୭୦୦ ପୁଲିସ କର୍ମଚାରୀଙ୍କ ମିଳିତ ପ୍ରୟାସ, ନାବାଳିକା ଦୁଷ୍କର୍ମକାରୀ ୨୪ ଘଣ୍ଟାରେ ଗିରଫ

ଜୟପୁର: ଜୟପୁରରେ ଜଣେ ୪ ବର୍ଷର ବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ୭୦୦ ରାଜସ୍ଥାନ ପୁଲିସ କର୍ମଚାରୀ ନିୟୋଜିତ ହୋଇଥିଲେ। ସେମାନେ ୧୫ କିଲୋମିଟର ଅଞ୍ଚଳରେ ୨୦ ଘଣ୍ଟା ଖୋଜାଖୋଜି କରିବା ପରେ ଅଭିଯୁକ୍ତ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ପୀଡିତା ତାଙ୍କ ଘରୁ ନିଖୋଜ ହୋଇଯାଇଥିଲେ ଏବଂ ତାଙ୍କ ମୃତଦେହ ଗୁରୁବାର ଦିନ ତାଙ୍କ ଘରଠାରୁ ୩ କିଲୋମିଟର ଦୂରରେ ଥିବା ଏକ ପୋଖରୀ ନିକଟରେ ଦେଖିବାକୁ ମିଳିଥିଲା। ପରିବାର ସଦସ୍ୟ ଏବଂ ଗ୍ରାମବାସୀ ମୃତଦେହ ନେବାକୁ ମନା କରି ଗୁରୁବାର ଦିନ ଜୟପୁର ଗ୍ରାମାଞ୍ଚଳର ନରେନା ଥାନା ଅଧୀନରେ ଥିବା ଏକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଧାରଣା ଦେଇଥିଲେ। ମାମଲାର ଗମ୍ଭୀରତାକୁ ଦେଖି ଜୟପୁର ଗ୍ରାମାଞ୍ଚଳ ଏସ୍‌ପି ଶଙ୍କର ଦତ୍ତ ଶର୍ମା ଏହାର ତ୍ବରିତ ସମାଧାନ ପାଇଁ ତାଙ୍କ ଅଧୀନରେ ଥିବା ତିନିଜଣ ଅତିରିକ୍ତ ଏସ୍‌ପି, ପାଞ୍ଚଜଣ ଡିଏସ୍‌ପି ଏବଂ ୨୬ଜଣ ଏସ୍‌ଏଚ୍‌ଓଙ୍କୁ ନିୟୋଜିତ କରିଥିଲେ। ସେମାନଙ୍କ ସହ ୭୦୦ ପୁଲିସ୍ କର୍ମଚାରୀ ଅପରାଧୀକୁ ଖୋଜିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏଥିପାଇଁ ୩୦ରୁ ଅଧିକ ଟିମ୍‌ ଗଠନ କରାଯାଇଥିଲା ଏବଂ ସେମାନେ ପ୍ରାୟ ୨୦ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିଥିଲେ। କୌଣସି ସୁରାକ କିମ୍ବା ପ୍ରମାଣ ନ ଥିବାରୁ ଏହା ଆମ ପାଇଁ ଏକ ବଡ଼ ଆହ୍ବାନ ଥିଲା ବୋଲି ନରେନା ପୁଲିସ ଷ୍ଟେସନରେ ଏସ୍‌ପି ଶର୍ମା ଗଣମାଧ୍ୟମକୁ କହିଛନ୍ତି। ମୃତଦେହ ଉଦ୍ଧାର ହେବାର ୨୦ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସୁରେଶ ବାଲାଇକୁ ଗିରଫ କରାଯାଇଥିବା ସେ କହିଛନ୍ତି।

ଶର୍ମା କହିଛନ୍ତି ଯେ ଅଭିଯୁକ୍ତ ନରେନା ପୁଲିସ ଷ୍ଟେସନ ଅନ୍ତର୍ଗତ ଏକ ଗାଁର ବାସିନ୍ଦା ଏବଂ ସେ ପାଞ୍ଚ ବର୍ଷ ହେବ ବିବାହ କରିଛି। ଅଭିଯୁକ୍ତ ଜଣକ ପାଖରେ ମୋବାଇଲ୍ ଫୋନ୍ ବି ନ ଥିଲା। ତେବେ ତାକୁ ଠାବ କରିବା ପାଇଁ ସବୁସ୍ତରରେ ନିଷ୍ଠାପର ପ୍ରୟାସ ହେବାରୁ ସଫଳତା ମିଳିଲା ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର