ଜଣେ ନୁହେଁ ୩ ଜଣ ଭାରତୀୟ ମହାକାଶ ଯିବେ, ପୃଥିବୀ ଛାଡିବାର ମାତ୍ର ୧୬ ମିନିଟରେ ମହାକାଶରେ ପହଞ୍ଚିବେ

ନୂଆଦିଲ୍ଲୀ : ଆସନ୍ତା ୨୦୨୨ ସୁଦ୍ଧା ଭାରତ ମହାକାଶକୁ ମଣିଷ ପଠାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । ଏହି ଲକ୍ଷ୍ୟକୁ ହାସଲ କରିବାକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆସନ୍ତା ୨୦୨୨ ସୁଦ୍ଧା ଭାରତ ମହାକାଶକୁ ଜଣେ ନୁହେଁ ୩ ଜଣକୁ ପଠାଇବ ବୋଲି ଇସ୍ରୋ ଅଧ୍ୟକ୍ଷ କେ. ସିବନ କହିଛନ୍ତି । ସେ କହିଛନ୍ତି ଯେ ଶ୍ରୀହରିକୋଟା ରକେଟ ଉତକ୍ଷେପଣ କେନ୍ଦ୍ରରୁ ‘ଗଗନଯାନ’ ଉତକ୍ଷେପ ହେବାର ମାତ୍ର ୧୬ ମିନିଟ ମଧ୍ୟରେ ୩ ଜଣ ଭାରତୀୟ ମହାକାଶଚାରୀ ମହାକାଶରେ ପହଞ୍ଚିବେ । ସେମାନେ ଲୋ-ଆର୍ଥ ଅରବିଟରେ ୫ରୁ ୭ ଦିନ କଟାଇବା ପରେ ପୃଥିବୀ ପୃଷ୍ଠକୁ ଫେରିଆସିବେ । ମହାକାଶ ଯାନଟି ଗୁଜୁରାଟ ଉପକୂଳ ଆରବ ସାଗରରେ ପଡିବ । ତେବେ ଯଦି କୌଣସି ପ୍ରାକୃତିକ କିମ୍ବା ଯାନ୍ତ୍ରୀକ ତ୍ରୁଟି ଦେଖାଦିଏ ତେବେ ଜରୁରୀପରିସ୍ଥିତିରେ ଗଗନଯାନକୁ ବଙ୍ଗୋପସାଗରରେ ମଧ୍ୟ ପକାଇବାର ଯୋଜନା ରହିଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର