୩ ବିଧାୟକଙ୍କ ପତ୍ତା ମିଳୁନାହିଁ, ଖୋଜି ଖୋଜି ନୟାନ୍ତ ହେଲେଣି କଂଗ୍ରେସ ନେତା

ବାଙ୍ଗାଲୁରୁ : କର୍ଣ୍ଣାଟକ ନିର୍ବାଚନରେ ବିଜେପି, କଂଗ୍ରେସ ଓ ଜେଡିଏସ ମଧ୍ୟରେ ଛକାପଞ୍ଝା ଅବ୍ୟାହତ ରହିଛି । ନିଜ ବିଧାୟକମାନଙ୍କୁ ସୁରକ୍ଷିତ ରଖିବାକୁ କଂଗ୍ରେସ ସେମାନଙ୍କୁ ନେଇ ବାଙ୍ଗାଲୋର ବାହାରେ ଥିବା ଏଗଲଟନ ରିସୋର୍ଟରେ ତାଲା ପକାଇ ରଖିଛି । କିନ୍ତୁ ତଥାପି କିଛି ବିଧାୟକ ହାତରୁ ଖସିଗଲାଭଳି ଲାଗୁଛି । ପ୍ରଥମେ ବିଜୟନଗରରୁ କଂଗ୍ରେସ ବିଧାୟକ ଆନନ୍ଦ ସିଂ ଖସିଗଲେ । ସେ କହିଛନ୍ତି ଯେ ସେ ବିଧାୟକ ଭାବେ ଶପଥ ନେବା ପରେ କଂଗ୍ରେସରୁ ଇସ୍ତଫା ଦେବେ । କିନ୍ତୁ ସେ ବିଜେପିରେ ମିଶିବେ ନାହିଁ । କେବଳ ଆନନ୍ଦ ନୁହେଁ କଂଗ୍ରେସର ଆଉ ଦୁଇଜଣ ବିଧାୟକଙ୍କ ପତ୍ତା ମିଳୁନାହିଁ । ଏହି ଦୁଇ ବିଧାୟକ ହେଲେ ଗ୍ରାମିଣ ବେଲାରୀର ବିଧାୟକ ନାଗେନ୍ଦ୍ର ଓ ଆଉ ଜଣେ ବିଧାୟକ ରାଜଶେଖର ପାଟିଲ । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ସେମାନେ ସ୍ୱାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ଅଛନ୍ତି । କିନ୍ତୁ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଏହି ଦୁଇ ବିଧାୟକଙ୍କୁ ପତ୍ତା ମିଳୁନାହିଁ । ସେମାନଙ୍କୁ ବହୁ ଚେଷ୍ଟା କରି ମଧ୍ୟ କଂଗ୍ରେସ ଖୋଜି ପାଉନାହିଁ ।

ବିଜେପିରେ କର୍ଣ୍ଣାଟକ ବିଧାନସଭାରେ ୧୦୪ ଜଣ ବିଧାୟକ ଥିବାବେଳେ ଦଳ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ଆଉ ଅତିକମରେ ୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଛି । ତେବେ କଂଗ୍ରେସ ବା ଜେଡିଏସର କିଛି ବିଧାୟକ ଆସ୍ଥାଭୋଟ ବେଳେ ଅନୁପସ୍ଥିତ ରହିଲେ ବି ବିଜେପିକୁ ସୁବିଧା ହେବ ।

ସମ୍ବନ୍ଧିତ ଖବର