ମୋଦୀଙ୍କ ନାମରେ ଭୋଟ ମାଗିଲେ ବିଜେପି ନେତାଙ୍କୁ ଚପଲରେ ପିଟନ୍ତୁ: ପ୍ରମୋଦ ମୁଥାଲିକ୍

ବେଙ୍ଗାଲୁର୍: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ରାଜ୍ୟ ରାଜନୀତି । ବିଜେପି ନେତାଙ୍କ ଉପରେ ବର୍ଷିଛନ୍ତି ରାଷ୍ଟ୍ରିୟ ହିନ୍ଦୁ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ବିଜେପି ନେତା ଭୋଟ୍ ମାଗୁଥିବା ସେ ଅଭିଯୋଗ କରିଛନ୍ତି। ମୋଦୀଙ୍କ ନାମ ଏବଂ ଫଟୋ ବ୍ୟବହାର ନକରି ଭୋଟ ସଂଗ୍ରହ କରନ୍ତୁ ବୋଲି ସେ ବିଜେପି ନେତାମାନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।

ସେ ଦଳୀୟ କର୍ମୀମାନଙ୍କୁ କହିଛନ୍ତି ଯେ, ଏଥର ମୋଦୀଙ୍କ ନାମ ବ୍ୟବହାର ନକରି ଭୋଟ୍ ମାଗନ୍ତୁ। ପାମ୍ପଲେଟ୍ ଏବଂ ବ୍ୟାନରରେ ମୋଦୀଙ୍କ ଫଟୋ ରଖନ୍ତୁନି । ଭୋଟରଙ୍କୁ କୁହ, କି ତୁମେମାନେ ବିକାଶ କରିଛ, ତୁମେ ଗୋ ରକ୍ଷା କରିଛ, ତୁମେ ହିଁ ହିନ୍ଦୁତ୍ୱ ପାଇଁ କାମ କରିଛ । ତୁମେ କେବଳ ଛାତିକୁ ପିଟି ଗର୍ବର ସହ କୁହ ତୁମେ ପରିଶ୍ରମ କରୁଛ, ତେଣୁ ତୁମେ ତୁମର କାମ କରିବାର ଦକ୍ଷତାକୁ ଦେଖାଇ ଭୋଟ ମାଗ ବୋଲି ମୁଥାଲିକ୍ କରୱାରଠାରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି। ସେପଟେ ଭାରତୀୟ ଜନତା ପାର୍ଟି ସପକ୍ଷରେ ଭୋଟ୍ ନଦେବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । କାରଣ ସେହି ଦଳ କେବଳ “ମୋଦୀଙ୍କ ନାମ ନେବାର” ଜାଣିଛି।

ସେମାନେ ମୋଦୀଙ୍କ ନାମ ନନେଇ ଭୋଟ ମାଗିବାର ଜାଣିନାହାନ୍ତି। ସେମାନେ ପୁଣି ଆପଣଙ୍କ ଦ୍ବାରକୁ ଆସିବେ। ମୋଦୀଙ୍କ ନାମ ନେଇ ଭୋଟ ମାଗିଲେ ସେମାନଙ୍କୁ ଚପଲରେ ପିଟନ୍ତୁ। ସେହି ଅଦରକାରୀ ଲୋକମାନେ କେବଳ ମୋଦୀଙ୍କ ନାମ ନେବାର ଜାଣନ୍ତି, କର୍ମୀଙ୍କ ସମସ୍ୟା ବୁଝି ପାରନ୍ତିନି ବୋଲି ପ୍ରମୋଦ ମୁଥାଲିକ୍ କହିଛନ୍ତି।

ସମ୍ବନ୍ଧିତ ଖବର