ଯମୁନା ଏକ୍ସ‌ପ୍ରେସ୍‌ୱେ‌ରେ ଦୁର୍ଘଟଣା, ନାଳକୁ ବସ୍‌ ଖସି ୨୯ ମୃତ

ଚଳିତ ବର୍ଷ ୨୪୭ ଦୁର୍ଘଟଣା, ୧୨୭ ଜଣଙ୍କ ମୃତ୍ୟୁ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ନିକଟ ଯମୁନା ଏକ୍ସପ୍ରେସ୍‌‌ୱେରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଯୋଗୁଁ ୨୯ ଜଣଙ୍କ ଜୀବନ ଯାଇଛି। ଏଥିରେ ୨୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଗ୍ରା ଜିଲ୍ଲାର ଏତମାଦପୁରରେ ଏହି ଦୁର୍ଘଟଣା ଭୋର ୪.୧୫ ସମୟରେ ଘଟିଛି। ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାତ୍ରା‌ କରୁଥିବା ୟୁପିଆରସିଟିସି (ଉତ୍ତରପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ)ର ଏକ ବସ୍‌ ଯମୁନା ଏକ୍ସ‌ପ୍ରେସ୍‌ୱେରେ ନିୟନ୍ତ୍ରଣ ହରାଇ ଡିଭାଇଡର ଭାଙ୍ଗୀ ୪୦ ଫୁଟ୍‌ ଗଭୀର ନାଳକୁ ଖସି ପଡ଼ିବା ଫଳରେ ୨୯ ଜଣଙ୍କ ମୃତ୍ୟୁ ହୋଇଛି। ଗତରାତି ୧୦.୩୦ରେ ଏହି ବସ୍‌ ଲକ୍ଷ୍ନୌ ଛାଡ଼ିଥିଲା।

ମିଳିଥିବା ସୂଚନା ଅନୁଯାୟୀ ବସ୍‌ ଡ୍ରାଇଭର ଘୁମାଇ ପଡ଼ିବା ଯୋଗୁଁ ବସ୍‌ଟି ଏକ ଡିଭାଇଡର୍‌ରେ ପିଟି ହୋଇ ନାଳ ମଧ୍ୟକୁ ଖସି ପଡ଼ିଥିଲା। ଆଗ୍ରା ଏସ୍‌ପି ବବ୍‌ଲୁ କୁମାର କହିଛନ୍ତି ଯେ ଏହି ଦୁର୍ଘଟଣାର ସମସ୍ତ ଉଦ୍ଧାର କାର୍ଯ୍ୟ ଅପରାହ୍ନରେ ଶେଷ ହୋଇଛି। ସନ୍ଧ୍ୟା‌ ସୁଦ୍ଧା ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆହତମାନେ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣା ସମୟରେ ବସ୍‌ରେ ସମୁଦାୟ ୫୨ ଜଣ ଯାତ୍ରୀ ଥିଲେ। ଆଗ୍ରା ପୁଲିସ ପକ୍ଷରୁ ୧୮ ମୃତକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ୬ ଜଣ ଲକ୍ଷ୍ନୌର ହୋଇଥିବା ବେଳେ ଗୋରଖପୁରରୁ ୨ ଏବଂ ଗାଜିଆବାଦ, ଦିଲ୍ଲୀ, ରାଏବରେଲି, ପୁନେ, ଭୋଜପୁର, ବିହାର, ଗୋଣ୍ଡା, କୁରୁକ୍ଷେତ୍ରରୁ ଜଣେ ଲେଖାଏଁ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ ଆହତମାନଙ୍କୁ ଉତ୍ତମ ଚିକିତ୍ସା‌ ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ‌ଦେଇଛନ୍ତି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାପାଇଁ ଯୋଗୀ ଏକ ତଦନ୍ତ କମିଟି ଗଠନ କରିଛନ୍ତି। ଲକ୍ଷ୍ନୌ ୟୁପିଆରସିଟିସିର ଆଞ୍ଚଳିକ ମ୍ୟା‌ନେଜର ଅମ୍ବ୍ରିନ ଅଖତାର କହିଛନ୍ତି , ବସ୍‌ଟିକୁ କୃପା ଶଙ୍କର ଚୌଧୁରୀ ନାମକ ଜଣେ ୪୫ ବର୍ଷୀୟ ଡ୍ରାଇଭର ଚଳାଉଥିଲେ। ଚଳିତବର୍ଷ ଯମୁନା ଏକ୍ସ‌ପ୍ରେସ୍‌ୱେରେ ୨୪୭ ସଡ଼କ ଦୁର୍ଘଟଣା ହୋଇ ୧୨୭ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୮ ମସିହାରେ ଯମୁନା ଏକ୍ସ‌ପ୍ରେସ୍‌ୱେରେ ୬୫୯ ସଡ଼କ ଦୁର୍ଘଟଣା ହୋଇ ୧୧୦ ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର