ଜମ୍ମୁ କଶ୍ମୀରରେ ୨୦୦ ପଥର ମାଡ଼ ଘଟଣା: ୫୧ ସୁରକ୍ଷା କର୍ମୀ ଆହତ

ନୂଆଦିଲ୍ଲୀ : ଅଗଷ୍ଟ ୫ ତାରିଖରେ ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ୨୦୦ରୁ ଅଧିକ ପଥର ମାଡ଼ ଘଟଣା ସାମ୍ନାକୁ ଆସିଛି। ଏଥି‌ଯୋଗୁଁ ୫୧ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି ବୋଲି ଗୃହ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ମଙ୍ଗଳବାର ଦିନ ମଧ୍ୟ ଦୁଇଟି ପେଟ୍ରୋଲ ପମ୍ପ୍‌ରେ ଜୋରଦାର ପଥର ମାଡ଼ ହୋଇଥିଲା। ଖନୟାରର ସିଆରପିଏଫ୍‌ ଶିବିର ଏବଂ ନାଓହଟ୍ଟାରେ ମଧ୍ୟ ପଥର ମାଡ଼ ହୋଇଥିଲା। ତେବେ ଏଥିଯୋଗୁଁ ସେମିତି କିଛି ବଡ଼ ଧରଣର କ୍ଷତି ଘଟିନାହିଁ। କିଛି ସ୍ଥାନରେ ହିଂସା ସୃଷ୍ଟିକାରୀଙ୍କୁ ଘଉଡ଼ାଇବା ପାଇଁ ପେଲେଟ ଗୁଳି ମାଡ଼ ଏବଂ ଟିୟର ଗ୍ୟାସ୍ ସେଲ୍‌ ମଧ୍ୟ ପ୍ରୟୋଗ ହୋଇଛି ବୋଲି ଜଣାପଡ଼ିଛି। ଧାରା ୩୭୦ ଉଚ୍ଛେଦ ପରେ ଗତକାଲି ବାରମୁଳାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ପ୍ରମଥ ଏନ୍‌କାଉଣ୍ଟର୍‌ରେ ଜଣେ ପୁଲିସ ଏସଏଚ୍ଓ ସହିଦ ହୋଇଥିଲେ ଏବଂ ଜ‌ଣେ ଆତଙ୍କବାଦୀ ନିହତ ହୋଇଥିଲା‌। ତେବେ ଏନ୍‌କାଉଣ୍ଟର ସମୟରେ ମଧ୍ୟ ଜୋରଦାର ପଥର ମାଡ଼ ହୋଇଥିବା ଖବର ଆଜି ସାମ୍ନାକୁ ଆସିଛି। ସରକାରୀ ଅଧିକ‌ାରୀଙ୍କ ସୂତ୍ରରୁ କୁହାଯାଇଛି ଗତ ସୋମବାରଠାରୁ ଜମ୍ମୁ କଶ୍ମୀରରେ ସମସ୍ତ ସ୍କୁଲ୍‌ ଗୁଡ଼ିକ ଖୋଲିଥିଲେ ମଧ୍ୟ ପିଲାମାନେ ଭୟରେ ସ୍କୁଲ୍‌ ଆସୁନାହାନ୍ତି । ଅଧିକାଂଶ ସ୍ଥାନରେ ଲ୍ୟାଣ୍ଡଲାଇନ୍‌ ଫୋନ୍‌ ସଂଯୋଗ ଦିଆଯାଇଥିଲେ ମଧ୍ୟ ଇଣ୍ଟରନେଟ୍‌ ଏବଂ ମୋବାଇଲ୍‌ ଯୋଗାଯୋଗ କରାଯାଇ ନାହିଁ।

ସମ୍ବନ୍ଧିତ ଖବର