ମହାରାଷ୍ଟ୍ର ପୁଲିସର ଅକଲ ଗୁଡୁମ୍ : କରୋନା ବେଳେ ପାରୋଲରେ ଛଡ଼ାଯାଇଥିବା କଏଦୀଙ୍କ ମଧ୍ୟରୁ ୩୫୦ ଫେରାର୍

ମୁମ୍ବାଇ : କରୋନା ମହାମାରୀ ସମୟରେ ମହାରାଷ୍ଟ୍ର ସରକାର ରାଜ୍ୟର ବିଭିନ୍ନ ଜେଲରେ ଥିବା ପ୍ରାୟ ୪୨୫୩ ଜଣ କଏଦୀଙ୍କୁ ପାରୋଲରେ ଛାଡ଼ିଥିଲେ । କିନ୍ତୁ ମହାମାରୀ ଶେଷ ହେବା ପରେ ଯେତେବେଳେ ସେମାନଙ୍କୁ ଜେଲକୁ ଫେରିବାକୁ କୁହାଗଲା ସେମାନଙ୍କ ମଧ୍ୟରୁ ଅଧିକାଂଶ ଜେଲକୁ ଫେରିଥିଲେ, କିନ୍ତୁ ପ୍ରାୟ ୪୦୦ ଜଣ ଫେରିନଥିଲେ । ଏହା ଦେଖି ପୁଲିସର ହୋସ୍ ଉଡ଼ିଯାଇଥିଲା । ବହୁ ଖୋଜାଖୋଜି ପରେ ପ୍ରାୟ ୧୮ ଜଣ କଏଦୀଙ୍କୁ ଧରି ପୁଣି ଜେଲରେ ଭର୍ତ୍ତି କରାଯାଇଛି । ଆଉ କିଛି ମୃତ୍ୟୁବରଣ କରିଛନ୍ତି । ମାତ୍ର ଏବେ ବି ପ୍ରାୟ ୩୫୦ କଏଦୀ ଫେରାର ଅଛନ୍ତି । ଏବେ ସେମାନଙ୍କ ଖୋଜା ଚାଲିଛି ।

ମୁମ୍ବାଇ ପୋଲିସର ଯୁଗ୍ମ ପୋଲିସ କମିଶନର (ଆଇନ ଶୃଙ୍ଖଳା) ସତ୍ୟନାରାୟଣ ଚୌଧୁରୀ କହିଛନ୍ତି ଯେ କୋଭିଡରେ ଅପରାଧୀମାନଙ୍କୁ ପାରୋଲରେ ମୁକ୍ତ କରାଯାଇଥିଲା, ଯେତେବେଳେ କୋଭିଡ ଶେଷ ହୋଇଥିଲା, ସେମାନଙ୍କୁ ଜେଲକୁ ଫେରିବାକୁ କୁହାଯାଇଥିଲା,  କିନ୍ତୁ ସେମାନେ ଆସିନଥିଲେ ।

ଚୌଧୁରୀ କହିଛନ୍ତି ଯେ ଆମେ ସମ୍ପୂର୍ଣ୍ଣ ତାଲିକା ନେଇଛୁ ଏବଂ ସେହି ଅନୁଯାୟୀ ସମସ୍ତ ଥାନାକୁ ଦାୟିତ୍ୱ ଦେଇଛୁ। ବର୍ତ୍ତମାନ ସୁଦ୍ଧା ଆମେ ୧୮ ଜଣଙ୍କୁ ଧରି ଜେଲ ପଠାଇଦେଇଛୁ। କିଛି ଲୋକଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।

ମୁମ୍ବାଇ ଓ ମହାରାଷ୍ଟ୍ରର ୨୦ଟି ଜେଲରେ ୩୫ ହଜାରରୁ ଅଧିକ କଏଦୀ ରହିଛନ୍ତି, ଯାହା କି ଜେଲଗୁଡ଼ିକର ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ। ୨୦୨୦ରେ ମହାରାଷ୍ଟ୍ର ଜେଲରୁ ୪୨୫୩ ଜଣ ଦୋଷୀ ସାବ୍ୟସ୍ତ କଏଦୀଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇଥିଲା, କିନ୍ତୁ କରୋନା ସରିବା ପରେ ଜେଲକୁ ଫେରିବାର ସମୟ ଆସିବା ପରେ ପାଖାପାଖି ୪୦୦ ଜଣ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲେ ।

ସମ୍ବନ୍ଧିତ ଖବର