ଦେଶରେ ୫୪୮ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ ଏହି ଲଢ଼େଇର ସମ୍ମୁଖ ଭାଗରେ ଥିବା ଯୋଦ୍ଧା ଯଥା ଡାକ୍ତର, ନର୍ସ‌୍ ଏବଂ ସ୍ବାସ୍ଥ୍ୟକର୍ମୀମାନେ ବି କରୋନା ସଂକ୍ରମଣରୁ ବାଦ୍‌ ପଡ଼ିନାହାନ୍ତି। ଦେଶରେ ଏବେ ୫୪୮ ଡାକ୍ତର, ନର୍ସ‌୍ ଏବଂ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ମୋଟ୍‌ ୫୪୮ ଡାକ୍ତର, ନର୍ସ‌୍ ଏବଂ ପାରାମେଡିକ୍ସ କରୋନା ସଂକ୍ରମିତ ହୋଇଛନ୍ତି। ଏଥିରେ ଫିଲ୍ଡ କର୍ମୀ, ୱାର୍ଡ ବୟ, ସଫେଇ କର୍ମୀ, ସୁରକ୍ଷାକର୍ମୀ, ଲ୍ୟାବ୍‌ ଆଟେଣ୍ଡାଣ୍ଟ୍‌ , ପିଅନମାନେ ସାମିଲ ନାହାନ୍ତି। ଦେଶରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ହସ୍ପିଟାଲ୍‌ ଗୁଡ଼ିକରେ ଏହି ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କେବଳ ଦିଲ୍ଲୀରେ ୬୯ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୨୭୪ ନର୍ସ ଓ ପାରାମେଡିକ୍ସ କରୋନା ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ର ପରିଚାଳିତ ସଫଦରଜଙ୍ଗ ହସ୍ପିଟାଲ୍‌ରେ ୧୩ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ କରୋନା‌ ଆକ୍ରାନ୍ତ ହୋଇଛନ୍ତି। ଏମ୍ସ ହସ୍ପିଟାଲ୍‌ରୁ ମଧ୍ୟ ଜଣେ ଡାକ୍ତର, ୫ ଜଣ ନର୍ସଙ୍କ ସମେତ ୧୦ ଜଣ ସ୍ବାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର