ଛିଡା ହୋଇଥିବା ଟ୍ରକରୁ ପ୍ରାୟ ୩୦୦ ଛେଳି ଲୁଟିନେଲେ ଲୋକ, ଭାଇରାଲ ହେଲା ଭିଡିଓ

ପାଟନା: ସୁନା କି ରୂପା ନୁହେଁ ବରଂ ଲୁଟିନେଲେ ଛେଳି | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ବିହାରର ଅରୱାଲରେ ଲୋକମାନେ ପ୍ରାୟ ୩୦୦ଟି ଛେଳି ଲୁଟି ନେଇଥିଲେ। ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ଦିନ ଜାତୀୟ ରାଜପଥ ୧୩୯ର ଉମେରାବାଦରେ ଏକ ଟ୍ରକରୁ ଛେଳି ଲୁଟିବା ମାମଲା ସାମ୍ନାକୁ ଆସିଛି। ଟ୍ରକର ଡ୍ରାଇଭର ଛେଳି ନେଇ ପାଟନାରୁ କୋଲକାତା ଯାଉଥିଲେ। ଏହି ସମୟରେ ଗ୍ରାମବାସୀ ଛେଳି ଲୁଟି ନେଇଥିଲେ। ଲୋକମାନେ ଛେଳି ଧରି ଦୌଡ଼ି ପଳାଇବାକୁ ଲାଗିଥିଲେ | ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ ରାସ୍ତାକଡ଼ରେ ଟ୍ରକ ଡ୍ରାଇଭର ଜଣକ ଟ୍ରକକୁ ରଖି ଶୋଇଥିଲେ | ଆଉ ଟ୍ରକରେ ଛେଳି ଥିବାର ଦେଖି ସ୍ଥାନୀୟ ଲୋକମାନେ ଟ୍ରକରେ ଚଢି ଛେଳି ନେବା ଆରମ୍ଭ କରିଥିଲେ |

ଏବାବଦରେ ଟ୍ରକ ଡ୍ରାଇଭର ଜଣକ ଜାଣିବା ପରେ ମନା କରିଥିଲେ | ତେବେ ଟ୍ରକ ଡ୍ରାଇଭରଙ୍କ କଥା କେହି ଶୁଣିନଥିଲେ | ପ୍ରଥମେ କିଛି ଗ୍ରାମବାସୀ ଛେଳି ଲୁଟ କରୁଥିବାବେଳେ ଏବାବଦରେ ଖବର ପାଇ ପାଖ ଗାଁର ଲୋକମାନେ ମଧ୍ୟ ପହଁଚିଯାଇଥିଲେ | ଆଉ ଲୋକଙ୍କ ଭିଡ ବଢ଼ୁଥିବାର ଦେଖି ବିଚରା ଟ୍ରକ ଡ୍ରାଇଭର ଜଣକ ଡରିଯାଇଥିଲେ |


ଦେଖୁ ଦେଖୁ ଟ୍ରକରେ ଥିବା ପ୍ରାୟ ୩୦୦ଟି ଛେଳିକୁ ଗ୍ରାମବାସୀ ଲୁଟି ନେଇଥିଲେ | ତେବେ ଏହି ଘଟଣା ବାବଦରେ ପୁଲିସ ପାଖରେ କୌଣସି ଖବର ନାହିଁ | ଆଉ ଲୋକମାନେ ଛେଳି ଲୁଟ କରିବା ପରେ ଡ୍ରାଇଭର ଜଣକ ଭୟରେ ଟ୍ରକ ନେଇ ସେଠାରୁ ପଳାଇଥିଲେ | ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ କେହି ପୁଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିନାହାଁନ୍ତି।

ସମ୍ବନ୍ଧିତ ଖବର