୩ ଜଣଙ୍କୁ ରସାୟନବିଜ୍ଞାନରେ ନୋବେଲ

ଷ୍ଟକ୍‌ହୋମ୍: ୨୦୨୨ ମସିହା ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଅଣୁ ଗଠନ ପାଇଁ ଏକ ନୂତନ ପଦ୍ଧତି ବିକଶିତ କରିଥିବା କାରୋଲିନ ଆର୍. ବର୍ଟୋଜି, ମୋର୍ଟନ ମେଲଡାଲ ଓ କେ. ବାରି ସାର୍ପଲେସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ରୟାଲ ସ୍ବିଡିସ ଏକାଡେମି ଅଫ୍ ସାଇନ୍ସେସ୍ ପକ୍ଷରୁ କୁହାଯାଇଛି। କ୍ଲିକ୍ କେମିଷ୍ଟ୍ରି ଓ ବାୟୋଅର୍ଥୋଗୋନାଲ କେମିଷ୍ଟ୍ରି ପାଇଁ ଉକ୍ତ ତିନିଜଣ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଷ୍ଟାନଫୋର୍ଡ ୟୁନିଭର୍ସିଟିର ପ୍ରଫେସର କାରୋଲିନ ବର୍ଟୋଜି କ୍ଲିକ୍ କେମିଷ୍ଟ୍ରିକୁ ଏକ ନୂଆ ଉଚ୍ଚତାକୁ ନେଇଛନ୍ତି। ଏହାକୁ ସେ ଜୀବନ୍ତ ପ୍ରାଣୀଙ୍କ କ୍ଷେତ୍ରରେ ବିନିଯୋଗ କରିବା ଆରମ୍ଭ କରିଛନ୍ତି। ତାଙ୍କର ବାୟୋଅର୍ଥୋଗୋନାଲ ରିଆକ୍ସନ କୋଷର ସ୍ବାଭାବିକ କେମିଷ୍ଟ୍ରିକୁ ବ୍ୟାହତ ନ କରି ସମ୍ପାଦିତ ହୋଇଥାଏ।

ବାରି ସାର୍ପଲେସ ଓ ମୋର୍ଟନ ମେଲଡାଲ କ୍ଲିକ୍ କେମିଷ୍ଟ୍ରିର ମୂଳଦୁଆ ପକାଇଛନ୍ତି, ଯେଉଁଥିରେ ଅଣୁ ଗଠନକାରୀ ବିଲ୍‌ଡିଂ ବ୍ଲକ୍‌ଗୁଡ଼ିକ (ଯେମିତି ଘରର ବିଲ୍‌ଡିଂ ବ୍ଲକ୍ ହେଉଛି ଇଟା) ଶୀଘ୍ର ଓ ସଫଳଭାବେ ପରସ୍ପର ସହ ଯୋଡ଼ି ହୋଇଯାନ୍ତି। ଆମେରିକୀୟ ପ୍ରଫେସର ସାର୍ପଲେସ ସ୍କ୍ରିପ୍ସ ରିସର୍ଚ୍ଚରେ କାମ କରୁଥିବା ବେଳେ ମେଲଡାଲ ହେଉଛନ୍ତି କୋପେନହାଗେନ ବିଶ୍ବବିଦ୍ୟାଳୟର ପ୍ରଫେସର। ୨୦୨୨ର ନୋବେଲ ପୁରସ୍କାର ଜଟିଳ ପ୍ରକ୍ରିୟାକୁ ସରଳ କରିବା ସହ ସମ୍ବନ୍ଧିତ। କ୍ଲିକ୍ କେମିଷ୍ଟ୍ରି ଓ ବାୟୋଅର୍ଥୋଗୋନାଲ ରିଆକ୍ସନ କେମିଷ୍ଟ୍ରିକୁ କାର୍ଯ୍ୟାତ୍ମକତାର ଯୁଗରେ ନେଇ ପହଞ୍ଚାଇଛନ୍ତି ବୋଲି ଏକାଡେମି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର