ମହାରାଷ୍ଟ୍ର ଚିନ୍ତାର କାରଣ : ଆକ୍ରାନ୍ତ ସଂଖ୍ୟା ୧୫ ହଜାର ଟପିଲା

ସ୍ଥିତି ସମୀକ୍ଷା କଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ : ‌ଲକ୍‌ଡାଉନ୍‌ କୋହଳ ହେବାପରଠାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ଦେଶରେ ସରକାରୀ ଭାବେ ୪୯ହଜାର ଟପିଛି। କିନ୍ତୁ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ଏବେ ଚିନ୍ତାର କାରଣ ହୋଇଛି। ମହାରାଷ୍ଟ୍ରର ୩୬ଟି ଜିଲ୍ଲାରୁ ୩୪ଟି ଜିଲ୍ଲା କରୋନା ପ୍ରଭାବିତ ହେବା ଖୁବ୍‌ ଚିନ୍ତାଜନକ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ରାଜ୍ୟ କର୍ତ୍ତୃପକ୍ଷମାନଙ୍କ ସହ କୋଭିଡ୍‌ ସ୍ଥିତି ନେଇ ସମୀକ୍ଷା ବୈଠକ କରିବାବେଳେ କହିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଥୋପେଙ୍କ ସହ ଅନଲାଇନ୍‌ ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ମୁମ୍ବାଇ, ଥାନେ, ପୁନେ, ନାସିକ, ନାଗପୁର, ଔରଙ୍ଗାବାଦ ଓ କୋହ୍ଲାପୁରରେ ଅଧିକ ସଂକ୍ରମଣ ବଢ଼ୁଛି। ରୋଗ ନିୟନ୍ତ୍ରଣ ପାଇଁ ଉପରୋକ୍ତ ୭ଟି ଜିଲ୍ଲା ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ହର୍ଷବର୍ଦ୍ଧନ କହିଛନ୍ତି। ବୁଧବାର ଅପରାହ୍ନ ୨ଟା ସୁଦ୍ଧା ମହାରାଷ୍ଟ୍ର‌ରେ ୧୫,୫୨୫ ମାମଲା ରିପୋର୍ଟ କରାଯାଇଛି ଏବଂ ଭାରତର ମୋଟ୍‌ ୧୬୯୪ ମୃତ୍ୟୁରୁ ମହାରାଷ୍ଟ୍ରରେ ୬୧୭ଟି ରହିଛି। ମହାରାଷ୍ଟ୍ରରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବାପାଇଁ କେନ୍ଦ୍ରୀୟ ଟିମ୍‌ ମୁତୟନ ହୋଇଛନ୍ତି। ଏନ୍‌ସିଡିସି (ନ୍ୟାସନାଲ୍‌ ସେଣ୍ଟର ଅଫ୍‌ ଡିଜିଜ୍‌ କଣ୍ଟ୍ରୋଲ୍‌) ଟିମ୍‌ ମହାରାଷ୍ଟ୍ରରେ ସ୍ଥିତି ସମୀକ୍ଷା କରୁଛନ୍ତି। ତେବେ ରୋଗ ନିୟନ୍ତ୍ରଣ ପାଇଁ ବିଭିନ୍ନ ଦିଗରେ ଗୁରୁତ୍ବାରୋପ କରାଯାଇଛି। ମହାରା‌ଷ୍ଟ୍ରରେ ସ୍ଥିତି ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ସବୁପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ ହର୍ଷବର୍ଦ୍ଧନ ଏନେଇ ଆଲୋଚନା ବୈଠକ କରିବେ ବୋଲି କହିଛନ୍ତି।

ଖାଲି ମହାରାଷ୍ଟ୍ର ନୁହେଁ, ଗୁଜରାଟରେ ମଧ୍ୟ ସଂକ୍ରମଣ ମାମଲା ବଢ଼ିଛି। ଗୁଜରାଟରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୬୨୪୫ ପହଞ୍ଚିଥବାବେଳେ ୩୬୮ ଜଣଙ୍କ ମୃତ୍ୟୁ ହୋଇଛି। ଗୁଜରାଟରେ ସଂକ୍ରମଣ ବଢ଼ୁଥିବାରୁ ହର୍ଷବର୍ଦ୍ଧନ ଆଜି ଗୁଜରାଟ ସ୍ଥିତି ମଧ୍ୟ ସମୀକ୍ଷା କରିଛନ୍ତି। ଗୁଜରାଟ ପରେ ଦିଲ୍ଲୀରେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ୫ହଜାର ଟପିଛି ଏବଂ ୬୪ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର