ଚିକିତ୍ସା ପାଇଁ ୮ ହସ୍ପିଟାଲ୍‌ ବୁଲିଲେ, ସବୁଠି ନରାଶ ହେବା ପରେ ଶେଷରେ ପ୍ରାଣ ହାରିଲେ ଗର୍ଭବତୀ ମହିଳା

ନଏଡ଼ା: ନଏଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୮ ମାସର ଗର୍ଭବତୀ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ମଧ୍ୟ ତାଙ୍କୁ ଦୀର୍ଘ ୧୩ ଘଣ୍ଟା ଧରି ୮ଟି ହସ୍ପିଟାଲ୍‌ ବୁଲିବାକୁ ପଡ଼ିଥିଲା। କିନ୍ତୁ ସବୁଠି ନିରାଶ ହେବାପରେ ଗର୍ଭବତୀ ମହିଳା ଜଣଙ୍କ ଶେଷରେ ଆମ୍ବୁଲାନ୍ସରେ ପ୍ରାଣ ହରାଇଛନ୍ତି। ମହିଳାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଏନେଇ ଅଭିଯୋଗ ହେବାପରେ ଗୌତମ ବୁଦ୍ଧ ନଗର ଜିଲ୍ଲା ପ୍ରଶାସନ ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ନଏଡ଼-ଗାଜିଆବାଦ୍‌ ସୀମା ସ୍ଥିତ ଖୋଡ଼ା କଲୋନି ବାସିନ୍ଦା ହେଉଛନ୍ତି ନିଲମ୍‌। ସେ ୮ ମାସର ଗର୍ଭବତୀ ଥିଲେ ଏବଂ ଗର୍ଭଧାରଣା ଜନିତ ଜଟିଳତା ପାଇଁ ସେ ଶିବଲିକ ହସ୍ପିଟାଲ୍‌ ନାମକ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ଦିନ ନିଲମ୍‌ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ ଏବଂ ତାଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା ।

ସେ ନିୟମିତ ଚିକିତ୍ସିତ ହେଉଥିବା ହସ୍ପିଟାଲ୍‌ ଶିବଲିକରେ ପହଞ୍ଚିଥିଲେ। କିନ୍ତୁ ଉକ୍ତ ହସ୍ପିଟାଲ୍‌ ତାଙ୍କୁ ଫେରାଇଦେଇଥିଲା। ନିଲମ ଏବଂ ତାଙ୍କ ସ୍ବାମୀ ଇଏସ୍‌ଆଇ ହସ୍ପିଟାଲ୍‌ ଯାଇଥିଲେ। ସେଠାରୁ ସେକ୍ଟର ୩୦ର ଚାଇଲ୍ଡ ପିଜିଆଇ , ଶାରଦା ହସ୍ପିଟାଲ୍‌ ଏବଂ ଗଭର୍ଣ୍ଣମେଣ୍ଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକରଲ ସାଇନ୍ସେସ୍‌କୁ ଯାଇଥିଲେ। କିନ୍ତୁ ସବୁଠି ତାଙ୍କୁ ନିରାଶ ହେବାକୁ ପଡ଼ିଲା। ଫୋର୍ଟିସ୍‌ ଏବଂ ମ୍ୟାକ୍ସ ହସ୍ପିଟାଲ୍‌ ଯାଇ ମଧ୍ୟ ମହିଳା ଜଣଙ୍କ ନିରାଶ ହୋଇଥିଲେ। ଏହାପରେ ମହିଳା ଜଣଙ୍କ ଆମ୍ବୁଲାନ୍ସରେ ହିଁ ପ୍ରାଣ ହରାଇଥିବା ଜଣାପଡ଼ିଛି। ଗୌତମ ବୁଦ୍ଧ ନଗର ଜିଲ୍ଲାପାଳ ସୁହାସ ଏଲ୍‌ୱାଇ ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ନାଥ ଉପାଧ୍ୟାୟ ଏବଂ ମୁଖ୍ୟ ମେଡିକାଲ ଅଧିକ‌ାରୀ ଦୀପକ ଓହରି ଉକ୍ତ ଘଟଣାର ତଦନ୍ତ କରିବେ। ତେବେ ୧୫ ଦିନ ମଧ୍ୟରେ ଗୌତମ ବୁଦ୍ଧ ନଗରରେ ଏହା ଦ୍ବିତୀୟ ଘଟଣା। ମେ’ ୨୫ ତାରିଖ ରାତିରେ ଏକ ନବଜାତ ଶିଶୁର ମଧ୍ୟ ସମାନ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା। ନବଜାତ ଶିଶୁର ବାପା ବିଭିନ୍ନ ହସ୍ପିଟାଲ୍‌ ଯାଇଥିଲେ ମଧ୍ୟ ସବୁଠି ତାଙ୍କୁ ଫେରାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର