ତ୍ରିପୁରା : ଆତ୍ମସମର୍ପଣ କଲେ ୮୮ ଏନଏଲଏଫଟି ଚରମପନ୍ଥୀ

ଗୌହାଟୀ : ବିଗତ ତିନି ଦଶନ୍ଧି ଧରି ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ଥିବା ତ୍ରିପୁରା ଜାତୀୟ ମୁକ୍ତି ସାମୁଖ୍ୟ( ସବିର ଦେବର୍ମା ଗୋଷ୍ଠୀ) ( ଏନଏଲଏଫଟି-ଏସଡି)ର ୮୮ ଜଣ କ୍ୟାଡର ଆଜି ତ୍ରିପୁରା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତ୍ରିପୁରାର ଢଲାଇ ଜିଲ୍ଲାର ଅମ୍ବାସାଠାରେ ସେମାନେ ନିଜ ନିଜର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଅନ୍ୟ ବିଦ୍ରୋହୀମାନେ ମଧ୍ୟ ଅସ୍ତ୍ରତ୍ୟାଗ କରି ମୋଦୀଜୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ କହିଛନ୍ତି ।

 

୩ ଦିନ ତଳେ ଏନଏଲଏଫଟି-ଏସଡି, ଭାରତ ସରକାର ଓ ତ୍ରିପୁରା ସରକାରଙ୍କ ସହ ଏକ ତ୍ରିପାକ୍ଷିକ ଚୁକ୍ତି କରିଥିଲା । ଏହି ବୁଝାମଣା ଅନୁସାରେ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ରାଜି ହୋଇଛି ଏନଏଲଏଫଟି-ଏସଡି । ଆଜି ଅସ୍ତ୍ରତ୍ୟାଗ କରିଥିବା ୮୮ ଜଣ କ୍ୟାଡରଙ୍କୁ ସରକାରଙ୍କ ତରଫରୁ ଥଇଥାନ ଓ ପୁନର୍ବାସ ପ୍ୟାକେଜ ପ୍ରଦାନ କରାଯିବ । ଏହାଛଡା ଆଦିବାସୀ ଅଂଚଳରେ ବିକାଶମୂଳକ କାର୍ଯ୍ୟ ପାଇଁ ସରକାର ରାଜି ହୋଇଛନ୍ତି ।

ସବୀର କୁମାର ଦେବରମାଙ୍କ ନେତୃତ୍ୱାଧୀନ ଏନଏଲଏଫଟି-ଏସଡିକୁ ଭାରତ ସରକାର ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ଅନୁସାରେ ୧୯୯୭ରୁ ନିଷିଦ୍ଧ ରହିଥିଲା । ଏହି ସଂଗଠନ ସୀମା ସେପଟେ ମ୍ୟାମାରରେ ନିଜର କ୍ୟାମ୍ପ କରି ଭାରତୀୟ ସେନା ଉପରେ ଆକ୍ରମଣ କରୁଥିଲା । ୨୦୦୫ରୁ ୨୦୧୫ ମଧ୍ୟରେ ଏହି ସଂଗଠନର ଆକ୍ରମଣରେ ୨୮ ସୁରକ୍ଷା ବଳ ଓ ୬୨ ଜଣ ସାଧାରଣ ନାଗରିକ ନିହତ ହୋଇଥିଲେ ।

ସମ୍ବନ୍ଧିତ ଖବର