ଟ୍ରେନରୁ ମିଳିଲା ଲାଲ୍ ରଙ୍ଗର ସୁଟକେସ୍, ଭର୍ତ୍ତି ହୋଇଥିଲା ୧.୪୦ କୋଟିର ନଗଦ ଟଙ୍କା

ଲକ୍ଷ୍ମୌ:  ଉତ୍ତରପ୍ରଦେଶର କାନପୁର ସେଣ୍ଟ୍ରାଲ ଷ୍ଟେସନରୁ ଟଙ୍କା ଭର୍ତ୍ତି ଲାଲ ରଙ୍ଗର ସୁଟକେସ ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ସୁଟକେସରେ ଦୁଇ ହଜାର, ପାଞ୍ଚ ଶହ, ଦୁଇ ଶହ ଶହ ଟଙ୍କାର ନୂଆ ନୋଟ ଥିବା ଦେଖିବାକୁ ମିଳିଛି।

ଜିଆରପି ପୁଲିସ ଅନୁଯାୟୀ, ସୁଟକେସରୁ ପ୍ରାୟ ୧.୪୦ କୋଟି ଟଙ୍କା ଜବତ କରାଯାଇଛି। ଏ ନେଇ ଜିଆରପି ଏବଂ ରେଳ ପ୍ରଶାସନର ଅଧିକାରୀମାନେ ଆୟକର ବିଭାଗକୁ ସୂଚନା ଦେଇଛନ୍ତି।

ସୋମବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀରୁ ବିହାରକୁ ଯାଉଥିବା ସ୍ବତନ୍ତ୍ର ସଂଗ୍ରାମ ସେନାନୀ ସ୍ପେଶାଲ ଟ୍ରେନଟି କାନପୁର ସେଣ୍ଟ୍ରାଲ ଷ୍ଟେସନରେ ପହଞ୍ଚିଥିଲା। ଏହି ସମୟରେ ପ୍ୟାଣ୍ଟ୍ରି କାରର କର୍ମଚାରୀମାନେ ଅନେକ ସମୟ ହେବ ଏକ ଲାଲ୍ ରଙ୍ଗର ସୁଟକେସ୍ ପଡ଼ିଥିବା ଦେଖିବାକୁ ପାଇଥି‌‌ଲେ। ଯାତ୍ରୀମାନେ ଯିବା ଆସିବା କରୁଥିବା ବେଳେ ଏହି ବ୍ୟାଗକୁ କେହି ହେଲେ ନେଇ ନଥିଲେ। ଏହାପରେ ସେମାନେ ଜିଆରପି ଓ ଆରପିଏଫକୁ ଏ ବିଷୟରେ ସୂଚନା ଦେଇଥିଲେ ।

Image result for a-bag-full-of-money-was-found-in-a-train

ସୂଚନା ପାଇବା ମାତ୍ରେ ଜିଆରପି ଏବଂ ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ସୁଟକେସ ଜବତ କରିଥିଲେ। ଆରପିଏଫ, ଜିଆରପି ଏବଂ ରେଳ ଷ୍ଟେସନ ଅଧିକାରୀଙ୍କ ସାମ୍ନାରେ ଏହି ସୁଟକେସ ଖୋଲା ଯାଇଥିଲା। ଯେତେବେଳେ ସୁଟକେସ୍ ଖୋଲାଗଲା, ସେଠାରେ ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବାସ୍ତବରେ ପୁରା ସୁଟକେସ୍ ନୋଟରେ ଭରି ରହିଥିଲା । ଏହାପ‌ରେ ଜିଆରପି ପୁଲିସ ସୁଟକେସର ମାଲିକଙ୍କୁ ଖୋଜିବା ପାଇଁ ଚେଷ୍ଟା କରିଥିଲା, କିନ୍ତୁ ସୁଟକେସଟି କାହାର ତାହା ଜଣାପଡ଼ି ନଥିଲା। ଏହି କାରଣରୁ ସୁଟକେସକୁ ଜିଆରପିକୁ ହସ୍ତାନ୍ତର କରି ଆୟକର ବିଭାଗକୁ ରିପୋର୍ଟ କରାଯାଇଛି।

ସମ୍ବନ୍ଧିତ ଖବର