ମୁମ୍ବାଇରେ ବର୍ଷା ବିତ୍ପାତ, ୩୫ ମୃତ, ୨୦୩ ବିମାନର ଉଡ଼ାଣ ରଦ୍ଦ

ବିମାନବନ୍ଦରର ମୁଖ୍ୟ ରନ୍‌ୱେ ବନ୍ଦ, ଲୋକାଲ୍‌ ଟ୍ରେନ୍‌ ଚଳାଚଳ ବ୍ୟାହତ

ମୁମ୍ବାଇ: ଗତ ୧୪ ବର୍ଷରେ ସବୁଠାରୁ ଭୟଙ୍କର ବର୍ଷା ଯୋଗୁଁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ବେହାଲ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ଅଂଚଳ ଜଳମଗ୍ନ ହୋଇଥିବା ବେଳେ ରାସ୍ତା ଧସିବା ଯୋଗୁଁ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାତି ତମାମ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ିବାରୁ ୩୫ ଜଣ ଲୋକ ପ୍ରାଣ ହରାଇଛନ୍ତି। ବର୍ଷା ବିପର୍ଯ୍ୟୟଜନିତ ଦୁର୍ଘଟଣା ଯୋଗୁଁ ଶତାଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଆଜି ହସ୍ପିଟାଲ ଗସ୍ତ କରି ଆହତମାନଙ୍କ ଅବସ୍ଥା ଦେଖିଛନ୍ତି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଲୋକଙ୍କୁ ସତର୍କ ରହିବାକୁ ଚେତାବନୀ ଜାରି ହୋଇଛି। ପରିସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ମୁମ୍ବାଇବାସୀ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ମୁମ୍ବାଇରେ ଆଜି ସକାଳ ୮ଟା ୩୦ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୩୭୫.୨ ମିମି ବର୍ଷା ରେକର୍ଡ କରାଯାଇଛି। ବିଗତ ୪୪ ବର୍ଷ ମଧ୍ୟରେ ଦ୍ବିତୀୟ ଥର ପାଇଁ ୨୪ ଘଣ୍ଟା ମଧ୍ୟରେ ଏଭଳି ବୃଷ୍ଟିପାତ ହୋଇଛି। ଏହା ପୂର୍ବରୁ ୨୦୦୫ ଜୁଲାଇ ୨୬ ତାରିଖରେ ଗୋଟିଏ ଦିନରେ ୯୪୪ ମିମି ବର୍ଷା ରେକର୍ଡ କରାଯାଇଥିଲା।

ମୁମ୍ବାଇ ଏୟାରପୋର୍ଟର ମୁଖ୍ୟ ରନ୍‌ୱେକୁ ବନ୍ଦ ରଖାଯାଇଥିବା ବେଳେ ୨୦୩ଟି ବିମାନର ଉଡ଼ାଣ ରଦ୍ଦ ହୋଇଛି ଏବଂ ୫୨ଟି ବିମାନର ଗତିପଥ ବଦଳିଛି। ଏହାଛଡ଼ା ୩୫୦ଟି ବିମାନ ଚଳାଚଳ ସମୟରେ ପରିବର୍ତନ କରାଯାଇଛି। ଗତକାଲି ଜେଟ୍ ଏୟାରୱେଜର ଏକ ବିମାନ ଅବତରଣ କରିବା ସମୟରେ ରନୱେ ଆଗକୁ ଖସିଯିବାରୁ ବିମାନଟି ସେଠାରେ ଫସି ରହିଛି। ଏହି କାରଣରୁ ମୁଖ୍ୟ ରନୱେକୁ ଏବେ ବନ୍ଦ କରି ଦିଆଯାଇଛି। ବିକଳ୍ପ ରନୱେ ବଡ଼ ବଡ଼ ବିମାନ ପାଇଁ ଉପଯୁକ୍ତ ନଥିବାରୁ ଅନେକ ଆନ୍ତର୍ଜାତିକ ବିମାନକୁ ବାତିଲ କରାଯାଇଛି। ଅନେକ ବିମାନକୁ ଅନ୍ୟ ବିମାନବନ୍ଦରକୁ ମଧ୍ୟ ପଠାଇ ଦିଆଯାଉଛି। ସେହିଭଳି ବର୍ଷା ଯୋଗୁଁ ଗତକାଲି ଅପରାହ୍ନରୁ ମୁମ୍ବାଇରେ ରେଳସେବା ବ୍ୟାହତ ହୋଇଛି। ମୁମ୍ବାଇ ସ୍ଥିତି ଜଟିଳ ହେଉଥିବାରୁ ପୌର ନିଗମର ଅନୁରୋଧକ୍ରମେ ନୌସେନା ମୁତୟନ ହୋଇଛନ୍ତି। ଏନଡିଆର୍‌ଏଫ୍‌, ଅଗ୍ନିଶମ ବାହିନୀ ଏବଂ ନୌସେନା ସହାୟତାରେ ପ୍ରାୟ ୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟ ସରକାର ସୁରକ୍ଷା ଦୃଷ୍ଟିରୁ ଆଜି ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି। ଲୋକାଲ୍‌ ଟ୍ରେନ୍‌ ଚଳାଚଳ ବ୍ୟାହତ ହେବାରୁ ଲୋକଙ୍କ ସମସ୍ୟା ବଢ଼ିଯାଇଛି। ପରିସ୍ଥିତି ସୁଧୁରିବା ମାତ୍ରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର