‌ରେ ପୁଲିସ ମୁତୟନ, ରିପୋର୍ଟ ମାଗିଲେ ସ୍ବରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ : ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ରେ ଆଜି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ସନ୍ଧ୍ୟାରେ ପ୍ରାୟ ୫୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଜେଏନ୍‌ୟୁ କ୍ୟାମ୍ପ‌ସରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହିତ ଆକ୍ରମଣ କରିଛନ୍ତି। ସେମାନଙ୍କ ଆକ୍ରମଣରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମଧ୍ୟ ଆହତ ହୋଇଛନ୍ତି। ହାତରେ ରଡ୍ ଏବଂ ବାଡ଼ି ଧରିଥିବା ଏହି ଦୁର୍ବୃତ୍ତମାନେ ହ‌ଷ୍ଟେଲ ଭିତରେ ପଶି ଆକ୍ରମଣ କରିଥିବା ଜଣାପଡ଼ିଛି। ଆକ୍ରମଣରେ ୨୮ ଜଣ ଗୁରୁତର ଭାବେ ଆହତ ହୋଇ ଏମ୍‌ସରେ ଭର୍ତି ହୋଇଛନ୍ତି। ଗୁରୁତର ଆହତଙ୍କ ମଧ୍ୟରେ ଛାତ୍ର ସଂସଦ ସଭାପତି ଐଶୀ ଘୋଷ୍‌ ଅଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପରିସ୍ଥିିିର ମୁକାବିଲା ଲାଗି ପୁଲିସକୁ କ୍ୟାମ୍ପସ ଭିତରେ ଓ ବାହାରେ ମୁତୟନ କରାଯାଇଛି। ଏହି ଆକ୍ରମଣ ପାଇଁ ଛାତ୍ର ସଂସଦ ଏବିଭିପିକୁ ଦାୟୀ କରିଛି। ଅନ୍ୟପକ୍ଷରେ ବାମପନ୍ଥୀ ଛାତ୍ରଙ୍କୁ ଦାୟୀ କରିଛି ଏବିଭିପି।

ମିଳିଥିବା ରିପୋର୍ଟ ଅନୁଯାୟୀ ଜେଏନ୍‌ୟୁ ଶିକ୍ଷକ ସଂଘର ବୈଠକ ଚାଲିଥିବା ବେଳେ ଦୁର୍ବୃତ୍ତମାନେ ଏଭଳି ଆକ୍ରମଣ କରିଥିଲେ। ‌ଦୁର୍ବୃତ୍ତମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଅନେକ ପ୍ରଫେସର ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପଶ୍ଚିମ ଗେଟ୍‌ ଦେଇ ୫୦ରୁ ଊର୍ଦ୍ଧ୍ବ ‌ଦୁର୍ବୃତ୍ତ ମୁଖା‌ ପିନ୍ଧି କ୍ୟାମ୍ପସ ମଧ୍ୟକୁ ପଶି ଆସି ପ୍ରଥମେ ଛାତ୍ର ସଂସଦ ସଭାପତିଙ୍କ ଉପରେ ଆକ୍ରମଣ କରିଥିଲେ। ସେମାନେ କ୍ୟାମ୍ପସ ମଧ୍ୟରେ ଭଙ୍ଗାରୁଜା ମଧ୍ୟ କରିଥିଲେ। କ୍ୟାମ୍ପସ‌େରେ ଥିବା ଅନେକ କାର୍‌କୁ ନଷ୍ଟ କରିଦେଇଛନ୍ତି।

ଏହା ଏବିଭିପିର କାର୍ଯ୍ୟ ବୋଲି ଐଶୀ ଘୋଷ ଅଭି‌େଯାଗ କିରଥିବା ବେଳେ ଏବିଭିପି ଏହାକୁ ଖଣ୍ଡନ କରିଛି। ବାମଦଳର ଗୁଣ୍ଡାଙ୍କ ଦ୍ବାରା ଏବିଭିପିର ସଦସ୍ୟମାନଙ୍କୁ ଖୋଜି ଖୋଜି ଟାର୍ଗେଟ୍‌ କରାଯାଇଥିବା ଏବିଭିପି ପକ୍ଷରୁ ଜାରି ବିବୃତିରେ ଅଭିଯୋଗ କରାଯାଇଛି।

ଆଉ ଏକ ରିପୋର୍ଟ ଅନୁଯାୟୀ କ୍ୟାମ୍ପସରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।

ଇତିମଧ୍ୟରେ କ୍ୟାମ୍ପ୍‌ସରେ ପୁଲିସ ମୁତୟନ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି। ତେବେ ଛାତ୍ରମାନେ ଅସୁରକ୍ଷିତ ହୋଇପଡ଼ିଲେ ଦେଶର ବିକାଶ କିଭଳି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ପୁଲିସ ପ୍ରୋତ୍ସାହନରେ ଗୁଣ୍ଡାମାନେ କ୍ୟାମ୍ପ୍‌ସରେ ଆକ୍ରମଣ କରିଛନ୍ତି ବୋଲି କଂଗ୍ରେସ ନେତା ରଣଦୀପ ସୁର୍ଯେୱାଲା କହିଛନ୍ତି। ଏହି ମାମଲାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପୋଲିସ କମିସନରଙ୍କୁ ନିର୍ଦେଶ ଦେଇଛନ୍ତି।

ଜେଏନୟୁ ବାହାରରେ କେତେକ ଲୋକ ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବଙ୍କୁ ଧସ୍ତାଧସ୍ତି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପୋଲିସ ଉପସ୍ଥିତିରେ ଜଣେ ପ୍ରଫେସର ତାଙ୍କୁ ମାଡ଼ ମାରିଛନ୍ତି। କିନ୍ତୁ ପୋଲିସ ନିରବ ରହିଥିଲା।

ସମ୍ବନ୍ଧିତ ଖବର